ମହାପ୍ରଭୁଙ୍କ ସେନାପଟା ଲାଗି ପାଇଁ ବଉଳଗଛ ଚିହ୍ନଟ ଓ ଛେଦନ
ପୁରୀ, ୨ ଜୁନ୍ (ହି.ସ.)- ଜୁନ ୨୭ ତାରିଖ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ରତ୍ନସିଂହାସନ ଛାଡି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସେନାପଟା ଲାଗି ବଉଳ
ମହାପ୍ରଭୁଙ୍କ ସେନାପଟା ଲାଗି ବଉଳଗଛ ଚିହ୍ନଟ ଓ ଛେଦନ


ପୁରୀ, ୨ ଜୁନ୍ (ହି.ସ.)- ଜୁନ ୨୭ ତାରିଖ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ପ୍ରସ୍ତୁତି । ରତ୍ନସିଂହାସନ ଛାଡି ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି । ମହାପ୍ରଭୁଙ୍କ ପହଣ୍ଡି ସମୟରେ ଶ୍ରୀଅଙ୍ଗକୁ ସୁରକ୍ଷା ଦେବା ପାଇଁ ସେନାପଟା ଲାଗି ବଉଳଗଛ କାଠ ଆବଶ୍ଯକ । ଏଥି ନିମନ୍ତେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମେ ୭ ତାରିଖରେ ୪ ଫୁଟ ଗୋଲେଇ ସହ ୧୦ ଫୁଟ ଉଚ୍ଚତା ଭିତରେ ବଉଳଗଛ କାଠ ଆବଶ୍ୟକ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଭୁବନେଶ୍ବର ଜୟଦେବ ବିହାରର ଇଞ୍ଜିନିୟର ଗଣେଶ ଚନ୍ଦ୍ର ପଣ୍ଡା ଏହି ବିଜ୍ଞପ୍ତି ପଢି ଶ୍ରୀମନ୍ଦିର ପ୍ରଶାସନ ସହ ତାଙ୍କ ବାଡିରେ ଥିବା ୪ ଫୁଟ ଗୋଲେଇ ଓ ୬୦ ଉଚ୍ଚତା ବଉଳଗଛର ଫଟୋ ସହ ଯୋଗାଯୋଗ କରିଥିଲେ । ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ମେ ୧୭ ତାରିଖ ଦିନ ରଥକାଠ ତତ୍ତ୍ବାବଧାରକ ସୁଦର୍ଶନ ମେକାପଙ୍କ ସହ ଭୋଇ ସର୍ଦ୍ଦାର ରବି ଭୋଇ ଓ ବରିଷ୍ଠ ଅଧିକାରୀ ମାନେ ଭୁବନେଶ୍ବରରେ ଶ୍ରୀ ପଣ୍ଡାଙ୍କ ବାଡିପଟେ ବଉଳଗଛ ଚିହ୍ନଟ କରିଥିଲେ । ଚିହ୍ନଟ ହେବା ପରେ ଶ୍ରୀ ପଣ୍ଡାଙ୍କ ସମେତ ଆଖପାଖ ସ୍ଥାନୀୟ ବାସିନ୍ଦା ମାନଙ୍କ ଆଖିରୁ ଆନନ୍ଦର ଅଶ୍ରୁ ଝରିପଡିଥିଲା । ସେନାପଟା ନୀତି ପାଇଁ ଭୁବନେଶ୍ବର ଜୟଦେବ ବିହାରର ଇଞ୍ଜିନିୟର ଗଣେଶ ଚନ୍ଦ୍ର ପଣ୍ଡାଙ୍କ ବାଡିରୁ ବଉଳଗଛ କାଠ ଯିବା ଶୁଣି ସେଠାରେ ପୂଜାର୍ଚ୍ଚନା ଲାଗି ରହିଥିଲା । ବଉଳ ବୃକ୍ଷକୁ ସୋମବାର ୨ ତାରିଖ ଦିନ ଛେଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତତ୍ତ୍ବାବଧାରକ ସୁଦର୍ଶନ ମେକାପ ସହ ଭୋଇ ସର୍ଦ୍ଦାର ରବି ଭୋଇଙ୍କ ସମେତ ଅନ୍ଯ ସହଯୋଗୀ ସେବକ ମାନେ ଆସି ପହଞ୍ଚିଥିଲେ । ସେଠାରେ ନୃସିଂହ ମନ୍ତ୍ର ସହ ପୂଜାର୍ଚ୍ଚନା ପରେ ବୃକ୍ଷ ଛେଦନ କାର୍ଯ୍ୟ ଆରମ୍ଭ ହୋଇଥିଲା । ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ବଉଳଗଛର କାଠ ଦରକାର । ଶ୍ରୀ ପଣ୍ଡାଙ୍କ ବାଡିରେ ଥିବା ବଉଳଗଛ ମୂଳରେ ଆରମ୍ଭ ହୋଇଛି ଯଜ୍ଞ ଓ ସଂକୀର୍ତ୍ତନ । ଧୂପ ଦୀପ ସହ ହରିବୋଲ ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି । ଶ୍ରୀ ପଣ୍ଡା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜଣେ ଭକ୍ତ । ତାଙ୍କ ପରିବାର ସମେତ ବନ୍ଧୁବାନ୍ଧବ ଭକ୍ତି ଭାବବିହ୍ବଳ ସହ ସେଠାରେ ବହୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ପରିଲକ୍ଷିତ ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande