କେନ୍ଦୁଝର, ୨୦ ଜୁନ୍ (ହି.ସ.)-
କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଦେଓବନ୍ଧ ପ୍ରାଥମିକ ବିଦ୍ୟାଳୟ ଘଟିଛି ଏକ ଅଘଟଣ। ଆଜି ବିଦ୍ୟାଳୟ ଖୋଲିବାର ପ୍ରଥମ ଦିନରେ ଘଟିଛି ଏହି ଅଘଟଣ।ବିଦ୍ୟାଳୟ ଛାତରୁ ପ୍ଲାଷ୍ଟର ଖସି ପଞ୍ଚମ ଶ୍ରେଣୀର ଜଣେ ଛାତ୍ରଙ୍କ ମୁଣ୍ଡ ଫାଟିଛି। ଛାତ୍ର ଜଣକ ସାନଜିଉଳି ଗ୍ରାମର ଦିବ୍ୟାସୁଂ ମହାନ୍ତି ବୋଲି ଜଣାପଡିଛି। ଛୁଟି ଖୋଲିବା ପରେ ଆଜି ପ୍ରଥମ କରି ବିଦ୍ୟାଳୟ ଆସିଥିବା ଦିବ୍ୟାସୁଂଙ୍କ ଉପରେ ହଠାତ୍ ଛାତରୁ ପ୍ଲାଷ୍ଟର ଖସି ମୁଣ୍ଡ ଉପରେ ପଡିଥିଲା । ଏହା ଫଳରେ ତାଙ୍କ ମୁଣ୍ଡ ଫାଟିବା ସହିତ ସେ ଗୁରୁତର ହୋଇପଡିଥିଲେ ।
ତେବେ ବିଦ୍ୟାଳୟରେ ଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଦାୟିତ୍ବହୀନତା ଭାବେ ଗୁରୁତର ଛାତ୍ରଙ୍କ କୈାଣସି ଚିକିତ୍ସା ନକରି ଅନ୍ୟ ଏକ ତଳ ଶ୍ରେଣୀ ଛାତ୍ର ସହିତ ଘରକୁ ପଠାଇ ଦେଇଥିଲେ । ଏହାକୁ ନେଇ ବିଦ୍ୟାଳୟ ପରିସରରେ କିଛି ସମୟ ପାଇଁ ଉତେଜନା ପରିସ୍ଥିତି ହୋଇଥିଲା । ଗୁରୁତର ଛାତ୍ରଙ୍କ ଅଭିଭାବକ ମାନେ ଏହି ଦାୟିତ୍ବହୀନ ଘଟଣା ନେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଏନେଇ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA