ଭୁବନେଶ୍ୱର ,୧୯ ଜୁନ(ହି.ସ.) - ପ୍ରତିବର୍ଷ ପରି ଜୁନ୍ ୧୮ ଓ ୧୯ ତାରିଖରେ ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲାରେ ବାର୍ଷିକ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜିତ ହୋଇଯାଇଛି । ଏହି ଅଭ୍ୟାସର ମୂଳ ଉଦ୍ଦେଶ୍ୟ ଥିଲା ପ୍ରସ୍ତୁତିର ପରୀକ୍ଷା, ଯାଂଚ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ସୁରକ୍ଷିତ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଭବିଷ୍ୟତରେ ଆପଦକାଳୀନ ସ୍ଥିତିର ମୁକାବିଲା ପ୍ରସ୍ତୁତି ତ୍ୱରାନ୍ୱିତ କରିବା।
ଜୁନ୍ ୧୮ରେ ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟ ଏବଂ ସମସ୍ତ ବ୍ଲକ୍ ଏବଂ ପୌର ପରିଷଦ ସ୍ତରରେ ଏହି ଅଭ୍ୟାସ ବିଭିନ୍ନ ବିଭାଗର ସରକାରୀ ଅଧିକାରୀ, ଉଚ୍ଚ ପ୍ରତିନିଧି, ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ, ଅଣ-ସରକାରୀ ସଂଗଠନ ଇତ୍ୟାଦିଙ୍କୁ ନେଇ କରାଯାଇଥିଲା । ଅଭ୍ୟାସ ସମୟରେ ଘୂର୍ଣ୍ଣିବାତ୍ୟା, ପ୍ରବଳ ବର୍ଷା, ବନ୍ୟା, ଭୂ୍ଜଳନ, ସାପକାମୁଡ଼ା, ବଜ୍ରପାତ, ମରୁଡ଼ି ଏବଂ ସୁନାମି ସହ ଜଡ଼ିତ ବିଭିନ୍ନ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା ଏବଂ ବୈଠକରେ ବିଭିନ୍ନ ବିଭାଗ ଏବଂ ସଂଗଠନର ଭୂମିକା, ଦାୟିତ୍ୱ ଓ ପ୍ରସ୍ତୁତି ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା ।
ଜୁନ୍ ୧୯ରେ ଓଡ଼ିଶାର ସମସ୍ତ ୯୦୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳରେ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ କରାଯାଇଥିଲା । ଭାରତ ପାଣିପାଗ ବିଭାଗରୁ ଘୂର୍ଣ୍ଣିଝଡ଼ ଏବଂ ସମ୍ବନ୍ଧିତ ପ୍ରବଳ ବର୍ଷା, ବନ୍ୟା ଏବଂ ଭୂ୍ଜଳନ ଓ ସୁନାମି ଉପରେ ସୂଚନା ସବୁ ରାଜ୍ୟ ଜରୁରୀକାଳୀନ କେନ୍ଦ୍ର ଦ୍ୱାରା ସଂପୃକ୍ତ ଜିଲ୍ଲା ଜରୁରୀକାଳୀନ କେନ୍ଦ୍ରକୁ ପ୍ରେରଣ କରାଯାଇଥିଲା । ବହୁମୁଖ୍ୟ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ଥିବା ଗ୍ରାମସ୍ତରରେ ସ୍ଥାନାନ୍ତର ଆରମ୍ଭ କରାଯାଇଥିଲା । ଆଶ୍ରୟସ୍ଥଳ ସ୍ତରରେ ଗ୍ରାମବାସୀ, ନିର୍ବାଚିତ ପ୍ରତିନିଧି, ଆଶା, ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଟାସ୍କାଫୋର୍ସ, ସ୍ୱେଚ୍ଛାସେବୀ, ଆପଦମିତ୍ର, ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳ ପରିଚାଳନା ଏବଂ ରକ୍ଷଣାବେକ୍ଷଣ କମିଟିର ସଦସ୍ୟ ଓ ସଂଗଠନ ଇତ୍ୟାଦି ଅଂଶଗ୍ରହଣ କରିଥିଲେ । ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା, ଏନ୍ଡିଆରଏଫ୍ ଏବଂ ଓଡ୍ରାଫର ଦଳଗୁଡ଼ିକ ମଧ୍ୟ ବିଭିନ୍ନ ଆଶ୍ରୟସ୍ଥଳରେ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ । ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତୃପକ୍ଷର ଅଧିକାରୀମାନଙ୍କ ସହିତ ଭାରତୀୟ ପାଣିପାଗ ଆଂଚଳିକ କେନ୍ଦ୍ର, ଭୁବନେଶ୍ୱରର ଅଧିକାରୀମାନେ, ଓଡ଼ିଶା ସରକାରଙ୍କ ବିଭିନ୍ନ ବିଭାଗର ନୋଡ଼ାଲ ଅଧିକାରୀମାନେ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ବାହିନୀ ୧୮ ଓ ୧୯ ଜୁନ୍ ରେ ଏହି ପ୍ରସ୍ତୁତି ଓ ଅଭ୍ୟାସରେ ଅଂଶଗ୍ରହଣ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା