ଭୁବନେଶ୍ୱର, ୨୧ ଜୁନ (ହି.ସ)- ସଡ଼କ ନିରାପତା ସୁନିଶ୍ଚିତ କରିବା ପାଇଁ ଏହାର ଅତୁଟ ପ୍ରତିବଦ୍ଧତାର ଏକ ଅଂଶ ଭାବରେ, ରାଜଧାନୀ ଅଂଚଳ ସହରାଂଚଳ ପରିବହନ (କ୍ରୁଟ୍) 'ଶୂନ ଦୁର୍ଘଟଣା ଦିବସ' ପଦକ୍ଷେପ ଅଧୀନରେ ଏହାର ପ୍ରୟାସକୁ ତୀବ୍ର କରିଛି। ସମସ୍ତ ସିଆରୟୁଟି ଡିପୁ ଏବଂ କାର୍ଯ୍ୟକ୍ଷମ ଟର୍ମିନାଲରେ ଦୈନିକ କାଉନସେଲିଂ ଅଧିବେଶନ ଏବଂ ସଡ଼କ ସୁରକ୍ଷା ପ୍ରତିଶ୍ରୁତିର ପ୍ରଶାସନ ଶୃଙ୍ଖଳିତ ଭାବରେ ପରିଚାଳିତ ହେଉଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ କ୍ରୁଟ୍ ନରାଜ ଡିପୋକୁ ପରିଦର୍ଶନ କରି ଏକ ଇଂଟରାକ୍ଟିଭ୍ ଅଧିବେଶନରେ କ୍ୟାପଟେନ ଏବଂ ଗାଇଡମାନଙ୍କ ସମେତ ଅନ୍ୟ ସଦସ୍ୟ ମାନଙ୍କ ସହ ଯୋଗ ଦେଇଥିଲେ। ସେ ସେବା ଓ ନିରାପତାର ସର୍ବୋଚ୍ଚ ମାନ ବଜାୟ ରଖିବାକୁ କର୍ମଚାରୀଙ୍କୁ ଅବଗତ ଓ ପରାମର୍ଶ ଦେଇ ସଡ଼କ ନିରାପତା ଶପଥ ପାଠ କରାଇଥିଲେ।
ସୁରକ୍ଷା ଆମ ସମସ୍ତଙ୍କଠାରୁ ଆରମ୍ଭ ହୋଇଥାଏ। ଆଗଧାଡିର ସେବା ପ୍ରଦାନକାରୀ ଭାବରେ, କ୍ୟାପଟେନ ଏବଂ ଗାଇଡମାନେ ପ୍ରତିଦିନ ହଜାର ହଜାର ନାଗରିକଙ୍କ ବିଶ୍ୱାସ ବହନ କରନ୍ତି । ପ୍ରତ୍ୟେକ ଯାତ୍ରା ଯେପରି ଠିକ୍ ସମୟରେ ନିରାପଦ ଏବଂ ନିର୍ଭରଯୋଗ୍ୟ ହୁଏ ତାହା ନିଶ୍ଚିତ କରିବାକୁ ଆମେ ଶପଥ ନେବା ବୋଲି ଶ୍ରୀମତୀ ପାଢୀ କହିଛନ୍ତି।
ଶ୍ରୀମତୀ ପାଢୀ ନିରାପଦରେ ଘରକୁ ଆସ ବାର୍ତା ଉପରେ ଆଲୋକପାତ କରିଥିଲେ। କେବଳ ଯାତ୍ରୀଙ୍କ ସୁରକ୍ଷା ନୁହେଁ, ବରଂ କ୍ରୁଟ୍ ସଦସ୍ୟ ଏବଂ ସେମାନଙ୍କ ପରିବାରର କଲ୍ୟାଣ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ କର୍ମଚାରୀଙ୍କୁ ଏପରି ସେବା ପ୍ରଦାନ କରିବାକୁ ଆହ୍ୱାନ ଦେଇଛନ୍ତି ଯାହା କେବଳ ଦକ୍ଷ ନୁହେଁ, ବରଂ ଯାତ୍ରୀମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଏବଂ ଭରସା ମଧ୍ୟ ସୃଷ୍ଟି କରେ।
ଜିରୋ ଆକ୍ସିଡେଂଟ୍ ଡେ ଅଭିଯାନ ମାଧ୍ୟମରେ କ୍ରୁଟ୍ ର ଲକ୍ଷ୍ୟ ହେଉଛି ସଡ଼କ ଦୁର୍ଘଟଣା ହ୍ରାସ କରିବା, ଡ୍ରାଇଭିଂ ଶୃଙ୍ଖଳାରେ ଉନ୍ନତି ଆଣିବା ଏବଂ ରାଜଧାନୀ ଅଂଚଳରେ ସାମଗ୍ରିକ ଯାତାୟାତ ଅଭିଜ୍ଞତାକୁ ବୃଦ୍ଧି କରିବା।
କ଼୍ରୁଟ୍ ଏହାର କର୍ମଚାରୀ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହିତ ସମସ୍ତଙ୍କ ପାଇଁ ନିରାପଦ, ବିଶ୍ୱସନୀୟ ଏବଂ ଅନ୍ତର୍ଭୁକ୍ତ ସାର୍ବଜନୀନ ପରିବହନ ଯୋଗାଇବା ପାଇଁ ଏହାର ଦୃଢ ସଂକଳ୍ପକୁ ଦୋହରାଇଛି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ମାନ୍ୟବର ପ୍ରଧାନମନ୍ତ୍ରୀ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧୀନରେ ୧୦୦ ଟି ବିଦ୍ୟୁତ ଚାଳିତ ବସ୍ ର ଶୁଭାରମ୍ଭ କରିଛନ୍ତି। ପୁରୀ, ଭୁବନେଶ୍ୱର ଓ କଟକର ୧୧ଟି ରୁଟ୍ ରେ ପୂର୍ବରୁ “ଆମ ବସ” ସେବା ଜାରି ଥିବା ବେଳେ, ଏହି ୧୦୦ଟି ବସ୍ ଯୋଡି ହେବା ପରେ କ୍ୟାପିଟାଲ ରିଜିଅନରେ ଆଉ ୮ଟି ନୂଆ ରୁଟ୍ ରେ “ଆମ ବସ୍” ସେବା ପ୍ରଦାନ କରାଯିବ। ନୂତନ ଭାବେ ନିର୍ମିତ ନରାଜ ଇଲେକ୍ଟ୍ରିକ୍ ବସ୍ ଡିପୋ ମଧ୍ୟ ଉଦଘାଟିତ ହୋଇଛି। ଏହି ୧୦୦ଟି ନୂଆ ଇଲେକ୍ଟ୍ରିକ୍ ବସ୍ ନରାଜ ଡିପୋରୁ ହିଁ ଚଳାଚଳ କରିବ।ଏହି ନରାଜ ବସ୍ ଡିପୋ ସମ୍ପୂର୍ଣ୍ଣ ଭାବେ ଅତ୍ୟାଧୁନିକ ଗ୍ରିନ ବିଲ୍ଡିଙ୍ଗ ଟେକ୍ନୋଲୋଜିର ନିର୍ମାଣ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା