ସମ୍ବଲପୁର, ୨୧ ଜୁନ୍ (ହି.ସ.)
ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ଗତ ୨୦୨୩ରେ ସଂଘଟିତ ଏକ ନାବାଳିକା ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି । ସମ୍ବଲପୁର ଅତିରିକ୍ତ ଜିଲା ଜଜ୍ ତଥା ପୋକ୍ସୋ ଅଦାଲତ ସ୍ୱତନ୍ତ୍ର ବିଚାରପତି ଅଭିଳାଷ ସେନାପତି ୧୫ଜଣ ସାକ୍ଷ୍ୟଙ୍କ ବୟାନ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣ ଅନୁଧ୍ୟାନ ପୂର୍ବକ ଏହି ମାମଲାର ବିଚାର କରି ଅଭିଯୁକ୍ତ ମାଧଡିହୀ ଗ୍ରାମର ପ୍ରଶାନ୍ତ ପ୍ରଧାନ ଓରଫ କେଏଁଟୁ(୨୨) ବିରୋଧରେ ଦଫା ୪୫୨ ଓ ୮ ପୋକ୍ସୋ ଆଇନ୍ରେ ୪ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ଅର୍ଥ ଅନାଦେୟ ଅଭିଯୁକ୍ତକୁ ଅଧିକ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସେହିପରି ଦଫା ୩୨୩ରେ ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ହଜାର ଟଙ୍କା ଜୋରିମାନା ତଥା ଜୋରିମାନା ଅର୍ଥ ଅନାଦେୟ ଅଭିଯୁକ୍ତଙ୍କୁ ୧ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବିଚାରିପତି ଶ୍ରୀ ସେନାପତି । ତେବେ ସମସ୍ତ ଦଣ୍ଡବିଧାନକୁ ଅଭିଯୁକ୍ତ ସମାନ୍ତରାଳ ଭାବେ ଏକ ସଙ୍ଗେ ଭୋଗିବାକୁ ମଧ୍ୟ ବିଚାରପତି ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ଜମନକିରା ଥାନା ମାଧଡିହୀ ଗ୍ରାମରେ ପରିବାର ସହିତ ରହୁଥିବା ପୀଡ଼ିତା ୧୫ ବର୍ଷ ବୟସ୍କା ନାବାଳିକା ଗତ ୨୦୨୩ ସେପ୍ଟେମ୍ବର ୧୭ ତାରିଖ ଅପରାହ୍ନରେ ନିକଟସ୍ଥ ଦୋକାନରୁ ସଉଦା କିଣି ଘରକୁ ଫେରୁଥିଲେ । ଏହି ସମୟରେ ସେହି ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓରଫ କେଏଁଟୁ ନାବାଳିକାକୁ ରାସ୍ତାରେ ଏକାକୀ ଦେଖି ପ୍ରଥମେ ତାଙ୍କୁ ଅସଦାଚରଣ କରି ଅଶ୍ଳୀଳ ସଙ୍ଗୀତ କରିବା ସହ ଅଶ୍ଳୀଳ
ଭାଷାରେ ଗାଳିଗୁଲଜ କରିଥିଲା। ପରେ ଜୋର୍ ଜବରଦସ୍ତ ନାବାଳିକାକୁ ଘରକୁ ଟେକି ନେଇ ସେଠାରେ ଯୌନ ଅସଦାରଣ କରିଥିଲା । ଏହି ସମୟରେ ପୀଡ଼ିତାର ମାଁ ଘରେ ପହଞ୍ଚି ଯିବାରୁ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା । ପିଡୀତା ଜଣଙ୍କ ନିଜ ପ୍ରତି ହୋଇଥିବା ସମସ୍ତ ଘଟଣା ମାଁ' ଙ୍କୁ କହିବା ସହ ପୂର୍ବରୁ ମଧ୍ୟ ଅଭିଯୁକ୍ତ ଜଣଙ୍କ ଏହିଭଳି ଦୁଇଥର ଅସଦାଚରଣ କରିଥିବା ଘଟଣାର ସୂଚନା ଦେଇଥିଲା । ଝିଅଠାରୁ ସମସ୍ତ ବିଷୟ ଶୁଣିବା ପରେ ନାବାଳିକାର ମାଁ ମୁଣ୍ଡରେ ବଜ୍ରାଘାତ ଘଟିବା ସଦୃଶ୍ୟ ତୁରନ୍ତ ପିଡୀତା ନାବାଳିକାକୁ ଧରି ନେଇ ଜମନକିରା ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ । ଲିଖିତ ଏତଲା ଓ ପୀଡ଼ିତାର ବୟାନକୁ ଆଧାର କରି ପୋଲିସ ୧୨୦/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ପୋଲିସ ଅଭିଯୁକ୍ତ ପ୍ରଶାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପୋଲିସ ଚାର୍ଜସିଟ୍ ଦାଖଲ ପରେ କୋର୍ଟରେ ଏହି ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା । ହେଲେ ଅଭିଯୁକ୍ତ ପ୍ରାରମ୍ଭରୁ ଜମିନ୍ ରେ ରହି ଆସୁଥିଲା । ଶୁକ୍ରବାର ଅଭିଯୁକ୍ତକୁ କୋର୍ଟରେ ହାଜର କରାଯିବା ପରେ ବିଚାରପତି ଶ୍ରୀ ସେନାପତି ମାମଲାର ରାୟ ପ୍ରକାଶ କରି ଉପରୋକ୍ତ ଦଣ୍ଡବିଧାନ କରିଥିଲେ। ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଅଭିଯୁକ୍ତଙ୍କୁ ତୁରନ୍ତ ସମ୍ବଲପୁର ମଣ୍ଡଳ ଜେଲକୁ ପଠାଇ ଦିଆଯାଇଛି । ଅଦାଲତରେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ସରାକରୀ ଓକିଲ ସନ୍ତୋଷ କୁମାର ପଣ୍ଡା ଏହି ମାମଲାକୁ ପରିଚାଳନା କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ