ଭଦ୍ରକ, ୨୧ ଜୁନ୍ (ହି.ସ.) - କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀମାନେ ଯେପରି ସୁଫଳ ପାଇବେ ସେଥିପ୍ରତି ଯତ୍ନବାନ ହେବା ସହ ଯୋଜନାଗୁଡ଼ିକ ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ପରାମର୍ଶ ଦେଇଛନ୍ତି।ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସୁବର୍ଣମୁଖି ମଣ୍ଡଳର ତେସିଙ୍ଗା ଠାରେ ମଣ୍ଡଳ ସ୍ତରୀୟ 'ବିକଶିତ ଭାରତର ଅମୃତ କାଳରେ ସେବା, ସୁଶାସନ ଏବଂ ଗରିବ କଲ୍ୟାଣରେ କେନ୍ଦ୍ରର ୧୧ ବର୍ଷ ଓ ରାଜ୍ୟର ୧ ବର୍ଷ ପୂର୍ତି ଉପଲକ୍ଷେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରିବା ଅବସରରେ ସାଂସଦ ଶ୍ରୀ ସେଠୀ ଉଭୟ ସରକାରଙ୍କ ଯୋଜନା ସମ୍ପର୍କରେ ଉଲ୍ଲେଖ କରିଥିଲେ।ଭଦ୍ରକରେ ମେଡ଼ିକାଲ କଲେଜ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ନିଷ୍ପତି ସମେତ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ।ବିଜେପିର ମଣ୍ଡଳ ସଭାପତି ପ୍ରଣବ ରାଉତଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ଅନୁଷ୍ଠିତ ସଭାରେ ଦଳର ବିଧାନସଭାସ୍ତରୀୟ ନେତା ଡ଼ଃ ସୁଧାଂଶୁ ଶେଖର ନାୟକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଗତିମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରି ପ୍ରତ୍ୟେକଙ୍କ ନିକଟରେ ଏସମ୍ପର୍କରେ ବାର୍ତା ପହଂଚାଇବାକୁ ଆହ୍ୱାନ ଦେଇଥିଲେ।ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ଜିଲା ସଂଯୋଜକ ପ୍ରତାପ ନାୟକ,ପ୍ରକାଶ ମହାପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷା ସଂଘମିତ୍ରା ପଣ୍ଡା,ଜିଲା ସମ୍ପାଦିକା ତପସ୍ୱିନୀ ମହାପାତ୍ରଙ୍କ ସମେତ ସ୍ୱରାଜ ମହାପାତ୍ର, ଗିରିଶ ସାମଲ,ବିବେକାନନ୍ଦ ସାହୁ,ଧ୍ରୁବ ଚରଣ ବାରିକ,ଗୋପିନାଥ କର,ତରଣୀ ସେନ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ।କୈଳାସ ଚନ୍ଦ୍ର ସାହୁ ଅତିଥି ପରିଚୟ ଓ ସୁରେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ମଣ୍ଡଳ ଅନ୍ତର୍ଗତ ବିଭିନ୍ନ ପଂଚାୟତରୁ ବହୁ ସଂଖ୍ୟକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ।ଅନୁରୂପ ଭାବେ ଭଣ୍ଡାରିପୋଖରୀ ମଣ୍ଡଳରେ ଅପରାହ୍ନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ