କନ୍ଧମାଳ, ୨୨ ଜୁନ୍ (ହି.ସ.)- ଫୁଲବାଣୀ ସ୍ଥିତ ବନାନୀ କଳା ସଙ୍ଗମ ପରିସରରେ ଶନିବାର ନଟରାଜ କଳା ମନ୍ଦିର, ସଂଗୀତ ସାଧନା ଓ ବନାନୀ କଳା ସଙ୍ଗମର ମିଳିତ ସହଯୋଗରେ ବିଶ୍ବ ସଂଗୀତ ଦିବସ ପାଳିତ ହୋଇଥଲା l ଜିଲ୍ଲା ଲେଖକ ସାମୁଖ୍ୟ ସଭାପତି ତଥା ବରିଷ୍ଠ ଆଇନଜୀବି ରବୀନ୍ଦ୍ର ନାଥ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ସାହିତ୍ୟିକ ଗଦାଧର ପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଡଃ. ଅରୂପ ଜେନା, ସମ୍ମାନୀତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ପ୍ରମୂଖ ଯୋଗଦେଇ ସଙ୍ଗୀତ କିଭଳି ପିଲାଠୁ ବୁଢ଼ା ଯାଏ ସମସ୍ତଙ୍କ ମନ ଓ ହୃଦୟକୁ ଛୁଇଁ ପାରିଛି ଓ ମଣିଷକୁ ସଦାସର୍ବଦା ପ୍ରଫୁଲ୍ଲ ଓ ସୁସ୍ଥ ରଖିବାରେ ସାହାଯ୍ୟ କରେ ସେ ସମ୍ପର୍କରେ ମତ ଦେଇଥିଲେ l
ଏହି ଅବସରରେ ଜୀବନ ବ୍ୟାପୀ ସଂଗୀତ ସାଧନା ପାଇଁ ଶରତ ପଟ୍ଟନାୟକ ଓ ସଂଗୀତ ସାଧନା ସମ୍ମାନ ଭାବେ ବୌଦ୍ଧର ଲକ୍ଷ୍ମୀ ନାରାୟଣ ପୁରୋହିତଙ୍କୁ ଫୁଲ ତୋଡା, ଉପଢୌକନ, ଟ୍ରଫି ଆଦି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା l ସେହିପରି କଳାକାର ଯୁଧିଷ୍ଠିର ମହାନ୍ତି, ସଂଗୀତ ସାଧନାର ସନ୍ତୋଷ କୁମାର ଦାସ, ବରିଷ୍ଠ ନୃତ୍ୟ ଶିଳ୍ପୀ ବିନୋଦ କୁମାର ସାହୁ, ସଂଗୀତ ସାଧନାର ଅଧ୍ୟକ୍ଷ ଓ କଳାକାର ପ୍ରସନ୍ନ କୁମାର ପଣ୍ଡା, ମଞ୍ଚ ସଂଯୋଜକ ଦେବାଶିଷ ମିଶ୍ର, କଣ୍ଠ ଶିଳ୍ପୀ ତନୁଜା ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ପ୍ରଭାତ ଦାଶ, ତବଲା ବାଦକ ସାଗର କୁମାର ଜେନା ପ୍ରମୁଖଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ନଟରାଜ କଳା ମନ୍ଦିରର ଅଧ୍ୟକ୍ଷ ବିନୋଦ କୁମାର ସାହୁ ସୁଚାରୁରୂପେ ମଂଚ ପରିଚାଳନା କରିଥିବା ବେଳେ ଆବାହକ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l
ପରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସଂଗୀତ ସାଧନା ଗ୍ରୁପ ର କଳାକାର ମାନେ ମନଛୁଆଁ ଓଡ଼ିଆ ଓ ହିନ୍ଦୀ ଗୀତ ପରିବେଷଣ କରିଥିଲେ l ଏହି ଅବସରରେ ବହୁ ସଙ୍ଗୀତ ପ୍ରେମୀ, ସଂସ୍କୃତି ପ୍ରେମୀ, କଳାକାର, ବୁଦ୍ଧିଜୀବୀ, ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ l
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ