ଜୟପୁର, ୧୯ ଜୁନ୍ (ହି.ସ.)- କୋଟପାଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସାନ୍ଧ୍ୟରାଣୀ ସୋମନ୍ନାଥଙ୍କ ଅଧ୍ୟକ୍ଷତାରେ ସଦରଙ୍ଗା ଗ୍ରାମସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ପ୍ରାକୃତିକ ବିପର୍ଯୟକୁ ମୁକାବିଲା କରିବା ଦିଗରେ ସ୍ଥାନୀୟ ଦକ୍ଷତାର ସମୀକ୍ଷା ଓ ପୂର୍ବ ପ୍ରସ୍ତୁତି ନିମିତ୍ତ ମକ ଡ୍ରିଲ ଅନୁଷ୍ଠିତ ହୋଇଛି l ବନ୍ୟା ବାତ୍ୟା ଭଳି ଆକସ୍ମିକ ପ୍ରାକୃତିକ ବିପର୍ଯ୍ୟୟରୁ ଧନ ଜୀବନକୁ ରକ୍ଷା କରି ଶୂନ୍ୟ ମୃତ୍ୟୁ ଆଭିମୁଖ୍ୟକୁ ସାକାର କରିବା ପାଇଁ ପ୍ରସ୍ତୁତିକୁ ସଦା ସର୍ବଦା ସଜାଗ ରହିବା ପାଇଁ ଓଡ୍ରାଫ ଟିମ ଦ୍ୱାରା ପାଣିସୁଅରୁ ଜୀବନ ଉଦ୍ଧାର, ସାପ କାମୁଡା, ନିଆଁ ଦାଉରୁ ରକ୍ଷା, ବନ୍ୟା, ବାତ୍ୟା, ବଜ୍ରପାତ, ଅଂଶୁଘାତ ଆଦିରୁ ବଂଚିବାର କଳା କୌଶଳ ତଥା ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ବିଭିନ୍ନ ଯନ୍ତ୍ରପାତି, ସରଞ୍ଜାମର ବ୍ୟବହାର ପ୍ରଣାଳୀ ପ୍ରଦର୍ଶନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ବ୍ଲକ ର ସ୍ୱାସ୍ଥ୍ୟ ଅଧିକାରୀ, ସି. ଡ଼ି. ପି. ଓ, ଜି. ପି. ଓ, ପି. ଇ. ଓ, ସି. ଆର.ପି, ଏମ ବି. କେ, ଅଙ୍ଗନବାଡି, ଆଶା, ୱାର୍ଡମେମ୍ବର ତଥା ଅନ୍ୟାନ୍ୟ ବ୍ଲକ ଏବଂ ପଂଚାୟତ ସ୍ତରୀୟ ଅଧିକାରୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ସି. ଏସ. ଏନ. ଆର ର କର୍ମକର୍ତ୍ତା ଉପସ୍ଥିତ ଥିଲେ l ଆଗାମୀ ଦିନରେ ଗ୍ରାମ ସ୍ତରୀୟ ବିପର୍ଯ୍ୟୟ ପରିଚାଳନା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରତ୍ୟକ ବିଭାଗ ସହ ସମନ୍ଵୟ ରଖିବା, ବାତ୍ୟା ଆଶ୍ରୟସ୍ଥଳୀରେ ଥିବା ଯନ୍ତ୍ରପାତି, ସରଞ୍ଜାମକୁ ସାଇତି ରଖି ଆବଶ୍ୟକ ସମୟରେ କାର୍ଯ୍ୟରେ ଲଗାଇ ବିପର୍ଯ୍ୟୟରେ ହେଉଥିବା ଜୀବନ, ଧନ, ଗୃହପାଳିତ ପଶୁ, ଫସଲ ଇତ୍ୟାଦିର ସୁରକ୍ଷା କରିବା ପାଇଁ ଆଲୋଚନା କରାଗଲା l
କାର୍ଯ୍ୟକ୍ରମକୁ ବାତ୍ୟା ଆଶ୍ରୟସ୍ଥଳୀର ସଭାପତିଏବଂ ସମ୍ପାଦକ ସୁଚାରୁରୂପେ ପରିଚାଳନା କରିଥିଲେ l ରାଜ୍ୟ ବିପର୍ଯୟ ପରିଚାଳନା ବିଭାଗ (OSDMA) କଂସଲଟାଣ୍ଟ ମେଘନାଦ ବେହେରା ପର୍ଯ୍ୟବେକ୍ଷକ ଭାବେ ଯୋଗଦାନ କରି ବିଭାଗୀୟ ସମନ୍ଵୟ, ପୂର୍ବ ପ୍ରସ୍ତୁତି, ବିକାଶ ଯୋଜନାରେ ବିପର୍ଯୟ ପରିଚାଳନା ନିମିତ୍ତ ପଦକ୍ଷେପକୁ ସାମିଲ କରିବା ସମ୍ପର୍କରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ l
ହିନ୍ଦୁସ୍ଥାନ ସମାଚାର / ପିକେପି