ଗଞ୍ଜାମ, ୨୧ ଜୁନ୍(ହି.ସ.) – ଗୋପାଳପୁର ବେଳାଭୂମି ଗଣ ବଳକ୍ତାର ସାରା ରାଜ୍ୟକୁ ନିନ୍ଦିତ, ମନକୁ ଆନ୍ଦୋଳିତ କରିଥିଲାବେଳେ ଆମ୍ ଆଦ୍ମୀ ପାର୍ଟି ତରଫରୁ ଏକ ପ୍ରତିନିଧି ଦଳ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ସ୍ମାରକ ପତ୍ର ଦେଇ ଆଇନ ଶୃଙ୍ଖଳା ସଜାଡ଼ି ବାକୁ ଦାବି ରଖିଛନ୍ତି।
ଗୋପାଳପୁର ବେଳାଭୂମିରେ ଗତ ଅଳ୍ପଦିନ ତଳେ ଜଣେ ୨୦ ବର୍ଷୀୟା ଯୁବତୀ ଉପରେ ଘଟିତ ଗଣଦୁଷ୍କର୍ମ ଘଟଣାକୁ ଦଳ ତୀବ୍ର ଭାଷାରେ ନିନ୍ଦା କରି, ଏହି ନିନ୍ଦନୀୟ ଅପରାଧ ସମସ୍ତ ସଭ୍ୟ ସମାଜର ବିବେକକୁ ଆଘାତ କରିଛି ବୋଲି ପାର୍ଟି ଜିଲ୍ଲା ଆବାହକ ଏବଂ ସାଧାରଣ ସମ୍ପାଦକ କହିଛନ୍ତି।
ପୋଲିସ ସୁପରିଂଟେଣ୍ଡେଂଟଙ୍କ ଦୃଢ଼ ନେତୃତ୍ୱରେ ଅପରାଧୀମାନେ ତୁରନ୍ତ ଗିରଫ ହୋଇଛନ୍ତି ଏବଂ ତଦନ୍ତ ଦ୍ରୁତ ଗତିରେ ଚାଲିଛି। ପୋଲିସ ପ୍ରଶାସନର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପ୍ରଶଂସନୀୟ ତଥାପି, ଗଭୀର ଚିନ୍ତାର ବିଷୟ ଯେ ରାଜ୍ୟରେ ସରକାର ପରିବର୍ତନ ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଅବନତି ଘଟୁଛି। ଦୁଷ୍କର୍ମ, ହତ୍ୟା, ଲୁଟ୍ତରାଜ ଭଳି ଗୁରୁତର ଅପରାଧ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରୁ ସାଧାରଣ ଜନତା ଆତଙ୍କିତ ଓ ଅସୁରକ୍ଷିତ ଅନୁଭବ କରୁଛନ୍ତି।
ବ୍ରହ୍ମପୁରର ଜନସଂଖ୍ୟା ଓ ଭୌଗୋଳିକ ବିସ୍ତାରକୁ ଦୃଷ୍ଟିରେ ରଖି ଏଠାରେ ପୋଲିସ କମିଶନରେଟ୍ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ବିଭିନ୍ନ ସାମାଜିକ ସଂଗଠନ ବିଗତ ବର୍ଷଗୁଡ଼ିକରେ ଦୃଢ଼ ଦାବି ଉପସ୍ଥାପନ କରିଆସିଛନ୍ତି। କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ହେଉଛି ଯେ ପୂର୍ବତନ ଓ ବର୍ତମାନ ଉଭୟ ସରକାର ଏହି ଜନତାଙ୍କ ଦାବିରେ କର୍ଣ୍ଣପାତ କରିନାହାଁନ୍ତି।
ଆଇନ ଶୃଙ୍ଖଳା ଯେକୌଣସି ଗଣତାନ୍ତ୍ରିକ ସରକାରର ପ୍ରଥମ ଓ ସର୍ବାଧିକ ପ୍ରାଥମିକତା। ଏହି କ୍ଷେତ୍ରରେ ସରକାରଙ୍କର ଅଧିକ ସମ୍ବେଦନଶୀଳତା ଓ ସକ୍ରିୟତା ଆବଶ୍ୟକ, ଯାହାର ଘୋର ଅଭାବ ବର୍ତମାନ ପ୍ରଶାସନିକ ବ୍ୟବସ୍ଥାରେ ଦୃଷ୍ଟିଗୋଚର ହେଉଛି।
ସରକାରଙ୍କ ଅବନତିଶୀଳ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାର କରିବା। ବ୍ରହ୍ମପୁରରେ ତୁରନ୍ତ ପୋଲିସ କମିଶନରେଟ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ପୋଲିସ ପ୍ରଶାସନକୁ ଅଧିକ ଶକ୍ତିଶାଳୀ, ସକ୍ରିୟ ଓ ଜନମୁଖୀ କରିବା। ମହିଳା ସୁରକ୍ଷା ନିମନ୍ତେ ତୁରନ୍ତ ଏକ ସମନ୍ୱିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରି ମହିଳା ପ୍ରତି ନ୍ୟାୟ ପ୍ରଦାନ କରିବା ପାଇଁ ପୋଲିସ ପ୍ରଶାସନକୁ ପ୍ରସ୍ତାବ ଦଳ ତରଫରୁ ଦିଯାଇଛି।
ଆଜିର କାର୍ଯ୍ୟକ୍ରରେ ଜିଲ୍ଲା ସଭାପତି ସୁବାଷ ରାଉତ, ଜିଲ୍ଲା ସମ୍ପାଦକ ଆଦିତ୍ୟ ନାରାୟଣ ରଥ, ଗୋପାଳପୁର ବିଧାନସଭା ବିଧାୟକ ପ୍ରାର୍ଥୀ ପି. ନୀଳକଣ୍ଠ ରେଡ୍ଡୀ, ପଦ୍ମନାଭ ମହାରଣା, ସୁଧୀର ପ୍ରଧାନ, ରମେଶ ବେହେରା, ଆଡ଼ଭୋକେଟ କୈଳାଶ ସେଠୀ, ସୁଦର୍ଶନ ମଲ୍ଲିକ, ଶିବ କୁମାର କରାଡ଼ି, ମହମଦ ସଲିମ, ନିଭସ୍ମିତା ପ୍ରଧାନ, କେ.ମନୋଜ ରେଡ୍ଡୀ, ଏସ୍. କ୍ରିଷ୍ଣା ରେଡ୍ଡୀ, ଗୋପୀ ରେଡ୍ଡୀ, କିରଣ ରେଡ୍ଡୀ, ଅଜାମ୍ବିଳ ବିଶ୍ୱାଳ, ଶିବା ରେଡ୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ