ପୁରୀ, ୨ ଜୁନ୍ (ହି.ସ.)- ଆଜକୁ ୧୭ ଦିନ ହେଲାଣି ଜ୍ଯୋତି ମାଲହୋତ୍ରା ଲିଙ୍କରେ ଥିବା ପୁରୀର ପ୍ରିୟଙ୍କା ସେନାପତିଙ୍କୁ ଜେରା କରାଯାଇଥିବା ବେଳେ କାହିଁକି ଜନତାଙ୍କୁ ଏ ବିଷୟରେ ଜଣାଇ ଦିଆଯାଉନାହିଁ ବୋଲି ସାଧାରଣରେ ଆଲୋଚିତ ହେଉଛି । ଦେଶର ଗୁପ୍ତ ତଥ୍ଯକୁ ଭଙ୍ଗକରି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ସୁନ୍ଦରୀ ଲଳନା ଜ୍ଯୋତି ମାଲହୋତ୍ରାଙ୍କୁ ଏନଆଇଏ ଗିରଫ କରିଥିବା ବେଳେ ପ୍ରିୟଙ୍କା ସମ୍ପର୍କରେ କଣ ରହସ୍ଯ ରହିଛି ପୋଲିସ ଫର୍ଦ୍ଦାଫାଶ କରିବା ପାଇଁ ଏତେ ବିଳମ୍ବ କାହିଁକି ହେଉଛି ବୋଲି ବଡଦାଣ୍ଡରେ ଆଲୋଚିତ ହେଉଛି । ପ୍ରିୟଙ୍କାଙ୍କୁ ଘଣ୍ଟ ଘୋଡାଉଛି କିଏ ? ଏତେ କମ ବୟସରୁ କେଉଁ କେଉଁ ରାଜନେତାଙ୍କ ସହ ପ୍ରିୟଙ୍କା ଫଟୋ ଉଠାଇ ପୋଷ୍ଟ କରିଥିଲେ ସେ ସମ୍ପର୍କରେ ଚର୍ଚ୍ଚା ହେଉଛି ।
ଶୁଣାଯାଉଛି, ଗତ କିଛିମାସ ତଳେ ସମୁଦ୍ରକୂଳର ଏକ ନାମୀଦାମୀ ହୋଟେଲରେ ପ୍ରିୟଙ୍କା ଜନ୍ମଦିନ ପାଳନ କରିବା ପାଇଁ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରିଥିଲେ । ସେ ସମ୍ପର୍କରେ ତାର ସାଙ୍ଗସାଥୀ ମାନେ କୁହାକୁହି ହେଉଛନ୍ତି । ଜ୍ଯୋତି ମାଲହୋତ୍ରା ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇ ଖସିଯିବା ପାଇଁ କିପରି ସମର୍ଥ ହେଲେ ତାହା ମଧ୍ୟ ଆଲୋଚନା ହେଉଛି । ଦେଶର ଗୁରୁତ୍ୱପୂର୍ଣ୍ଣ ଏହି ଘଟଣାକୁ ନେଇ କାହିଁକି ଏତେ ବିଳମ୍ବ ହେଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି । ଜ୍ଯୋତି ମାଲହୋତ୍ରା ଶ୍ରୀମନ୍ଦିର ଭିତରକୁ ଯାଇଥିଲେ କି ନାହିଁ ସେ ସମ୍ପର୍କରେ ରହସ୍ଯ ଲୁଚି ରହିଛି । ପ୍ରିୟଙ୍କାଙ୍କ ସମ୍ପର୍କରେ ସମସ୍ତ ତଥ୍ଯ ଜନତାଙ୍କୁ ଜଣାଇବା ପାଇଁ ସାଧାରଣରେ ଆଲୋଚନା ହେଉଛି ।
ହିନ୍ଦୁସ୍ଥାନ ସମାଚାର / ବିଜୟ