ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ
ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଏକ ଭାରତ – ଶ୍ରେଷ୍ଠ ଭାରତର ଭାବନାକୁ ମଜବୁତ୍ କରୁଛି ଭୁବନେଶ୍ୱର, ୦୨ ଜୁନ (ହି.ସ) - ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଓଡିଶାର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟିଙ୍କ ଉପସ୍ଥିତିରେ ସୋମବାର ଅହରାହ୍ନରେ ରାଜଭବନର ନ୍
ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ


ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଏକ ଭାରତ – ଶ୍ରେଷ୍ଠ ଭାରତର ଭାବନାକୁ ମଜବୁତ୍ କରୁଛି

ଭୁବନେଶ୍ୱର, ୦୨ ଜୁନ (ହି.ସ) - ରାଜଭବନରେ ଗୋଆ ଓ ତେଲାଙ୍ଗାନାର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଓଡିଶାର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମ୍‌ପାଟିଙ୍କ ଉପସ୍ଥିତିରେ ସୋମବାର ଅହରାହ୍ନରେ ରାଜଭବନର ନ୍ୟୁ ଅଭିଷେକ ହଲ୍‌ଠାରେ ଏହି ଉପଲକ୍ଷେ ଏକ ସ୍ୱତନ୍ତ୍ର ସମାରୋହ ଆୟୋଜିତ ହୋଇଥିଲା। ଓଡିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ସରକାରୀ କାର୍ଯ୍ୟରେ ଭିଏତନାମ୍ ଗସ୍ତରେ ଥିବାରୁ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତା ଗୋଆ ଏବଂ ତେଲାଙ୍ଗାନର ଅଧିବାସୀମାନଙ୍କୁ ଅବଗତ କରାଯାଇଥିଲା । ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନବିଏସ୍ ରାଜପୁତ କହିଥିଲେ ଯେ, ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ “ଏକ ଭାରତ – ଶ୍ରେଷ୍ଠ ଭାରତ”ର ଭାବନାକୁ ସୁଦୃଢ଼ କରୁଛି । ଗୋଆ ଓ ତେଲାଙ୍ଗାନା ରାଜ୍ୟର ଅଧିବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ କହିଥିଲେ ଯେ, ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ବିଭିନ୍ନ ସଂସ୍କୃତି, ପରଂପରା ଏବଂ ଆକାଂକ୍ଷାକୁ ଏକ ସହଭାଗୀ ଜାତୀୟ ପରିଚୟରେ ଏକତ୍ର କରିଥାଏ। ଗୋଆ ଏବଂ ତେଲେଙ୍ଗାନା ଉଭୟ ଆମ ମହାନ ରାଷ୍ଟ୍ରର ଅବିନାଶୀ ସ୍ତମ୍ଭ, ଯାହାର ସ୍ୱତନ୍ତ୍ର ଭାଷା, ସଂସ୍କୃତି, ପ୍ରଥା, ପରଂପରା ଏବଂ ଐତିହ୍ୟ ରହିଛି। ଆରବସାଗର କୂଳରେ ଅବସ୍ଥିତ ଗୋଆ, ଏହାର ସୁନ୍ଦର ବେଳାଭୂମି ଏବଂ ଜୀବନ୍ତ ସଂସ୍କୃତି ପାଇଁ ପ୍ରସିଦ୍ଧ। ଗୋଆ ୧୯୬୧ ମସିହାରେ ପର୍ତୁଗୀଜ ଶାସନରୁ ମୁକ୍ତ ହେବା ପରେ ଭାରତର ଏକ ଅଙ୍ଗ ହୋଇ ୧୯୮୭ ମସିହା ମଇ ୩୦ ତାରିଖରେ ଏକ ପୂର୍ଣ୍ଣାଙ୍ଗ ରାଜ୍ୟର ମାନ୍ୟତା ପାଇଥିଲା। ଏହା ଏକ ସମୃଦ୍ଧ ରାଜ୍ୟ ଓ ଏହାର ଗୌରବମୟ ପରଂପରା ରହିଛି। ସେହିପରି ତେଲାଙ୍ଗାନା ୨୦୧୪ ଜୁନ୍ ୨ ତାରିଖରେ ପ୍ରତିଷ୍ଠା ହୋଇଥିଲା। ବିବିଧ ଭାଷା ଓ ସଂସ୍କୃତିର ରାଜ୍ୟ ତେଲାଙ୍ଗାନା ହେଉଛି ଭାରତର ଉତର ଓ ଦକ୍ଷିଣ ମଧ୍ୟରେ ସଂଯୋଗସ୍ଥଳୀ। ଅନେକ ରାଜବଂଶ ଦ୍ୱାରା ଶାସିତ ହୋଇଥିବା ଏହି ଭୂମି ଭାରତର ବିବିଧ ସଂସ୍କୃତି ଏବଂ ଅନ୍ତର୍ଭୂକ୍ତିର ସର୍ବୋତମ ଉଦାହରଣ ସୃଷ୍ଟି କରିଛି। ପର୍ବପର୍ବାଣୀ ଏହାର ଐତିହାସିକ, ପରିବେଶଗତ, ସାମାଜିକ ଏବଂ ଧାର୍ମିକ ଗୁରୁତ୍ୱକୁ ପ୍ରତିଫଳିତ କରେ। ବଙ୍ଗୋପସାଗର କୂଳରେ ଅବସ୍ଥିତ ଓଡିଶା ସାଂସ୍କୃତିକ ବିବିଧତା, ସମୃଦ୍ଧ ମନ୍ଦିର ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟର ସମୃଦ୍ଧ ମିଶ୍ରଣ ପାଇଁ ପ୍ରସିଦ୍ଧ। ଗୋଆ ଏବଂ ତେଲେଙ୍ଗାନାର ଅନେକ ମୂଳବାସିନ୍ଦା ଓଡିଶାକୁ ନିଜର ଦ୍ୱିତୀୟ ଘର ଭାବେ ମନେକରନ୍ତି। ଗୋଆ ଓ ତେଲାଙ୍ଗାନାର ଅନେକ ଛାତ୍ରଛାତ୍ରୀ ଓଡିଶାରେ ଶିକ୍ଷା ଗ୍ରହଣ କରି କ୍ୟାରିଅର ନିର୍ମାଣ କରୁଛନ୍ତି ଏବଂ ବୃତିଧାରୀ ବୃତି ଗ୍ରହଣ କରି ଓଡିଶାର ବୌଦ୍ଧିକ ଓ ସାଂସ୍କୃତିକ ସମୃଦ୍ଧିରେ ଯୋଗଦାନ ଦେଉଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ରାଜପୁତ କହିବା ସହିତ ବିବିଧତା ମଧ୍ୟରେ ଏକତାର ବନ୍ଧନକୁ ସୁଦୃଢ଼ କରିବା ଏବଂ ଆମର ସହଭାଗୀ ଐତିହ୍ୟକୁ ଋଦ୍ଧିମନ୍ତ କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋଆର ରାଜ୍ୟପାଳ ପି.ଏସ୍ ଶ୍ରୀଧରନ୍ ପିଲାଇ ଏବଂ ତେଲାଙ୍ଗାନାର ରାଜ୍ୟପାଳ ଜୀଷ୍ଣୁ ଦେବ ବର୍ମାଙ୍କ ଶୁଭେଚ୍ଛା ବାର୍ତା ଭିଡିଓ ମାଧ୍ୟମରେ ପ୍ରଦର୍ଶିତ ହୋଇଥିଲା ।

ଗୋଆ ଓ ତେଲାଙ୍ଗାନାର ଅଧିବାସୀ ନିଜ ନିଜ ରାଜ୍ୟର ସାଂସ୍କୃତିକ ଐତିହ୍ୟ ଓ ମହାନତା ବର୍ଣ୍ଣନା କରିବା ସହ ଓଡିଶା ସହିତ ନିଜ ରାଜ୍ୟର ସୁସଂପର୍କ ବିଷୟରେ ଅବତାରଣା କରିଥିଲେ । ଏହି ଅବସରରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ବିଭିନ୍ନ ଅନୁଷ୍ଠାନ ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande