ଭୁବନେଶ୍ୱର ,୧୯ ଜୁନ(ହି.ସ.) -ରାଜ୍ୟରେ ଡାଇରିଆ ସଂକ୍ରମଣର ତ୍ୱରିତ ମୁକାବିଲା ପାଇଁ ଆଜି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ବସିଥିଲା। ଯାଜପୁର, କଟକ, ଭଦ୍ରକ, ଢେଙ୍କାନାଳ, କେନ୍ଦୁଝର, କେନ୍ଦ୍ର୍ରାପଡା ଆଦି ଛଅଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଡାଇରିଆ ସ୍ଥିତି ଓ ମୁକାବିଲାର ବିଭିନ୍ନ ଦିଗ ଉପରେ ମନ୍ତ୍ରୀ କାର୍ଯ୍ୟ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା ସତ୍ତ୍ୱେ ସମସ୍ତେ ସମ୍ପୂର୍ଣ୍ଣ ରୂପେ ସତର୍କ ରହି କାର୍ଯ୍ୟ କରିବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହା ସହ ଆଗାମୀ ମୌସୁମୀକୁ ଦୃଷ୍ଟିରେ ରଖି ତିନିମାସ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ସରକାର ସମନ୍ୱୟ ସହ ସାମଗ୍ରିକ ଭାବରେ ପ୍ରସ୍ତୁତ ରହିଥିବା ମନ୍ତ୍ରୀ ପ୍ରକାଶ କରିଥିଲେ।
ଏହି ବୈଠକରେ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ରାଜ୍ୟର ଛଅଟି ଜିଲ୍ଲାର ଡାଇରିଆ ମୁକାବିଲାର ସ୍ଥିତି ଓ ପ୍ରସ୍ତୁତି ବିଷୟରେ ସମୀକ୍ଷା କରିଥିଲେ । ପାନୀୟଜଳ ଜଳ ସ୍ରୋତ ଗୁଡ଼ିକର ବିଶୋଧନ, ତୃଣମୂଳ ସ୍ତରରୁ ମେଡ଼ିକାଲ କଲେଜ ପର୍ଯ୍ୟନ୍ତ ଡାକ୍ତରଖାନା ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷାଦ୍ୱାରା ଚିକିତ୍ସାସେବା ଯୋଗାଇବା, ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପତା, ସଂକ୍ରମିତ ଜଳଉତ୍ସ ଚିହ୍ନଟ ଓ ବିଭାଗୀୟ ସମନ୍ୱୟ ବିଷୟରେ ସେ ବିସ୍ତୃତ ସମୀକ୍ଷା କରିଥିଲେ ।ଏହା ସହ ଡାଇରିଆ ଜନିତ ଜନସଚେତନତା ଉପରେ ଗୁରୁତ୍ୱ ଦେଇ ମନ୍ତ୍ରୀ ସୂଚନା- ଶିକ୍ଷା – ସଂଚାର ମାଧ୍ୟମରେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ପିଇବା, ହାଲୋଜେନ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଣି ବ୍ୟବହାର, ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲଭାବେ ହାତ ଧୋଇବା, ଝାଡାବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ଓ.ଆରଏସ୍ ଦ୍ରବଣ ପିଇବା ଓ ବିଳମ୍ବ ନକରି ଡାକ୍ତରଖାନା ଯିବା ଆଦି ବିଷୟରେ ଲୋକଙ୍କୁ ତୃଣମୂଳ ସ୍ତରରୁ ଅବଗତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ୱତୀ ଏସ୍ ଯୋଗଦେଇ ବିଭାଗୀୟ ପ୍ରସ୍ତୁତିର ସମସ୍ତ ଦିଗ ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ଜିଲ୍ଲାସ୍ତରରୁ ସମସ୍ତ ଜିଲ୍ଲାପାଳମାନେ ଆଭାସି ମାଧ୍ୟମରେ ବୈଠକରେ ସାମିଲ ହୋଇ ଜିଲ୍ଲା ସ୍ତରରେ ଡାଇରିଆ ସଂକ୍ରମଣ ମୁକାବିଲା ବିଷୟରେ ମନ୍ତ୍ରୀଙ୍କୁ ସୂଚିତ କରିଥିଲେ। ସରକାରଙ୍କ ବିଭିନ୍ନ ବିଭାଗ କିଭଳି ଭାବରେ ଯୁଦ୍ଧକାଳୀନ ଭିତିରେ ଡାଇରିଆ ନିରାକରଣ ପାଇଁ କାର୍ଯ୍ୟ କରୁଛନ୍ତି ସେ ବିଷୟରେ ଶାସନ ସଚିବ ମନ୍ତ୍ରୀଙ୍କ ନିକଟରେ ତଥ୍ୟ ଉପସ୍ଥାପନ କରିଥିଲେ।
ମିଶନଶକ୍ତି ବିଭାଗ ପକ୍ଷରୁ ଡାଇରିଆ ନିବାରଣ ପାଇଁ ମହିଳା ଏସଏଚଜି ସଦସ୍ୟଙ୍କ ମାଧ୍ୟମରେ ସଚେତନତା ଅଭିଯାନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଅଭିଯାନ ଆସନ୍ତା ୮ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ସମସ୍ତ ମହିଳାଏସଏଚଜି ସଦସ୍ୟା ସମସ୍ତ ପରିବାରଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଅଭିଯାନରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବେ। ସେମାନେ ସଚେତନତା ସମ୍ବନ୍ଧୀୟ ଆଇଇସି ସାମଗ୍ରୀ ବଣ୍ଟନ କରିବେ ଏବଂ ଗ୍ରାମର ପ୍ରମୁଖ ସ୍ଥାନରେ ବୈଠକ ଆୟୋଜନ କରି ପରିମଳ ଓ ସ୍ୱଚ୍ଛତା ବାର୍ତ୍ତା ସହ ଡାଇରିଆ ବିଷୟରେ ଆବଶ୍ୟକୀୟ ସମସ୍ତ ତଥ୍ୟ ପ୍ରଦାନ କରିବେ ।
ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଦ୍ୱାରା ଅଧିକାଂଶ ପାନୀୟ ଜଳ ବିଭଜନ ଗୁଡ଼ିକରେ ପାନୀୟଜଳ ସ୍ରୋତ ଯଥା ନଳକୂଅ, ଖୋଲାକୁଅ ଆଦିର ବିଶୋଧନ ସମ୍ପୂର୍ଣ୍ଣ ହୋଇଛି ଓ ଅନ୍ୟ ସମସ୍ତ ବିଭାଜନରେ ମଧ୍ୟ ଜାରି ରହିଛି । ସମସ୍ତ ପାନୀୟ ଜଳ ସ୍ରୋତକୁ ପରୀକ୍ଷା କରାଯାଉଛି କ୍ଷ ଯେଉଁ ସ୍ରୋତରେ ବାରମ୍ବାର ସଂକ୍ରମଣ ରହୁଛି ସେଭଳି କୂଅ ଓ ନଳକୂଅକୁ ସିଲ୍ କରି ଦିଆଯାଉଛି କ୍ଷ ଗ୍ରାମାଞ୍ଚଳରେ ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀର ସଦଶ୍ୟ, ଆଶା, ଅଙ୍ଗନବାଡି ଦିଦି ମାନେ ଜଳ ବିଶୋଧନ ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ଏହାସହ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜ ଗୁଡ଼ିକର ସୁରକ୍ଷାକୁ ଦୃଷ୍ଟିରେ ରଖି ଭଦ୍ରଖ ଜିଲ୍ଲାରେ ଖରାଛୁଟି କୁ ଜୁନ ୨୩ ଓ ଯାଜପୁର ଜିଲ୍ଲାରେ ୨୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବିଭିନ୍ନ ଖାଦ୍ୟୃ ନିରାପତ୍ତା ଦଳ ମଧ୍ୟ ହୋଟେଲ, ରାସ୍ତା କଡ ଦୋକାନ, ଢାବାର ଖାଦ୍ଯ ପରୀକ୍ଷା ଓ ରେଡ଼ ଜାରି ରଖିଛନ୍ତି । ଏଥି ସଙ୍କ୍ରାନ୍ତୀୟ ସମସ୍ତ ସରକାରୀ ନିୟମ କଡାକଡି ଭାବରେ ପାଳନ କରାଯାଉଛି।
ସେହିପରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମଧ୍ୟ ଜଳସାଥୀ ମାନଙ୍କୁ ନିଯୋଜିତ କରାଯାଇ ଓ ମିଶନ ଶକ୍ତି ବିଭାଗ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯାଇ ନିରାପଦ ପାନୀୟ ଜଳ ସମ୍ପର୍କିତ ସୂଚନା-ଶିକ୍ଷା -ସଂଚାର କାର୍ଯ୍ୟକ୍ରମ ଜାରି ରହିଛି । ବ୍ୟାସନଗର ପୌର ପରିଷଦରେ ହଇଜା ନିୟନ୍ତ୍ରଣ ନିମନ୍ତେ କଟକ ୱାଟ୍କୋ ଡିଭିଜନ୍ ର ପରିଚାଳନା ନିର୍ଦ୍ଦେଶକଙ୍କୁ କ୍ୟାମ୍ପ ଅଫିସ କରି ପଠାଯାଇଛି । ତାଙ୍କୁ ସେଠାରେ ଅନ୍ୟାଦେଶ ପର୍ଯ୍ୟନ୍ତ ଅବସ୍ଥାପନ କରାଯାଇଛି । ଏହା ସହ ଆଗାମୀ ରଥଯାତ୍ରାକୁ ଧ୍ୟାନରେ ରଖି ପୁରୀ ମୁନିସିପାଲିଟି ଅଞ୍ଚଳ ଏବଂ ୱାଟ୍କୋ ଅଧିନସ୍ଥ ନିମାପଡ଼ା, ପିପିଲି ଓ କୋଣାର୍କ ପରି ନିକଟସ୍ଥ ପୌର ପରିଷଦଗୁଡ଼ିକରେ ହଇଜା ନିୟନ୍ତ୍ରଣ ନିମନ୍ତେ ୱାଟ୍କୋର ନିର୍ଦ୍ଦେଶକ (ସଂଚାଳନ)ଙ୍କୁ ପୁରୀଠାରେ ଅବସ୍ଥାପିତ କରାଯାଇଛି ।
ଡାଇରିଆ ନିୟନ୍ତ୍ରଣ ପାଇଁ ସମସ୍ତ ପାଇପ ଜଳଯୋଗାଣ ବ୍ୟବସ୍ଥାକୁ କ୍ଲୋରିନ୍ ରେ ବିଶୋଧନ କରାଯାଉଛି । ସମସ୍ତ କୂଅ, ନଳକୂପ ଏବଂ ଅଗଭୀର ନଳକୂପଗୁଡ଼ିକୁ ବିଶୋଧନ କରାଯାଉଛି। ସମସ୍ତ ଶିକ୍ଷାନୁଷ୍ଠାନ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଥିବା ପାଣିଟାଙ୍କିଗୁଡ଼ିକକୁ ସଫା କରାଯିବା ସହ ଜଳ ଉତ୍ସଗୁଡ଼ିକୁ ବିଶୋଧନ କରାଯାଉଛି । ଜରୁରୀକାଳୀନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଯଥେଷ୍ଟ ପରିମାଣର ବ୍ଲିଚିଂ ପାଉଡର ଓ କ୍ଲୋରିନ୍ ଟାବ୍ଲେଟ୍ ମହଜୁଦ ରଖାଯାଇଛି । ସମସ୍ତ ଜଳସାଥିଙ୍କୁ ବିଭିନ୍ନ ଜଳ ବ୍ୟବହାର କରାଯାଉଥିବା ସ୍ଥାନରୁ ଜଳ ନମୁନା ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ବିଭାଗ ସହ ସମନ୍ୱୟ ରକ୍ଷାକରି ପ୍ରତିଦିନ ଜଳ ନମୁନା ପରୀକ୍ଷା ପାଇଁ ସଂଗ୍ରହ କରାଯାଉଛି । ପରୀକ୍ଷଣର ଫଳକୁ ପ୍ରତ୍ୟେକ ଦିନ ଜିଲ୍ଲା ପ୍ରଶାସନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଏବଂ ୱାଟ୍କୋ କାର୍ଯ୍ୟାଳୟକୁ ପଠାଯାଉଛି ।
ଏଭଳି ପରିସ୍ଥିତିରେ ସମସ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଲୋକଙ୍କ ସେବାରେ ସଦାସର୍ବଦା ସମର୍ପିତ ରହିବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ କ୍ଷ ଆକ୍ରାନ୍ତ ଦିବ୍ୟଙ୍ଗ, ଶିଶୁ, ମହିଳା ଓ ବରିଷ୍ଠ ନାଗରିକଙ୍କ ଚିକିତ୍ସା ପ୍ରତି ସ୍ୱତନ୍ତ୍ର ରୂପେ ଯତ୍ନବାନ ହେବାପାଇଁ ସେ କହିଥିଲେ କ୍ଷ ସରକାର ସବୁ ଦିଗରୁ ଏହି ପରିସ୍ଥିତିର ମୁକାବିଲା ଓ ଲୋକଙ୍କ ନିରାପଦ ସ୍ୱାସ୍ଥ୍ୟ ପ୍ରତି ସମର୍ପିତ ଥିବା ନେଇ ମାନ୍ୟବର ମନ୍ତ୍ରୀ କହିଥିଲେ କ୍ଷ ରାଜ୍ୟସାରା ଖାଦ୍୍ୟ ନିରାପତା ଓ ଜଳ ନିରାପତାକୁ ସର୍ବାଧିକ ପ୍ରାଧାନ୍ୟ ଦେବାଉପରେ ସେ ଗୁରୁତ୍ୱାରୋପ କରିଥିଲେ କ୍ଷ ଡାଇରିଆ ସଂକ୍ରାମକଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି ଏବଂ ସରକାର ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ସବୁ ମତେ ଯତ୍ନବାନ ଓ ସଦାତତ୍ପର ରହି ସଂକ୍ରମଣର ନିରାକରଣ ପାଇଁ ସବୁ ଦିଗରୁ କାର୍ଯ୍ୟ କରୁଥିବା ନେଇ ମନ୍ତ୍ରୀ ପ୍ରକାଶ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା