କେନ୍ଦୁଝର, ୨୧ ଜୁନ୍ (ହି.ସ.)- ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) କେନ୍ଦୁଝର ତରଫରୁ ସ୍ଥାନୀୟ ବଣିଆପାଟ ସ୍ଥିତ ଶିଶୁ ବିଦ୍ୟା ମନ୍ଦିର ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ପ୍ରକାଶ ଥାଉକି, ଜୁନ ୫, ୬, ୭, ୮ ତାରିଖ ଚାରି ଦିନ ଧରି ବାରିପଦା ସ୍ଥିତ ସାଇ ବିଦ୍ୟାମନ୍ଦିର ଠାରେ ପ୍ରାନ୍ତ ଅଭ୍ୟାସ ବର୍ଗ ସମ୍ପର୍ଣ୍ଣ ହୋଇଯାଇଅଛି । ଏହି ପ୍ରାନ୍ତ ଅଭ୍ୟାସ ବର୍ଗ ରେ ବିଦ୍ୟାର୍ଥୀ ପରିଷଦର ଆଗାମୀ ଏକ ବର୍ଷର ଯୋଜନା ସ୍ଥିର ହେବା ସହିତ ସାରା ଓଡ଼ିଶାରେ ଏକ ଲକ୍ଷ ଚାଳିଶ ହଜାର ସଦସ୍ୟତା ଲକ୍ଷ୍ୟ ସ୍ଥିର କରାଯାଇଅଛି। ଏହି ଅଭ୍ୟାସ ବର୍ଗରେ ଓଡ଼ିଶା ପୂର୍ବ ପ୍ରାନ୍ତର ପାଖାପାଖି ୨୩ ଟି ସାଙ୍ଗଠନିକ ଜିଲ୍ଲାରୁ ୨୫୦ରୁ ଅଧିକ ବିଦ୍ୟାର୍ଥୀ ମାନେ ଯୋଗ ଦେଇଥିଲେ। ରାୟଗଡ଼ାରୁ ରାଇରଙ୍ଗପୁର ପର୍ଯ୍ୟନ୍ତ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ଏବଂ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଯୋଗ ଦେଇଥିବା ବିଦ୍ୟାର୍ଥୀ ମାନେ ଏହି ପ୍ରାନ୍ତ ଅଭ୍ୟାସ ବର୍ଗରେ ବିଦ୍ୟାର୍ଥୀ ପରିଷଦର ଲକ୍ଷ୍ୟ, ଉଦ୍ଦେଶ୍ୟ, ବିଚାର ବିଷୟରେ ପ୍ରଶିକ୍ଷିତ ହେବା ସହିତ ଆଗାମୀ ଏକ ବର୍ଷର ସାଂଗଠାନିକ ଯୋଜନା ବିଷୟରେ ମଧ୍ୟ ଅବଗତ ହୋଇଛନ୍ତି । ଏହି ଅବସରରେ ବିଭିନ୍ନ ବିଭାଗ ଏବଂ ଜିଲ୍ଲାର ଦାୟିତ୍ଵ ମଧ୍ୟ ଘୋଷଣା କରାଯାଇଅଛି। ପ୍ରାନ୍ତ ଅଭ୍ୟାସ ବର୍ଗ ଅବସରରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ କେନ୍ଦୁଝର ଜିଲ୍ଲାରେ ୧୦୦୦୦ ସଦସ୍ୟତାର ଲକ୍ଷ୍ୟ ସ୍ଥିର କରାଯାଇଛି। ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରଙ୍କ ଘୋଷଣାକୁ ବିଦ୍ୟାର୍ଥୀ ପରିଷଦ ସ୍ବାଗତ କରିବା ସହିତ ଏହି ବର୍ଷ ଓଡ଼ିଶା ସାରା ଯେତେ ବି କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ହେବ ସେ ସମସ୍ତ କ୍ୟାମ୍ପସରେ ବିଦ୍ୟାର୍ଥୀ ପରିଷଦ ପୂର୍ଣ୍ଣ ଶକ୍ତି ସହ ଏବଂ ସଂଗଠିତ ଭାବରେ ଲଢ଼ିବା ସହିତ ବିଜୟ ର ଧ୍ଵଜା ମଧ୍ୟ ଉଡ଼ାଇବ ବୋଲି ରାଜ୍ୟ ସମ୍ପାଦିକା ଦିପ୍ତିମୟୀ ପ୍ରତିହାରୀ କହିଛନ୍ତି।
ଏହି ଅବସରରେ ମୟୂରଭଞ୍ଜ ବିଭାଗ ଓ କେନ୍ଦୁଝର ଜିଲ୍ଲାର ଦାୟିତ୍ଵ ମଧ୍ୟ ଘୋଷଣା କରାଯାଇଛି। ବିଭାଗ ପ୍ରମୁଖ ଭାବେ ଅଧ୍ୟାପକ ସତ୍ଯପ୍ରିୟ ଦାସ୍ , ବିଭାଗ ସଂଯୋଜକ ଭାବେ ଛାତ୍ର ନେତା କ୍ଷୀରୋଦ ପଣ୍ଡା , ବିଭାଗ ସହ ସଂଯୋଜକ ଚିନ୍ମୟ କୁମାର ବାରିକ୍,ଜିଲ୍ଲା ସଂଯୋଜକ ଭାବେ ସ୍ୱରାଜ କେତନ ମହାନ୍ତ ପ୍ରମୁଖ ଦାୟିତ୍ଵ ଗ୍ରହଣ କରିଅଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ବିଭାଗ ସହସଂଯୋଜକ ଚିନ୍ମୟ ବାରିକ, କେନ୍ଦୁଝର ନଗର ସହସମ୍ପାଦକ ଅଭିଜିତ୍ ପାତ୍ର , ଜିଲ୍ଲା ସଂଯୋଜକ ସ୍ବରାଜ କେତନ ମହାନ୍ତ, ସିପୁନ ନାଏକ, ଦେବୀପ୍ରସାଦ ପାତ୍ର ପ୍ରମୁଖ ଭାବରେ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA