ସମ୍ବଲପୁର, ୦୨ ଜୁନ୍ (ହି.ସ.) - ପୌରାଣିକ କଥାବସ୍ତୁ ଉପରେ ଆଧାରିତ ୪୦୦ବର୍ଷର ସମୃଦ୍ଧ, ଧାର୍ମିକ ଓ ଆଧ୍ୟାତ୍ମିକ ପରମ୍ପରାକୁ ବହନ କରୁଥିବା ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ପାଇଁ ସହରରେ ଲକ୍ଷଲକ୍ଷ ଲୋକଙ୍କ ମହାଘ୍ୟ ସମାଗମ ହୋଇଛି । ଗତକାଲି ଦେବଦେବ ମହାଦେବ ଓ ମାତା ପାର୍ବତୀଙ୍କ ଲୌକିକ ବିବାହ ପରେ ଭକ୍ତଜନକୁ ଯୁଗଳ ଦର୍ଶନ ଦେବା ପାଇଁ ଯାତ୍ରାରେ ବାହାରିଛନ୍ତି । ଶିବ ଓ ଶକ୍ତିଙ୍କ ଏହି ଅନନ୍ୟ ସ୍ୱରୂପକୁ ଦର୍ଶନ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତ ମାନେ ସମ୍ବଲପୁର ଧାଇଁ ଆସିଛନ୍ତି । ସମ୍ବଲପୁର ଲୋକସଭା ସଦସ୍ୟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ବିଭିନ୍ନ ପଡାକୁ ଯାଇ ଶିବପାର୍ବତୀଙ୍କ ଦର୍ଶନ କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତଚରଣ ଦାସ, ଓଡିଶା ପ୍ରଦେଶ ବିଜେପି ପ୍ରଭାରୀ ବିଜୟପାଲ ସିଂ ତୋମାର, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ପଂଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ, ପୂର୍ବତନ ମନ୍ତ୍ରୀ ରୋହିତ ପୁଝାରୀ, ପରିବହନ ମନ୍ତ୍ରୀ ବିଭୁତିଭୂଷଣ ଜେନାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବିଭିନ୍ନ ମନ୍ଦିରକୁ ଯାଇ ଦେବ ଦମ୍ପତିଙ୍କ ଦର୍ଶନ ସହ ମାଁ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା କରିଛନ୍ତି । ଏତଦ୍ ବ୍ୟତିତ ବହୁ ବିଧାୟକ, ସାଂସଦ ଓ ସାଧୁସନ୍ଥ ମଧ୍ୟ ଉପସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନାଯୋଗ୍ୟ, ବ୍ରଜରାଜନଗର ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁରେଶ ପୁଝାରୀ ଚଳିତବର୍ଷ ଲୋକନାଥ ବାବାଙ୍କ ବିବାହ ପାଇଁ ପାର୍ବତୀଙ୍କ କନ୍ୟା ପକ୍ଷ ଭୂମିକା ନିର୍ବାହ କରୁଛନ୍ତି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ