କନ୍ଧମାଳ, ୨୧ ଜୁନ୍(ହି.ସ.) – ସ୍ୱେଛାସେବୀ ଅନୁଷ୍ଠାନ ଅଗ୍ରଗାମୀ ଓ ହର୍ଷା ଟ୍ରଷ୍ଟର ପକ୍ଷରୁ ଫୁଲବାଣୀ ପଂଚାୟତ ଭବନ ସମ୍ମିଳନୀ କକ୍ଷରେ ନିରନ୍ତର କୃଷିରେ ମହିଳା ଚାଷୀଙ୍କ ସମସ୍ୟା ସମ୍ପର୍କରେ ଏକ ଦୁଇ ଦିନିଆ ମହିଳା ସମାବେଶ ଜୁନ ୨୦ତାରିଖରେ ଉଦଘାଟିତ ହୋଇଯାଇଛି। ହର୍ଷା ଟ୍ରଷ୍ଟର ଅଧ୍ୟକ୍ଷ ଡ ଅରବିନ୍ଦ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହିଳା ସମ୍ମିଳନୀରେ ଅଗ୍ରଗାମୀର ନିର୍ଦ୍ଦେଶକ ଅଚ୍ୟୁତ ଦାସ ସ୍ୱାଗତ ଜଣାଇ ସମ୍ମିଳନୀ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। କୃଷି କାର୍ଯ୍ୟରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। କନ୍ଧମାଳ ଜିଲ୍ଲାରେ ପୁରୁଷମାନେ କେବଳ ହଳକାର୍ଯ୍ୟ କରୁଥିବାବେଳେ ମହିଳାମାନେ ଚାରାରୋପଣ, ଘାସ ବାଛିବା, ଜଗାରଖା କରିବା, ଅମଳ କରିବା ଏବଂ ବିକ୍ରୟ କରିବା ଇତ୍ୟାଦି କରିଥାନ୍ତି। କିନ୍ତୁ କୃଷିକ୍ଷେତ୍ରରେ ସେମାନଙ୍କ ପରିଶ୍ରମକୁ ଉପଯୁକ୍ତ ମର୍ଯ୍ୟାଦା ମିଳେନାହିଁ। ସରକାର ବିଭିନ୍ନ ଯୋଜନାରେ ଯୋଗାଇ ଦେଉଥିବା ମଞ୍ଜି, ବିହନ, ସାର, କୀଟନାଶକ ଓ ଋଣ ଇତ୍ୟାଦି ସଠିକ ସମୟରେ ମିଳେ ନାହିଁ। କନ୍ଧମାଳ ଜିଲ୍ଲାରେ ସଂରକ୍ଷଣର ସୁବିଧା ନାହିଁ, ବିକ୍ରୟ ବ୍ୟବସ୍ଥା ନାହିଁ, ସର୍ବନିମ୍ନ ସହାୟକ ମୂଲ୍ୟ ମିଳେନାହିଁ। ଦେଢ଼ଲକ୍ଷରୁ ଅଧିକ କୃଷକ ପରିବାର ପାଇଁ କୃଷି ଓ ପ୍ରାଣୀପାଳନ ପାଇଁ ଗବେଷଣା କେନ୍ଦ୍ର ନାହିଁ। ସେଠାରେ ପ୍ରଶାସନ ଅନ୍ୟ ଶିକ୍ଷା ଓ ନ୍ୟାୟିକ ଅନୁଷ୍ଠିତ ନିର୍ମାଣ କରିଛନ୍ତି। ଏହିସବୁ ସମସ୍ୟାର ସମାଧାନ ପାଇଁ ସ୍ଥାୟୀ କୃଷି ନୀତି ଓ କୃଷି କାର୍ଯ୍ୟର ସମସ୍ୟାଗୁଡ଼ିକ ଉପସ୍ଥାପନ କରିବା ପାଇଁ ଏହି ଦୁଇଦିନିଆ ମହିଳା ସମାବେଶ ଅନୁଷ୍ଠିତ ହୋଇଛି। କନ୍ଧମାଳ ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା କୃଷି, ଉଦ୍ୟାନ, ପ୍ରାଣୀପାଳନ, ଜଳ, ଜମି ପରିଚାଳନା ପାଇଁ ଆସୁଥିବା ଅନୁଦାନ ପାଇବାରେ ମହିଳା ଚାଷୀମାନେ କିପରି ଅଧିକ ସାମିଲ ହୋଇପାରିବେ ସେ ସମ୍ପର୍କରେ ଜିଲା କୃଷି ସମ୍ପର୍କିତ ପଦଧିକାରୀ ଓ ଭୁବନେଶ୍ୱରର ବହୁ ବୈଜ୍ଞାନିକ ଯୋଗଦେଇ ଆଲୋଚନା କରିଥିଲେ। କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକର ପ୍ରାୟ ଦୁଇଶହରୁ ଅଧିକ ଅଗ୍ରଣୀ ଚାଷୀ ଆଲୋଚନାରେ ଭାଗ ନେଇଥିଲେ। ସମନ୍ୱିତ ଚାଷ ଉପରେ ଗୁରୁତ୍ୱଆରୋପ କରାଯାଇଥିଲା। ଅବସର ପ୍ରାପ୍ତ ଆଇଏଏସ୍ ସୁରେଶ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ମାଲିକାନା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଗ୍ରଗାମୀର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ବିଦ୍ୟା ଦାସ, ହର୍ଷା ଟ୍ରଷ୍ଟର ଶ୍ରୀମତୀ ରଶ୍ମି ଆଦଲେଖା, ଡ. ଦୀପ୍ତୀମୟୀ ଜେନା, ମାଟି ବୈଜ୍ଞାନିକ ଡ. ସୁଶାନ୍ତ ପଟ୍ଟନାୟକ, ଇଂ. ପିକେ ପାଇକରାୟ, ଡ. ଗୋବିନ୍ଦ ଆଚାର୍ଯ୍ୟ, ଭିଲେଜ ମାର୍ଟର ରମେଶ ବିଶ୍ୱାଳ, ସିଫାର ଡ. ନଗେଶ ବାରିକ, ଡ. ସୁଶାନ୍ତ କୁମାର ଜଟା, ଏସ୍ଡିଭିଓ ଡଃ ପ୍ରଭାତ କୁମାର ମିଶ୍ର, ଉଠାଜଳସେଚନ ଯନ୍ତ୍ରୀ ଜଗନ୍ନାଥ ପୁହାଣ, ଫୁଲବାଣୀ ବ୍ଲକ କୃଷି ଅଧିକାରୀ ସୁନିତା ମିଶ୍ର, ପ୍ରମୁଖ ଯୋଗଦେଇ ବିଭିନ୍ନ କୃଷି ସମ୍ପର୍କିତ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ବିଭିନ୍ନ ବ୍ଲକରୁ ଆସିଥିବା ମହିଳା ଚାଷୀଙ୍କ ମଧ୍ୟରୁ ଜଟଣି କହଁର, ନମିତା ମଲ୍ଲିକ, ଜୟନ୍ତୀ ପ୍ରଧାନ, ଲୁସିମା ପ୍ରଧାନ, କ୍ଷୀରାମତି ନାୟକ, ରାଜଲକ୍ଷ୍ମୀ ସାମନ୍ତରାୟ, ବିଳାସିନୀ ନାୟକ, ସରସ୍ୱତୀ ପ୍ରଧାନ, ଯଶୋଦା କହଁର, ମମତା କହଁର ପ୍ରମୁଖ ବହୁ ମହିଳା ଚାଷୀ ଜିଲ୍ଲାରେ କୃଷି ସମ୍ପର୍କିତ ସମସ୍ୟା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ରଖିଥିଲୋ। ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘର ଆବାହକ ହରିଶଙ୍କର ରାଉତ, ଜାଗୃତିର କୈଳାସ ଦଣ୍ଡପାଟ, ସାମାଜିକ କର୍ମୀ ଅଶୋକ ପରିଡ଼ା, ଶାନ୍ତି ମୈତ୍ରୀର ଭଗବାନ ଜେନା, ସାହାରର ସୁକାନ୍ତ ନାୟକ, ବରଦା ନାୟକ, ସାଲୁଙ୍କିର ଅଶୋକ ପ୍ରଧାନ ସମେତ ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା ଆଲୋଚନାରେ ଭାଗ ନେଇଥିଲେ। ଜିଲ୍ଲାରେ ଭୂଗର୍ଭସ୍ଥ ଜଳସ୍ତର ବୃଦ୍ଧି ସହ ଜଳସେଚନ ଓ କୃଷି ଜାତ ଶିଳ୍ପ ପ୍ରତିଷ୍ଠା ଓ ଫଳ ପନିପରିବା ପ୍ରକ୍ରିୟା କରଣ ଉପରେ ଗୁରୁତ୍ୱ ଦେଇଥିଲେ। ଶେଷରେ ଜିଲାକୁ ଏକ ଜୈବ ଜିଲାରେ ପରିଣତ କରିବାକୁ ୧୩ଦଫା ସମ୍ବଳିତ ଏକ ପ୍ରସ୍ତାବ ଗୃହୀତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିବାକୁ ନିଷ୍ପତି ନିଆଯାଇଥିଲା। ହର୍ଷା ଟ୍ରଷ୍ଟ ଓ ଅଗ୍ରଗାମୀର ସମସ୍ତ ସ୍ୱେଚ୍ଛାସେବୀ ଓ କର୍ମଚାରୀ ଏହି ସମ୍ମିଳନୀ ଆୟୋଜନରେ ପୂର୍ଣ୍ଣ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ