ରାଜଭବନରେ ପଶ୍ଚିମବଙ୍ଗର ପ୍ରତିଷ୍ଠା ଦିବସ ପାଳିତ
ଭୁବନେଶ୍ୱର,୨୧ ଜୁନ (ହି.ସ)- ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା, ପ୍ରଗତି ଏବଂ ଜାତୀୟ ଗର୍ବ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରୁଛି ବୋଲିରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି । ଶନିବାର ଅପରାହ୍ନରେ ନ୍ୟୁ ଅଭିଷେକ ହଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପଶ୍ଚିମବ
ରାଜଭବନରେ ପଶ୍ଚିମବଙ୍ଗର ପ୍ରତିଷ୍ଠା ଦିବସ ପାଳିତ


ଭୁବନେଶ୍ୱର,୨୧ ଜୁନ (ହି.ସ)- ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଜାତୀୟ ଏକତା, ପ୍ରଗତି ଏବଂ ଜାତୀୟ ଗର୍ବ ପ୍ରତି ଆମର ପ୍ରତିବଦ୍ଧତାକୁ ସୁଦୃଢ କରୁଛି ବୋଲିରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି ।

ଶନିବାର ଅପରାହ୍ନରେ ନ୍ୟୁ ଅଭିଷେକ ହଲ ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପଶ୍ଚିମବଙ୍ଗ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ଅବସରରେ ରାଜ୍ୟପାଳ ଏହା କହିଛନ୍ତି । ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପ୍ରତ୍ୟେକ ରାଜ୍ୟର ନିଜର ଅନନ୍ୟ ପରିଚୟ ଥିଲେ ମଧ୍ୟ ଏକାଠି ହୋଇ ଏକ ଶକ୍ତିଶାଳୀ ରାଷ୍ଟ୍ର ଗଠନ ପାଇଁ ଏପରି କାର୍ଯ୍ୟକ୍ରମ ଉଦବୁଦ୍ଧ କରେ । ଏହି ଅବସରରେ ପଶ୍ଚିମବଙ୍ଗର ଅଧିବାସୀ ତଥା ଓଡ଼ିଶାରେ ରହୁଥିବା ପଶ୍ଚିମବଙ୍ଗର ବାସିନ୍ଦାମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ରାଜ୍ୟପାଳ କହିଥିଲେ ଯେ, ଓଡିଶା ଏବଂ ପଶ୍ଚିମବଙ୍ଗ ଅନେକ ଦୃଷ୍ଟିରୁ ଅନନ୍ୟ ହୋଇଥିଲେ ମଧ୍ୟ ଦୁଇ ରାଜ୍ୟ ମଧ୍ୟରେ ଗଭୀର ସାଂସ୍କୃତିକ, ଭାଷାଗତ ସମ୍ପର୍କ ରହିଛି ଏବଂ ପାରମ୍ପରିକ ବନ୍ଧନରେ ପୀଢ଼ି ପରେ ପୀଢ଼ି ସଂଯୋଗ ହୋଇ ରହିଛନ୍ତି । ରାଜ୍ୟପାଳ ପଶ୍ଚିମବଙ୍ଗକୁ ଭାରତର ରୂପାନ୍ତରଣର ଏକ ପ୍ରତୀକ ଭାବରେ ଅଭିହିତ କରି କହିଥିଲେ ଯେ, ପ୍ରାଚୀନ ସଭ୍ୟତାରୁ ଆଧୁନିକ ଡିଜିଟାଲ ଯୁଗ ପର୍ଯ୍ୟନ୍ତ ଏବଂ ନିରନ୍ତର ସାମାଜିକ, ସାଂସ୍କୃତିକ, ସାହିତ୍ୟିକ , ରାଜନୈତିକ, ଶିଳ୍ପ ଏବଂ ବୈଜ୍ଞାନିକ ପ୍ରଗତିର କେନ୍ଦ୍ର ସାଜିଅଛି । ରାଜ୍ୟର କିମ୍ବଦନ୍ତୀ ବ୍ୟକ୍ତିତ୍ୱମାନଙ୍କୁ ସ୍ମରଣ କରି ରାଜ୍ୟପାଳ କହିଥିଲେ ଯେ ଏହି ମାଟିର ଅନେକ ସନ୍ତାନ ଜାତିର ମଶାଲବାହକ ସାଜିଛନ୍ତି । ସନ୍ଥ ଶ୍ରୀ ଚୈତନ୍ୟ, ରାଜା ରାମ ମୋହନ ରାୟ, ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର, ସ୍ୱାମୀ ବିବେକାନନ୍ଦ, ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ରନାଥ ଟାଗୋର ଏବଂ ମଦର ଟେରେସାଙ୍କ ଅବଦାନକୁ ରାଜ୍ୟପାଳ ସ୍ମରଣ କରାଇଥିଲେ । ପଶ୍ଚିମବଙ୍ଗ ରାଜ୍ୟର ପ୍ରାକୃତିକ ବୈଭବ ଯେଉଁଥିରେ ରମଣୀୟ ହିମାଳୟ, ଦାର୍ଜିଲିଂର ଚା ବଗିଚା, ସୁନ୍ଦରବନର ହେନ୍ତାଳ ବନ ଏବଂ ବଙ୍ଗୋପସାଗର କୂଳରେ ଅବସ୍ଥିତ ମନୋରମ ବେଳାଭୂମିର କଥା ଅବତାରଣା କରିଥିଲେ । ଏତଦବ୍ୟତୀତ ପଶ୍ଚିମବଙ୍ଗର ଜୀବନ୍ତ ସାଂସ୍କୃତିକ ଏବଂ ଧାର୍ମିକ ପରମ୍ପରା ବିଶେଷ କରି ଦୁର୍ଗା ପୂଜାର ମହିମାକୁ ରାଜ୍ୟପାଳ ପ୍ରଶଂସା କରିଥିଲେ । ଓଡ଼ିଶାରେ ବସବାସ କରୁଥିବା ପଶ୍ଚିମବଙ୍ଗର ବାସିନ୍ଦାମାନେ ଓଡିଶାକୁ ନିଜର ଦ୍ୱିତୀୟ ଘର ବୋଲି ବିବେଚନା କରିଛନ୍ତି ଏବଂ ଓଡ଼ିଶାର ଶିକ୍ଷାଗତ, ସାଂସ୍କୃତିକ ଏବଂ ବୃତ୍ତିଗତ ଜୀବନରେ ଅର୍ଥପୂର୍ଣ୍ଣ ଅବଦାନ ରଖିଛନ୍ତି ବୋଲି ରାଜ୍ୟପାଳ କହିଥିଲେ । ପୁଣି ରାଜ୍ୟପାଳ କହିଥିଲେ ଯେ ରାଜଭବନରେ ଅନ୍ୟ ରାଜ୍ୟର ପ୍ରତିଷ୍ଠା ଦିବସ ପାଳନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ସହିତ ସମନ୍ୱିତ ହୋଇଛି । କାରଣ ପ୍ରଧାନମନ୍ତ୍ରୀ ଏକତା ଏବଂ ପାରସ୍ପରିକ ବୁଝାମଣାକୁ ବୃଦ୍ଧି କରିବା ପାଇଁ ଏକ ଭାରତ- ଶ୍ରେଷ୍ଠ ଭାରତ ଭାବନାକୁ ସୁଦୃଢ କରିବା ନିମନ୍ତେ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନ କରିବାକୁ ରାଜଭବନମାନଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ଉକ୍ତ ସମାରୋହରେ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଏନ୍‌.ବି.ଏସ୍‌. ରାଜପୁତ ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସମାରୋହରେ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପଶ୍ଚିମବଙ୍ଗର ମୂଳ ବାସିନ୍ଦା ନିଜ ରାଜ୍ୟର ସ୍ୱତନ୍ତ୍ରତା ଏବଂ ଓଡିଶା ସହ ସମ୍ପର୍କ ଏବଂ ଓଡ଼ିଶାରେ ସେମାନଙ୍କର ସୁଖଦ ଅନୁଭୂତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଭିନ୍ନ ଅନୁଷ୍ଠାନ, ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଇଷ୍ଟର୍ଣ୍ଣ ଜୋନାଲ କଲଚରାଲ ସେଣ୍ଟର, କୋଲକାତା ତରଫରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଏତଦବ୍ୟତୀତ ପଶ୍ଚିମବଙ୍ଗ ରାଜ୍ୟର ପରମ୍ପରା, ଐତିହ୍ୟ ଏବଂ ସଂସ୍କୃତି ଉପରେ ଆଧାରିତ ଅଡିଓ ଭିଜୁଆଲ ଉପସ୍ଥାପନା କରାଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande