ଗଞ୍ଜାମ, ୧୯ ଜୁନ୍ (ହି.ସ.)- ଗଞ୍ଜାମ ଜିଲ୍ଲାରେ ବହୁଳ ମାତ୍ରାରେ ମାଛରେ ଫର୍ମୋଲିନ ବ୍ୟବହାର କରି ବିଭିନ୍ନ ସହର ବଜାରରେ ବିକ୍ରୀ କରାଯାଉଛି । ମାଛ ଗୁଡିକ ସତେଜ ଦେଖାଯିବା ପାଇଁ ବ୍ୟବସାୟୀ ମାନେ ଏଥିରେ ଫର୍ମୋଲିନ ମିଶାଇ ବିକ୍ରୀ କରୁଛନ୍ତି । ଫଳରେ ମାଛ ଗୁଡିକ ସପ୍ତାହ ସପ୍ତାହ ଧରି ସତେଜ ଦେଖାଯାଉଥିଲେ ମଧ୍ୟ ଏହି ମାଛ ଖାଇବା ସ୍ୱାସ୍ଥ୍ୟ ପାଇଁ ଅହିତକର ହେଉଛି । ଏହି ମାଛ ଖାଇ ଲୋକେ ବିଭିନ୍ନ ରୋଗରେ ପୀଡ଼ିତ ହେବା ସହ କର୍କଟ ଭଳି ଦୂରାରୋଗ୍ୟରେ ପୀଡ଼ିତ ହୋଇ ମୃତ୍ୟୁବରଣ କରୁଛନ୍ତି । ଏଣୁ ବ୍ରହ୍ମପୁର ମହାନଗର ନିଗମ(ବିଇଏମସି), ଜିଲ୍ଲାର ବିଭିନ୍ନ ପୌର ପରିଷଦ ତଥା ବିଜ୍ଞାପିତ ଅଂଚଳରେ ଥିବା ଖାଦ୍ୟ ଓ ସ୍ୱାସ୍ଥ୍ୟ ବିଭାଗର ପରିଦର୍ଶକ ମାନେ ଏ ଧରଣର ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି । ଅନ୍ୟପକ୍ଷରେ ଏ ବାବଦରେ ବିଇଏମସି କର୍ତୃପକ୍ଷଙ୍କ ନିକଟରେ ଖବର ଥିଲେ ମଧ୍ୟ ଅଦ୍ୟାବଧି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ