ପ୍ରଧାନମନ୍ତ୍ରୀ ଗୋପାଳପୁର କେନ୍ଦୁଝର ଯିବେକି?
ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଭୁବନେଶ୍ୱର ,୧୯ ଜୁନ(ହି.ସ.) - ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଶାସନର ସଫଳତା ପ୍ରଚାର ପାଇଁ ଆସୁଛନ୍ତି । ଓଡ଼ିଶାରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ବଢ଼ି ଚାଲିଛି । ସେହିଭଳି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ୧୧
ପ୍ରଧାନମନ୍ତ୍ରୀ ଗୋପାଳପୁର କେନ୍ଦୁଝର ଯିବେକି?


ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ

ଭୁବନେଶ୍ୱର ,୧୯ ଜୁନ(ହି.ସ.) - ଆସନ୍ତା କାଲି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଶାସନର ସଫଳତା ପ୍ରଚାର ପାଇଁ ଆସୁଛନ୍ତି । ଓଡ଼ିଶାରେ ମହିଳାଙ୍କ ପ୍ରତି ଗଣଦୁଷ୍କର୍ମ ବଢ଼ି ଚାଲିଛି । ସେହିଭଳି ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ୧୧ ଟି ଜିଲ୍ଲାରେ ହଇଜା ବ୍ୟାପି ହାହାକାର ପରିସ୍ଥିତି ଦେଖାଦେଇଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବାକୁ ଆମେ ସ୍ୱାଗତ କରିବୁ ଯଦି ଗୋପାଳପୁର ଓ କେନ୍ଦୁଝରର ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ଶିକାର ହୋଇଥିବା ପରିବାରକୁ ଭେଟି ଓଡ଼ିଶାର ଆଇନ ଶୃଙ୍ଖଳାକୁ ସୁଧାରିବେ। କେନ୍ଦ୍ର ଓ ଓଡ଼ିଶା ସରକାରଙ୍କ ଶାସନର ବିଫଳତା ବିରୁଦ୍ଧରେ କଂଗ୍ରେସ ଆସନ୍ତାକାଲି ସକାଳ ୯ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଅନଶନ କରିବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି।

ସେ କହିଛନ୍ତି ହଇଜାକୁ ଯେଉଁଭଳି ଗୁରୁତ୍ୱ ଦେବାକଥା ସରକାର ଦେଉନାହାନ୍ତି । ପିସିସି ପକ୍ଷରୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଅନୁଧ୍ୟାନ ପାଇଁ ଏକ ୧୨ ଜଣିଆ କମିଟି ବିଧାୟକ ସିଏସ ରାଜନ ଏକାଙ୍କ ନେତୃତ୍ୱରେ ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ କରିଛି। ଉକ୍ତ ଟିମ ହଇଜା ପ୍ରଭାବିତ ଅଞ୍ଚଳର ସାଧାରଣ ଜନତାଙ୍କୁ ଭେଟି ରିପୋର୍ଟ ପ୍ରଦାନ କରିବେ । ସେହିପରି ପୂର୍ବତନ ପିସିିସି ସଭାପତି ଜୟଦେବ ଜେନାଙ୍କ ନେତୃତ୍ୱରେ ପିସିସି ପକ୍ଷରୁ ଏକ ଅନୁଧ୍ୟାନକାରି ଦଳ କେନ୍ଦୁଝର ଗସ୍ତ କରିବ ଏବଂ ଗୋପାଳପୁର ଘଟଣାରେ ଅନୁଧ୍ୟାନ କରିବାକୁ କଂଗ୍ରେସର ଏକ ଟିମ ଗସ୍ତ କରିଛି।

କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଦାସ ସେ କହିଛନ୍ତି ରାହୁଲ ଗାନ୍ଧୀଙ୍କ ଜନ୍ମ ଦିନ ଅବସରରେ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ରକ୍ତଦାନ ଶିବିର ଏବଂ ନାରୀ ସାମାଜିକ ନ୍ୟାୟ ଉପରେ ଚଳଚ୍ଚିତ୍ର ଫୁଲେକୁ ଛାତ୍ର କଂଗ୍ରେସ ପକ୍ଷରୁ କଂଗ୍ରେସ ନେତୃବୃନ୍ଦଙ୍କୁ ଦେଖାଇଛନ୍ତି । ସେ କହିଛନ୍ତି ଜୁଲାଇ ଦ୍ୱିତୀୟ ସପ୍ତାହରେ ରାହୁଲ ଗାନ୍ଧୀ, ଏଆଇସିସି ଅଧ୍ୟକ୍ଷ ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେସି ଭେଣୁ ଗୋପାଳ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ଭୁବନେଶ୍ୱର ଠାରେ ବିଶାଳ ଜନସମାବେଶ ଆୟୋଜନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ରାଜ୍ୟରେ ହଜାର ହଜାର କର୍ମୀ ଓ ଦଳର ନେତୃବର୍ଗ ଏହି ସମାବେଶରେ ଯୋଗଦେବାପାଇଁ ସ୍ଥିର ହୋଇଛି । ରାଜ୍ୟର ବିଭିନ୍ନ ଅଘଟଣକୁ ଏଆଇସିସି ଗୁରୁତ୍ୱର ସହ ନେଇଛି । ଏହାକୁ ଅନୁଧ୍ୟାନ ନିମନ୍ତେ ଏକ ୫ଜଣିଆ କମିଟି ଗଠନ କରିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତର ସୂରକ୍ଷା ପାଇଁ ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବଡ଼ ବଡ଼ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ଓଡ଼ିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ରଥଯାତ୍ରାର ସୁରକ୍ଷା ଓ ଶୃଙ୍ଖଳା ପାଇଁ ଯେତିକି ପୋଲିସ ମୃତୟନ କରାଯିବା କଥା ତାହାଠାରୁ ମୋଦିଙ୍କ ଓଡ଼ିଶା ଗସ୍ତ ପାଇଁ ମାଳ ମାଳ ପୋଲିସ ମୃତୟନ କରାଯାଇଛି । ରାଜ୍ୟରେ ନାରୀ ଦୁଷ୍କର୍ମ ଏବଂ ନିର୍ଯ୍ୟାତନା ବଢ଼ି ଚାଲିଛି ଏଭଳି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ରାଜ୍ୟବାସୀଙ୍କ ପାଇଁ କ’ଣ ବାର୍ତ୍ତାବହନ କରୁଛି ବିଜେପି ନେତୃବୃନ୍ଦ ରାଜ୍ୟବାସୀଙ୍କ ଆଗରେ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି । ରାଜ୍ୟରେ ଏହିସବୁ ଘଟଣାକୁ ପ୍ରଧାନମନ୍ତ୍ରୀ ଯଦି ଗୁରୁତ୍ୱର ସହ ନେଉଛନ୍ତି ତେବେ ନାରୀ ନିର୍ଯ୍ୟାତନା ଓ ହଇଜା ଉପରେ ତାଙ୍କ ବକ୍ତବ୍ୟ ରଖିବାକୁ ପିସିସି ସଭାପତି ଦାବି ରଖିଛନ୍ତି । ଗୋପାଳପୁର, କେନ୍ଦୁଝର ଏବଂ ଯାଜପୁରକୁ ପ୍ରଧାନମନ୍ତ୍ରୀ ଗସ୍ତ କରିବେକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି ଯେ ଓଡ଼ିଶାରେ ନାରୀ ଅସୁରକ୍ଷିତ ଥିଲା ବେଳେ ମହିଳା କମିଶନ ଅଦ୍ୟାବଧି ନିଯୁକ୍ତି ହୋଇନାହିଁ । ସେହିଭଳି ଏସଟି, ଏସସି, ଓବିସି ଓ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ପାଇଁ କମିଶନ ନିଯୁକ୍ତି ସରକାର କରିନଥିବା ବେଳେ ରାଜ୍ୟବାସୀଙ୍କୁ କିଭଳି ଶାସନର ସଫଳତା ଦେବେବୋଲି ପ୍ରଶ୍ନ କରିଛନ୍ତି । ଡବଲ ଇଞ୍ଜିନ ସରକାରର ଗୋଟିଏ ଇଞ୍ଜିନ ଅଚଳ ହୋଇପଡ଼ିଥିବା ବେଳେ ଅହମଦାବାଦ ପ୍ଲେନ ଦୁର୍ଘଟଣା ଭଳି ଓଡ଼ିଶାରେ ଶାସନ ଦିଗହରା ହୋଇଛି । ଏଆଇସିସି ସମ୍ପାଦକ ଶ୍ରୀ ଶରତ ରାଉତ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ଦୁଇଟି ମହାମାରୀ ବ୍ୟାପିବାରେ ଲାଗିଛି ଗୋଟିଏ ନାରୀ ନିର୍ଯ୍ୟାତନା ହୋଇଥିଲା ବେଳେ ଆଉ ଗୋଟିଏ ହଇଜା । ନାରୀ ନିର୍ଯ୍ୟାତନା ଓ ହଇଜା ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ବୋଲି ସେ କହିଥିଲେ ସରକାର ତୁରନ୍ତ ପ୍ରତିକାର କରିବାକୁ ସେ ଆହ୍ୱାନ ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କୋଷାଧ୍ୟକ୍ଷ ସିର୍ଦ୍ଧାର୍ଥ ସ୍ୱରୂପ ଦାଶ, କଂଗ୍ରେସ ନେତା ଅରବିନ୍ଦ ଦାସ, ପିସିସି ମୁଖପାତ୍ର ରଜନୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande