ସମ୍ବଲପୁର, ୨୧ ଜୁନ୍ (ହି.ସ.)-
ସମ୍ବଲପୁରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ଗାଁ ଗାଁରେ ଯୋଗ ଉପରେ ସଚେତନତା ସୃଷ୍ଟି କରିବା
ଅନାଦି ଅନନ୍ତ କାଳରୁ ଭାରତରେ ଜନ୍ମ ନେଇଥିବା ଯୋଗ ଅଭ୍ୟାସ ବିଶ୍ୱରେ ଏକ ଜନଆନ୍ଦୋଳନରେ ପରିଣତ ହେଉଛି । ଯୋଗ ; ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ ବୋଲି ଶନିବାର ସମ୍ବଲପୁରରେ ୧୧ତମ ‘ଅନ୍ତର୍ଜାତୀୟ ଯୋଗ ଦିବସ’ ପାଳନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ସମ୍ବଲପୁରର ମାଆ ସମଲେଶ୍ୱରୀଙ୍କ ପୀଠ ଓ ମହାନଦୀର ଉପକୂଳ ଅଞ୍ଚଳରେ ସମ୍ବଲପୁରର ଜନସାଧାରଣଙ୍କ ସହ ଯୋଗ କରିବା ସହ ଏହି ଦିବସର ଶୁଭେଚ୍ଛା ଜଣାଇଥିଲେ । ବିଶେଷ ଭାବରେ ସ୍କୁଲରୁ ବିଶ୍ୱବିଦ୍ୟାଳୟ ସ୍ତରର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ, ସାମାଜିକ ସଂଗଠନ, ସରକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ସଂଗଠନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀଙ୍କ ସହ ସମବେତ ହୋଇ ଯୋଗ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷିତ ଯୋଗ ଦିବସ -୨୦୨୫ ବିଷୟବସ୍ତୁ ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ’ ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ସେ କହିଥିଲେ, ଯୋଗ ଭାରତର ପ୍ରାଚୀନ ସଂସ୍କୃତିର ଏକ ଅମୂଲ୍ୟ ଉପହାର । ୨୦୧୪ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜୁନ ୨୧କୁ ଆନ୍ତର୍ଜାତିକ ସ୍ତରରେ ଯୋଗ ଅଭ୍ୟାସ ପୂର୍ବକ ଯୋଗ ଦିବସ ପାଳନ ପାଇଁ ପ୍ରଥମେ ପ୍ରସ୍ତାବ ଦେଇଥିଲେ । ଭାରତର ପ୍ରସ୍ତାବକୁ ୧୫୦ରୁ ଅଧିକ ଦେଶ ସମର୍ଥନ ଦେଇଥିଲେ । ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି ପାଇଁ ଯୋଗ ଏକ ସିଦ୍ଧ ଉପଚାର ଅଟେ । ବ୍ଲଡ ପ୍ରେସର, ମଧୁମେହ ଭଳି ରୋଗକୁ ପ୍ରତିହତ କରିବା ପାଇଁ ଆମକୁ ଏକ ସୁସ୍ଥ ଜୀବନଶୈଳୀକୁ ବିକଶିତ କରିବା ପାଇଁ ପଡ଼ିବ । ଏଥିପାଇଁ ଜାତୀୟ ଶିକ୍ଷା ନୀତିରେ ମଧ୍ୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।
ସମ୍ବଲପୁରର ଗୋଟିଏ ଚରିତ୍ର, ସଂସ୍କୃତି ଓ ଉତ୍ସାହ ଅଛି । ଶାରିରୀକ ସୁସ୍ଥତାରେ ସମ୍ବଲପୁର ରାଜ୍ୟ ଓ ଦେଶର ପ୍ରମୁଖ ଅଞ୍ଚଳ ଭାବରେ ଉଭା ହେଉଛି । କ୍ରୀଡ଼ା, ବ୍ୟାୟାମ, କୁସ୍ତି ତଥା ପ୍ରାତଃ ଭ୍ରମଣ ଓ ସଂଧ୍ୟା ଭ୍ରମଣ ଲୋକମାନଙ୍କ ଦୈନନ୍ଦିନ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ହୋଇଛି । ସମସାମୟିକ ସମୟରେ ଆମକୁ ସମ୍ବଲପୁରକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ପଡ଼ିବ । ଆଗାମୀ ଦିନରେ ଯେପରି ସମ୍ବଲପୁର ଜିଲ୍ଲାର ପ୍ରତିଟି ଗାଁର ନାଗରିକମାନେ ଯୋଗ ଦିବସ ପାଳନ କରିବେ, ସେ ଦିଗରେ ଆମେ ପ୍ରସ୍ତୁତି କରିବା ଦରକାର । ମା’ସମଲେଶ୍ୱରୀଙ୍କ ଆଶୀର୍ବାଦରେ ଜିଲ୍ଲାର ନାଗରିକଙ୍କ ମଧ୍ୟରେ ସମ୍ପନ୍ନତା ଆଣିବା ପାଇଁ ପ୍ରୟାସ କରିବା ସହ ସୁସ୍ଥ ଓ ସୁଖୀ ଜୀବନଯାପନ ପାଇଁ ଯୋଗକୁ ଗ୍ରହଣ କରିବା ପାଇଁ ଶ୍ରୀ ପ୍ରଧାନ ନାଗରିକମାନଙ୍କୁ ଆହ୍ୱାନ କରିଥିଲେ ।
ଏହି ଯୋଗ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ସହ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗ କରିଥିଲେ । ଉଲ୍ଲେଖନୀୟ ଯେ, ବିଶାଖାପାଟଣାରୁ ପ୍ରଧାନମନ୍ତ୍ରୀଙ୍କ ଯୋଗ କାର୍ଯ୍ୟକ୍ରମର ସିଧା ପ୍ରସାରଣ ମଧ୍ୟ ଏଠାରେ ପ୍ରସାରିତ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ