ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ
ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ
ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ


ସମ୍ବଲପୁର, ୨୧ ଜୁନ୍ (ହି.ସ.)

ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ଯୋଗ ଦିବସ ମାଁ' ସମଲେଶ୍ୱରୀ ମନ୍ଦିର ପରିସର ଓ ରିଭର ଫ୍ରନ୍ଟ ଠାରେ ବିଶାଳ ଯୋଗ ସଭା ପ୍ରାତ ୫ଟାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୃହତ୍‌ କାର୍ଯ୍ୟକ୍ରମରେ ମାନନୀୟ କେନ୍ଦ୍ର ଶିକ୍ଷା ଏବଂ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ରବିନାରାୟଣ ନାୟକ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ଶ୍ରୀଯୁକ୍ତ ସଚିନ ରାମଚନ୍ଦ୍ର ଜାଧବ (ଭା.ପ୍ର.ସେ), ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ ଲାଲ (ଭା.ପୋ.ସେ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର (ଭ୍ରା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ), ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ (ଭ୍ରା.ପ୍ର.ସେ), ପ୍ରୋବେଶନାରୀ ଭାରତୀୟ ପ୍ରଶାସନିକ ଅଧିକାରୀ ଶୁଭ୍ରା ପଣ୍ଡା ପ୍ରମୁଖ ଙ୍କ ସମେତ ଛାତ୍ରଛାତ୍ରୀ, କ୍ରୀଡାବିତ, ଶିକ୍ଷକ, ଶିକ୍ଷୟତ୍ରୀ, ମାନ୍ୟଗଣ ବ୍ୟକ୍ତିବିଶେଷ, ଜନସାଧାରଣ ଉପସ୍ଥିତ ରହି ଯୋଗ କରିଥିଲେ।

ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ରବିନାରାୟଣ ନାୟକ, ଗାଁ ଠାରୁ ଆରମ୍ଭ କରି ସହର ଯାଏ, ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ଯାଏ ସମସ୍ତ ବର୍ଗ ସମସ୍ତ ବୟସ୍କ ଲୋକମାନଙ୍କୁ, ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିବା ଲାଗି ଯୋଗର ଆବଶ୍ୟକତା ରହିଛି ବୋଲି କହିଥିଲେ। କେବଳ ଗୋଟିଏ ଦିନ ନୁହେଁ, ପ୍ରତି ଦିନ ଯୋଗାଭ୍ଯାସ କଲେ ଜଣେ ବ୍ୟକ୍ତି ସୁସ୍ଥ ରହିବା ସହ ତାର ଏକାଗ୍ରତା ବୁଦ୍ଧି ପାଇବ ବୋଲି ଶ୍ରୀ ନାୟକ କହିଥିଲେ । କେନ୍ଦ୍ର ଶିକ୍ଷା ଏବଂ କୌଶଳ ବିକାଶ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଙ୍କୁ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ ଙ୍କ ଉଦ୍ୟମ ଫଳରେ ୨୦୧୪ ରୁ ମିଳିତ ଜାତିସଂଘ ଆନୁକୁଲ୍ଯରେ ଆନ୍ତର୍ଜାତୀୟ ସ୍ତରରେ ଯୋଗାଦିବସ ପାଳିତ ହୋଇଆସୁଛି ବୋଲି କହିଥିଲେ। ଯୋଗ ହେଉଛି ସ୍ୱାସ୍ଥ୍ୟ ଓ ସମୃଦ୍ଧି ପାଇଁ ଏକ ସର୍ବୋତ୍ତମ ଔଷଧ। ଆଦି ଅନନ୍ତ କାଳରୁ ଏହି ପଦ୍ଧତି ଆମ ପାଇଁ ଆରମ୍ଭ ହୋଇଥିଲା, ଯେଉଁ ପଦ୍ଧତି ରେ ଦୁନିଆ ର ସବୁ ଲୋକ ପ୍ରଭାବିତ ହୋଇଥିଲେ। ଯାହାକୁ ନେଇ ଭାରତବର୍ଷ ସାରା ବିଶ୍ଵ ରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଠି କରିପାରିଛି। ଯୋଗ କେବଳ ଶାରୀରିକ ଅଭ୍ଯାସ ନୁହେଁ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଚେତନାର ବୈଜ୍ଞାନିକ ପ୍ରୟୋଗ, ଯାହା ଏକ ସୁସ୍ଥ ଜୀବନଶୈଳୀ ଗଠନ କରିବାରେ ସାହାଯ୍ୟ କରେ। ତେଣୁ ଯୋଗ କୁ ନିଜ ନୀତିଦିନ ଜୀବନର ଅଭ୍ଯାସ ରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ। ସେ କହିଥିଲେ ରକ୍ତଚାପ, ଡାୟବେଟିସ୍‌ ପରି ରୋଗକୁ ପ୍ରତିରୋଧ କରି ଆମେ ଏକ ସୁସ୍ଥ ଜୀବନଶୈଳୀ ବିକଶିତ କରିବାକୁ ପଡିବ। କେବଳ ଭୌତିକ ଉନ୍ନତି କରିଲେ ହେବ ନାହିଁ ଆମକୁ ଏକ ସୁସ୍ଥ ଜୀବନ ଶୈଳୀ ଗଢିବାକୁ ପଡିବ, ସମ୍ବଲପୁର ର ସ୍ୱାସ୍ଥ୍ୟ କ୍ଷେତ୍ର ରେ, ହ୍ୟୁମାନ ଡେଭେଲୋପେମେଣ୍ଟ ଇଣ୍ଡେକ୍ସ ରେ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବାକୁ ଶ୍ରୀ ପ୍ରଧାନ କହିଥିଲେ।

ସକାଳ ୬.୩୦ ମିନିଟ ସମୟରେ ଆନ୍ତର୍ଜାତୀୟ ଯୋଗଦିବସ ଉପଲକ୍ଷେ ଆନ୍ଧ୍ରପ୍ରଦେଶ ର ଭାଇଜାଗ ଠାରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସିଧାପ୍ରସାରଣ ହୋଇଥିଲା। ଏହାପରେ ସକାଳ ୭ ଘଟିକା ରୁ ୭.୪୫ ଘଟିକା ପର୍ଯ୍ୟନ୍ତ ପ୍ରାୟ ୪୫ ମିନିଟ୍ ଧରି ଯୋଗାଭ୍ଯାସ ଚାଲିଥିଲା। ଏହି କାର୍ଯ୍ୟକ୍ରମ ରେ ପ୍ରାୟ ୯୦୦୦ ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଶେଷରେ ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ (ଭ୍ରା.ପ୍ର.ସେ), ଧନ୍ୟବାଦ ଭାଷଣ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande