ଯୋଡ଼ା, ୨୧ ଜୁନ୍ (ହି.ସ.)- ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ବଲାଣି ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ଶନିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଇଛି। ଚଳିତବର୍ଷ ସମସ୍ତ ବିଶ୍ୱ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ବିଷୟବସ୍ତୁ ଉପରେ ଯୋଗ ଅଭ୍ୟାସ କରୁଥିବା ବେଳେ ତଦନୁଯାୟୀ, ସ୍କୁଲରେ ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ବିକାଶ ପାଇଁ ଯୋଗର ଆବଶ୍ୟକତା ବିଷୟରେ ସଚେତନତା ବୃଦ୍ଧି କରିବା। ସ୍କୁଲର ଅଧ୍ୟକ୍ଷା ରାଜଶ୍ରୀ ମହାପାତ୍ରଙ୍କ ନେତୃତ୍ୱରେ ଏହି ଦିବସ ଉପଲକ୍ଷେ ବିଭିନ୍ନ ଶିକ୍ଷାମୂଳକ ଓ ସୂଚନାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଯୋଗ ସମ୍ୱନ୍ଧୀୟ ସାଧାରଣ ଜ୍ଞାନ ପ୍ରତିଯୋଗିତା ଏବଂ ନବମ ଶ୍ରେଣୀରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ବିଷୟ ଆଧାରିତ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଅରୁପାନନ୍ଦ ରାଉତ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ଯୋଗ ଏବଂ ଏହାର ଆବଶ୍ୟକତା ନେଇ ସଚେତନ ହୋଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବାଶିଷ୍ ନନ୍ଦ