ସମ୍ବଲପୁର, ୨୧ ଜୁନ୍ (ହି.ସ.)
ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବଡ଼ମାଳ ପଞ୍ଚାୟତ ଲଦ୍ରୋପାଳ ଗ୍ରାମରେ ଜିଲ୍ଲାପରିଷଦ ପକ୍ଷରୁ ଜିଆଇଏ ଯୋଜନା ୨୦୨୪-୨୫ରେ ୭ଲକ୍ଷ ୧୯ହଜାର ୫୪୮ ଟଙ୍କା ଅଟକଳରେ କୋହ୍ଲପାଳ ଠାରୁ ଲଦ୍ରୋପାଲ ପର୍ଯ୍ଯନ୍ତ ରାସ୍ତାକୁ ମେଟାଲିଂ ଓ ଆବଶ୍ୟକୀୟ କଲଭର୍ଟ ନିର୍ମାଣ ପାଇଁ ଯୋଜନା ରହିଛି l ମାତ୍ର କାର୍ଯ୍ଯ ଅଧାପନ୍ତରିଆ ଅବସ୍ଥାରେ ରହିଥିବା ବେଳେ ଏଵେ ବର୍ଷାର ଆଗମନରେ ଏହି ରାସ୍ତା ଦେଇ ଯିବା ଆସିବାରେ ଲୋକେ ନାହିଁ ନଥିବା ହଇରାଣ ହେଉଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ l
ସୂଚନା ମତାବକ ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ୭ ନମ୍ବର ୱାର୍ଡ ଲଦ୍ରୋପାଳ ଗ୍ରାମରେ ୪୦ରୁ ଉର୍ଦ୍ଧ୍ବ ପରିବାର ରହୁ ଥିବାବେଳେ କୋଲପାଳ ଠୁ କାଦ୍ରୋପଲ ଗ୍ରାମକୁ ଦୀର୍ଘ ୫ ମାସ ହେବ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ମେଟାଲିଂ ରାସ୍ତା ସହ ଲଦ୍ରୋପାଳ ଗ୍ରାମରେ କଲଭର୍ଟ କାର୍ଯ୍ଯ କଛପ ଗତିରେ ଜାରି ରହିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନର ବର୍ଷା ସମୟରେ ଗ୍ରାମବାସୀ ଏହି ରାସ୍ତାରେ ଯିବା ଆସିବା ପାଇଁ ଏକ ରକମର ବାଧ୍ୟ ଥିବାରୁ ଛାତ୍ରଛାତ୍ରୀ, ବୃଦ୍ଧ ବୃଦ୍ଧା ଓ ରୋଗୀମାନେ ନା ନା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ସମସ୍ୟାକୁ ନେଇ ଅଞ୍ଚଳବାସୀ କୁହନ୍ତି ଏହି କଲଭର୍ଟ ରାସ୍ତାଟି ସଠିକ୍ ନୀତି ନିୟମରେ ହୋଇଥିଲେ ଖରାଦିନେ ହିଁ ସମ୍ପୂର୍ଣ୍ଣ ହୋଇଯାଇ ଥାଆନ୍ତା । ମାତ୍ର କାଳକ୍ଷେପଣ ନୀତିରେ ଠିକାଦାର କଛପ ଗତିରେ ଏହି କାର୍ଯ୍ଯ କରୁଥିବା ବେଳେ ସର୍ବନିମ୍ନ ବର୍ଷା ଦିନର ସମସ୍ଯାକୁ ଏଡାଇବା ପାଇଁ ସର୍ବନିମ୍ନ ଏକ ଅସ୍ଥାୟୀ ରାସ୍ତା କରିନଥିବାରୁ ଲୋକେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଵେ ଆଗକୁ ସ୍କୁଲ ଖୋଲିବାକୁ ଥିବାବେଳେ ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ କିପରି ପାଠ ପଢିବାକୁ ଯିବେ ସେନେଇ ଛାତ୍ରଛାତ୍ରୀ ଏବେ ଠାରୁ ଚିନ୍ତାଶୀଳ ହୋଇ ପଡିଛନ୍ତି । ସେହିପରି ଏଵେ ଚାଷ ସମୟରେ ଲୋକେ ନିଜ ଚାଷ ଜମିକୁ ହଳ ଯୋତିବା, ଧାନ ବୁଣିବା ପାଇଁ ଏହି ରାସ୍ତାକୁ ହିଁ ଭରସା କରିଥାନ୍ତି । ପୁଣି କୌଣସି ଯାନବାହାନ ଯିବାଆସିବା ପାଇଁ ଏହି ରାସ୍ତାରେ ବାଧାପ୍ରାପ୍ତ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଗ୍ରାମର ତପନ ନାଏକ ଓ ପଞ୍ଚାନନ ନାଏକ ଙ୍କ ଅଭିଯୋଗ କ୍ରମେ ଏଵେ ଏହି ରାସ୍ତା ଓ କଲଭର୍ଟ ଅସମ୍ପୂର୍ଣ କାମ ଯୋଗୁଁ ବନ୍ଦ ହୋଇ ପଡିରହିଥିବାରୁ ଯାତାୟାତ ପାଇଁ ଆମକୁ ଚାଷଜମି ତଥା ଏକ ନାଳ ରାସ୍ତା ଦେଇ ଯିବା ଆସିବାକୁ ପଡୁଛି । ଏହି ସମୟରେ ଯଦି କୌଣସି ରୋଗୀ କିମ୍ବା ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ନେବାକୁ ପଡେ ତେବେ ଏହି ରାସ୍ତା ଦେଇ ଆମ୍ବୁଲାନ୍ସଟିଏ ଗ୍ରାମକୁ ଯିବା ଅସମ୍ଭବ ହୋଇପଡ଼ିଛି । ଯାହା ଦ୍ୱାରା ରୋଗୀଙ୍କୁ ୧ କିମି ରାସ୍ତା ବୋହି ଆଣି ଆମ୍ବୁଲାଏନ୍ସରେ ନେବାକୁ ବାଧ୍ୟତାମୂଳକ ହୋଇପଡିଛି । ସାମ୍ଭାବ୍ୟ ସମସ୍ଯା ନେଇ ଅଞ୍ଚଳବାସୀ ଠିକାଦାରଙ୍କୁ ଅନେକ ଥର ତାଗିଦ୍ କରିଛନ୍ତି, ହେଲେ ଠିକାଦାର ସର୍ବଦା ଖାମଖିଆଲି ଭାବେ ' ମୁଁ କରି ଦେବି' କହି ଆସୁଥିବା ବେଳେ ଏବେ ବର୍ଷା ସମୟରେ ନାହିଁ ନଥିବା ସମସ୍ଯା ଭୋଗିବାକୁ ପଡୁଛି ବୋଲି ଅନେକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏବେ ଅର୍ଦ୍ଧନିର୍ମିତ ରାସ୍ତା ଓ କଲଭର୍ଟ ସଂଯୋଗୀକରଣ ସହ ଗମନାଗମନ ସୁବିଧା ତୁରନ୍ତ ନକଲେ ବାଧ୍ୟ ହୋଇ ଆମେ ଭିନ୍ନ ରାସ୍ତା ଆପଣାଇବୁ ବୋଲି ଲୋକଙ୍କ ଚେତାବନୀ ଭିନ୍ନ ପରିବେଶ ସୃଷ୍ଟି କରିଛି । ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ କଛପ ଗତିର ଏହି କାର୍ଯ୍ଯ ଉତ୍ତେଜନା ପ୍ରବଣ ହେଉଥିବା ବେଳେ ଅଦ୍ଯାବଧି ବ୍ଲକ ପ୍ରଶାସନ ନିଦାବିଷ୍ଣୁ ସାଜି ନୀରବଦ୍ରଷ୍ଟା ସାଜିବା ପରିସ୍ଥିତିକୁ କେତେବେଳେ କେଉଁ ଦିଗକୁ ନେବ ତାହା ସନ୍ଦିହାନ ହୋଇପଡିଛି ।
ଜିଲ୍ଲାପାଳ ତୁରନ୍ତ ଲୋକଙ୍କ ସମସ୍ୟା ଓ ଅଧାପନ୍ତରିଆ କାର୍ଯ୍ୟର ଅନୁସନ୍ଧାନ କରି ଉଚିତ୍ ପଦକ୍ଷେପ ନେବାପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି । ଏବେ ଦେଖିବାକୁ ଅପେକ୍ଷା କଛପ ଗତିର କାର୍ଯ୍ଯ ଓ କାର୍ଯ୍ଯର ମାନକୁ ନେଇ ଅଭିଯୁକ୍ତ ଠିକାଦାର ଓ ସମ୍ପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ