ଭୁବନେଶ୍ୱର ,୧୯ ଜୁନ(ହି.ସ.) - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ. ଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଦିନ କଟକ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ତିନିଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ମିଳିତ ବିଶେଷଜ୍ଞ ଦଳ ପହଂଚି ସେମାନଙ୍କର କାର୍ଯ୍ୟ ଆରମ୍ଭ କରିଛନ୍ତି । କଟକ ଜିଲ୍ଲା ପାଇଁ କେନ୍ଦ୍ରୀୟ ଟିମର ଡକ୍ଟର ବି ଦ୍ୱିବେଦୀ ଓ ଡକ୍ଟର ଏସ ମହାନ୍ତି ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ପ୍ରମିଳା ବରାଳ ସଦସ୍ୟ ଭାବରେ ରହିଛନ୍ତି । ଯାଜପୁର ଜିଲ୍ଲା ପାଇଁ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନୀଳକଣ୍ଠ ମିଶ୍ର, କେନ୍ଦ୍ରୀୟ ଟିମର ଡକ୍ଟର ଏନ ସୋମାଲକର. ଓ ଭାରତୀୟ ଖାଦ୍ୟ ସୁରକ୍ଷା କର୍ତୁପକ୍ଷ ଅଧିକାରୀମାନେ ସଦସ୍ୟ ରହିଛନ୍ତି । ଭଦ୍ରକ ଜିଲ୍ଲାରେ ଡକ୍ଟର ପି ଘୋଷ ଓ ଡକ୍ଟର ଜି ଚୌଧୁରୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ଶୁଭାଶିଷ ମହାନ୍ତି ସ୍ଥିତି ସମୀକ୍ଷା କରୁଛନ୍ତି ।
ଏହି ଟିମ ମାନେ ସମ୍ପୃକ୍ତ ଜିଲ୍ଲା ମାନଙ୍କରେ ଡାଇରିଆ ମୁକାବିଲା ଓ ନିରାକରଣ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଅନୁଧ୍ୟାନ କରୁଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ, ଟିମମାନେ ମୁଖ୍ୟତଃ ପାନୀୟ ଜଳ ସ୍ରୋତ ଗୁଡ଼ିକର ବିଶୋଧିକରଣ, ପାଣି ଫୁଟେଇ ବ୍ୟବହାର କରିବାପାଇଁ କରାଯାଉଥିବା ସଚେତନତା କାର୍ଯ୍ୟକ୍ରମ, ଡାକ୍ତରଖାନାରେ ପ୍ରୋଟୋକଲ ଅନୁସାରେ ରୋଗୀମାନଙ୍କ ଚିକିତ୍ସା, ରୋଗୀମାନଙ୍କ ବିଷୟରେ ସଠିକ ତଥ୍ୟ ସଂଗ୍ରହ ଓ ବ୍ଲକୱାରୀ ଡାଇରିଆ ସ୍ଥିତିର ଅନୁଶୀଳନ କାର୍ଯ୍ୟ ଜାରି ରଖିଛନ୍ତି । ସ୍ଥିତିକୁ ଲକ୍ଷ୍ୟକରି କ୍ଷେତ୍ର ସ୍ତରୀୟ ଟିମ ଏବଂ ଡାକ୍ତରମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଉଛନ୍ତି ।କ୍ଷେତ୍ର ପରିଦର୍ଶନ ପରେ ଏହି ମିଳିତ ବିଶେଷଜ୍ଞ ଟିମ ଗୁଡିକ ସମ୍ପୃକ୍ତ ଜିଲ୍ଲାରେ ଗତକାଲି ଗଠନ ହୋଇଥିବା କୋର କମିଟି ସହ ଆଲୋଚନା କରି ପରବର୍ତ୍ତୀ କାର୍ଯ୍ୟକ୍ରମ ନିର୍ଦ୍ଧାରଣରେ ସହଯୋଗ କରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା