ସମ୍ବଲପୁର, ୨୨ ଜୁନ୍(ହି.ସ.) – ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ଜନ୍ମଦିନ ଅଗଷ୍ଟ ୦୧ ତାରିଖରେ। ସମ୍ବଲପୁରରେ ରାଜ୍ୟସ୍ତରୀୟ ସମ୍ବଲପୁରୀ ଦିନ ପାଇଁ ରବିବାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାରେ ଅନୁଷ୍ଠିତ ଏହି ବୈଠକରେ ସମ୍ବଲପୁରୀ ଭାଷା, ସାହିତ୍ୟ ଏବଂ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ଗୁରୁ ସତ୍ୟନାରାୟଣଙ୍କ ଅତୁଳନୀୟ ଅବଦାନ ବିଷୟରେ ଆଳୋଚନା କରାଯାଇଥିଲା। ପଶ୍ଚିମାଂଚଳ ଏକତା ମଂଚର ଆବାହକ ଭବାନୀଶ ଭୋଇ ଏହି ବୈଠକରେ ସଭାପତିତ୍ୱ କରିଥିଲେ। ଆଜି ସମ୍ବଲପୁରୀ ପାଇଁ ସାରା ଓଡିଶାବାସୀ ଗର୍ବ ଅନୁଭବ କରୁଛନ୍ତି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ତେବେ ଗୁରୁ ସତ୍ୟନାରାୟଣଙ୍କୁ ସରକାରୀ ସ୍ତରରେ ଯେଭଲି ସମ୍ମାନ ଦିଆଯିବା କଥା ତାହା ଆଜି ପର୍ଯ୍ୟନ୍ତ ହୋଇ ପାରିନଥିବାରୁ ଦୁଃଖ ପ୍ରକାଶ କରାଯାଇଥିଲା। ଏହାସହ ଗୁରୁ ବହିଦାରଙ୍କ ସ୍ମୃତିରେ ସମ୍ବଲପୁର ଜେଲ ଛକ ନିକଟରେ ସ୍ଥାପିତ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଦର୍ଶନ ଏବଂ ଗୁରୁଙ୍କ ସ୍ମୃତି ରକ୍ଷା ପାଇଁ ବିକାଶ କରାଯିବାକୁ ବୈଠକରେ ଦାବି କରାଯାଇଥିଲା। ଏନେଇ ଏକ ପ୍ରତିନିଧି ମଣ୍ଡଳ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବି ଜଣାଇବାକୁ ବୈଠକରେ ସ୍ଥିର କରାଯାଇଥିଲା। ଏହାସହ ଡେରା ପରିସରରେ ସମ୍ବଲପୁରୀ ହସ୍ତଶିଲ୍ପ ଏବଂ ହସ୍ତତନ୍ତ୍ର ବିକ୍ରୟ ସହ ସମ୍ବଲପୁରୀ ପୁସ୍ତକାଳୟ ଏବଂ ସମ୍ବଲପୁରୀ ସଂସ୍କୃତିର ସଂଗ୍ରହାଳୟ ପାଇଁ ବହୁତଳ ପ୍ରସାଦ ନିର୍ମାଣ କରିବା ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଥିଲା। ୨୦୧୩ ମସିହାରେ ପଶ୍ଚିମାଂଚଳ ଏକତା ମଂଚର ପ୍ରୟାସରେ ଗୁରୁ ବହିଦାରଙ୍କ ଜନ୍ମ ଶତବାର୍ଷିକୀ ପାଳନ ବର୍ଷ ଠାରୁ ଅଗଷ୍ଟ ଏକ ତାରିଖରେ ସମ୍ବଲପୁରୀ ଦିନ ପାଳନ କରାଯାଇ ଆସୁଛି। ସମ୍ବଲପୁରୀ ଦିନ ପାଳନ ପରଠାରୁ ସମ୍ବଲପୁରୀ କପଡାର ଚାହିଦା ବହୁମାତ୍ରାରେ ବୃଦ୍ଧି ପାଇଥିବା ବେଲେ ସମ୍ବଲପୁରୀ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବହୁ ସଙ୍ଗଠନ ଆଗଭର ହୋଇଛନ୍ତି। ସମ୍ବଳପୁରୀ ଦିନ ଏବେ ଆର୍ନ୍ତଜାତୀୟ ସ୍ତରକୁ ପହଂଚି ସାରିଥିବା ଏକତା ମଂଚର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ କହିଥିଲେ। ସମ୍ବଲପୁରୀ ଦିନରେ ଲୋକ ନିହାତି ନୁଆଁ ସମ୍ବଲପୁରୀ କପଡା ପିନ୍ଧୁ ଥିବାରୁ ବୁଣାକାର ମାନେ ଲାଭବାନ ହୋଇ ପାରୁଛନ୍ତି। ଯାହାଦ୍ୱାରା ପ୍ରତିବର୍ଷ ସମ୍ବଲପୁରୀ ଦିନର ଆକର୍ଷଣ ବୃଦ୍ଧି ପାଇବା ସହ କୋଟି କୋଟି ଟଙ୍କାର ସମ୍ବଲପୁରୀ କପଡା ବିକ୍ରୀ ହୋଇ ପାରୁଛି ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ପ୍ରସ୍ତୁତି ବୈଠକରେ ପଶ୍ଚିମ ଓଡିଶାର ବିଭିନ୍ନ ଜିଲାରେ ଆୟୋଜନ ହେଉଥିବା ସମ୍ବଲପୁରୀ ଦିନ କାଯ?ର୍ୟକ୍ରମ ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ବୈଠକରେ ସ୍ଥିର କରାଯାଇଥିଲା। ଏଥିପାଇଁ ସମ୍ବଲପୁରୀ ସଙ୍ଗଠନ ଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା ପାଇଁ ଗଠନ କରାଯାଇଥିବା ସମ୍ବଲପୁରୀ ମଚାନକୁ ସୁଦୃଢ କରିବା ପାଇ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ବୈଠକରେ ପଙ୍କଜିନୀ ବୈଠାରୁ, ଲଲିତା ଭୋଇ, ଝୁନୁ ତ୍ରୀପାଠୀ, ସୁଷମା ପ୍ରଧାନ, ଅଲକା ମହାପାତ୍ର, ଭୁମିସୁତା ମେହେର, ରାହୁଲ ଗୁପ୍ତା, ଅମିତାଭ ମାଝୀ, ସୁବୋଧ କୁମାର ଦୋରା, ପ୍ରଥମ କୁମାର ପଣ୍ଡା, ଭବାନୀ ଶଙ୍କର ମେହେର, ଦଶରଥ ମେହେର, ରାମଦାସ ପଣ୍ଡା ପ୍ରମୁଖ ସାମିଲ ରହିଥିଲେ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ