ଜିଲ୍ଳା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା
ମାଲକାନଗିରି,୨ ଜୁନ୍ (ହି.ସ.) ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଳା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ନୟାଗଡ଼ ଜିଲ୍ଲା କୁ ବଦଳି ହୋଇଥିବାରୁ ସ୍ଥାନୀୟ ଆଓମା ଗୁରୁକୁଳ ଠାରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ଏହି ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ
ଜିଲ୍ଳା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀଙ୍କୁ ବିଦାୟ କାଳୀନ ସମ୍ୱର୍ଦ୍ଧନା


ମାଲକାନଗିରି,୨ ଜୁନ୍ (ହି.ସ.)

ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଳା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ମନସ୍ୱୀ ସେଠୀଙ୍କ ନୟାଗଡ଼ ଜିଲ୍ଲା କୁ ବଦଳି ହୋଇଥିବାରୁ ସ୍ଥାନୀୟ ଆଓମା ଗୁରୁକୁଳ ଠାରେ ବିଦାୟ କାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି। ଏହି ବିଦାୟ କାଳୀନ ସମ୍ୱର୍ଦ୍ଧନା ସଭାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଶ୍ମିରଞ୍ଜନ ସେନାପତି, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଉପେନ୍ଦ୍ର ଦୀପ, ସହକାରୀ ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ଆଇପିଓ ଶୁଭଶ୍ରୀ ଦଣ୍ଡପାଟ, ଅବସରପ୍ରାପ୍ତ ତହସିଲଦାର ଶଶାଙ୍କ ମିଶ୍ର ଓ ଅଧ୍ୟାପକ ଡ଼ଃ ରଞ୍ଜନ ସ୍ବାଇଁ, ଆଓମା ଗୁରୁକୁଳ ମୂଖ୍ୟ ପ୍ରତିଷ୍ଠାତା ବିନାଶ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସେଠୀ ଜଣେ ଦକ୍ଷ ଓ ସଚ୍ଚଟ ଅଧିକାରୀ ଥିଲେ ବୋଲି ଉପସ୍ଥିତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ। ତାଙ୍କ ପ୍ରଚେଷ୍ଟାରେ ପ୍ରଥମ ଥର ପାଇଁ ଆଦିମ ବଣ୍ଡା ଜନଜାତିଙ୍କ ମାଳି ଅଳଙ୍କାରକୁ ଏକ ସ୍ୱତନ୍ତ୍ର ପରିଚୟ ମିଳିପାରିଥିଲା। ବଣ୍ଡା ମହିଳାଙ୍କୁ ସଶକ୍ତ କରି ସେମାନଙ୍କ ଉତ୍ପାଦକୁ ବଜାରରେ କିଭଳି ବିକ୍ରିବଟା କରି ହେବ ସେଥି ନିମନ୍ତେ ସେ ପ୍ରଯତ୍ନ କରିଥିଲେ। ଜିଲ୍ଲାରେ ଯୁବକ ଯୁବତୀଙ୍କ ନିମନ୍ତେ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ଲକ୍ଷ୍ୟ କୋଚିଂ ସେଣ୍ଟର ସ୍ଥାପନ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଜିଲ୍ଲା ପାଠାଗାରକୁ ଏକ ନୂଆ ରୂପ ଦେବାରେ ମଧ୍ଯ ତାଙ୍କର ସକ୍ରିୟ ଭୂମିକା ରହିଛି। ଏଥି ଯୋଗୁଁ ଅନେକ ଯୁବକ ଯୁବତୀ ଉପକୃତ ହୋଇପାରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ବେକାର ଯୁବକ ଯୁବତୀଙ୍କ ନିଯୁକ୍ତି ହେଉ କିମ୍ୱା ଆତ୍ମ ସମର୍ପଣ କରିଥିବା ନକ୍ସଲ ମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରି ନିଯୁକ୍ତି ପ୍ରଦାନ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତାଙ୍କର ବହୁତ୍ ଅବଦାନ ରହିଛି। ବିଏସଏଫ୍ ସହଭାଗିତାରେ ଜିଲ୍ଲାର ସମସ୍ତ ବ୍ଲକ୍ ବିଶେଷ ଭାବେ ସ୍ବାଭିମାନ ଅଞ୍ଚଳ ଓ ପଡିଆ ର ଦୁର୍ଗମ ଅଞ୍ଚଳରେ ଅନେକ କ୍ୟାରିୟର କାଉନସେଲିଂ କ୍ୟାମ୍ପ ଓ ନିଯୁକ୍ତି ମେଳା ଆୟୋଜନ କରିବା ଶ୍ରୀ ସେଠୀଙ୍କର ଅନ୍ୟତମ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ମଧ୍ୟ କାର୍ଯ୍ୟକ୍ରମରେ କୁହାଯାଇଥିଲା।ଜିଲ୍ଲା ଲୋକ ମହୋତ୍ସବ ମାଲ୍ୟବନ୍ତ ରେ ମଧ୍ଯ ତାଙ୍କର ସକ୍ରିୟ ଭୂମିକା ରହିଥିଲା ଏବଂ ସେ ସୂଚାରୁ ରୂପେ ସମସ୍ତ ଦାୟିତ୍ବ ନିର୍ବାହ କରିଛନ୍ତି ବୋଲି କୁହାଯାଇଥିଲା । ଜଣେ ଭଲ ଅଧିକାରୀ ସହ ଶାନ୍ତ ସ୍ଵଭାବ ବିଶିଷ୍ଟ ଜଣେ ଭଲ ମଣିଷ ଭାବେ ଜିଲ୍ଲାରେ ତାଙ୍କ ନାମ ରହିଛି ବୋଲି ମଧ୍ଯ ଅତିଥି ମାନେ କହିଥିଲେ। ତାଙ୍କର ନଭେମ୍ବର ୨୦୨୦ ରେ ଚାକିରୀ ଜୀବନର ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା ମାଲକାନଗିରି ଜିଲ୍ଲାରେ। ଜିଲ୍ଲାରେ ଦୀର୍ଘ ଚାରି ବର୍ଷରୁ ଅଧିକ ସମୟ ରହଣୀ କାଳରେ ଅନେକ ସୁନ୍ଦର ସ୍ମୃତି ସାଉଁଟିଛି ବୋଲି ଶ୍ରୀ ସେଠୀ ନିଜ ବକ୍ତବ୍ୟରେ କହିଥିଲେ। ଏହି ଅବସରରେ ଶ୍ରୀ ସେଠୀଙ୍କୁ କିଛି ସ୍ମୃତି ସନ୍ତକ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ୱର୍ଦ୍ଧନା କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିନାଶ ମିଶ୍ର ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହରେକୃଷ୍ଣ କୀର୍ତ୍ତନିଆ, ରଞ୍ଜନ ମହାନ୍ତି, କେ ଦେଶୀ ରାଜା ଆଚାରୀ, ଗୁରୁ ଦତ୍ତ ବେହେରା, ବିକ୍ରମ ପାଢ଼ୀ, ଦେବଦତ୍ତ ବେହେରା ଓ ଗୁରୁକୁଳର ଅନ୍ତେବାସୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande