ବୌଦ୍ଧ, ୨୫ ଜୁନ୍ (ହି.ସ.) - ବୌଦ୍ଧ ଜିଲ୍ଲା ସଦର ମହକୁମା ସ୍ଥିତ ବୌଦ୍ଧ- କିଆକଟା ବ୍ରିଜଛକ ଠାରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ରକ୍ଷଣା ବେକ୍ଷଣ ଅଭାବରୁ ଚିରାଜିର୍ଣ୍ଣ ଅବସ୍ଥାରେ ପଡିରହିଛି । ଯାହାଫଳରେ ପରିସରଟି ଅଳିଆ ଆବର୍ଜନା ପଡିରହିଛି । ଏଭଳି ଯଦି ପଡିରହେ ତାହାହେଲେ କୋଠାଟି ଅଳ୍ପ ଦିନ ମଧ୍ୟରେ ନଷ୍ଟ ହେବାର ସମ୍ଭାବନା ରହିଛି । ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ବନ୍ଦ ଯାହାଫଳରେ ଏଠାରେ ମଦୁଆ ଓ ଗଂଜୁଆଙ୍କ ଆଡ୍ଡାସ୍ଥଳି ପାଲଟିଛି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ଗତ ଜୁଲାଇ ମାସ ୧ ତାରିଖ ଠାରୁ ବନ୍ଦ ହୋଇ ପଡିରହିଛି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ବନ୍ଦ ହୋଇ ପଡିବା ଫଳରେ ଏହି ରାସ୍ତାରେ ଯାଉ ଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ବନ୍ଦ ପଡିଥିବାରୁ ଏହାର ସୁଯୋଗ ନେଇ ମଦ୍ୟପ, ଗଂଜୁଆ ମାନେ ଏଠାରେ ସେମାନଙ୍କର ଆସର ଜମାଉଛନ୍ତି । ସୂଚନା ମତେ, ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରମାନ ନିର୍ମାଣ କରିଥିଲେ । ସେହିପରି ବୌଦ୍ଧ ସହର ବୌଦ୍ଧ-କିଆକଟା ମହାନଦୀ ସେତୁ ନିକଟରେ ୫୭ ନମ୍ବର ଜାତୀୟ ରାଜପଥ କଡରେ ପ୍ରାୟ ଏକ କୋଟି ତିରିଶ ଲକ୍ଷ ଟଙ୍କା ବ୍ୟୟରେ ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ କରାଯାଇଥିଲା । ଏହାକୁ ୨୦୧୮ ଜୁଲାଇ ୩୧ ତାରିଖରେ ଉଦଘାଟନ ହୋଇଥିଲା । ଏହି କେନ୍ଦ୍ରରେ ଯାତ୍ରୀମାନେ ବିଶ୍ରାମ ନେବା ସହିତ ପାନୀୟ ଜଳ, ଲେଟିନ ଓ ବାଥରୁମର ବ୍ୟବସ୍ଥା ରହିଥିଲା । ଯାହାଫଳରେ ଯାତ୍ରୀମାନ ଆସି ସାଙ୍ଗରେ ଆଣିଥିବା ଖାଦ୍ୟ ଖାଇ କିଛି ସମୟ ଏଠାରେ ବିଶ୍ରାମ ନେଇ ଚାଲିଯାଇଥାନ୍ତି । ଏହି ପଥପ୍ରାନ୍ତ ସୁବିଧା କେନ୍ଦ୍ରଟି ୨୪ ଘଂଟିଆ ସେବା ଯୋଗାଇ ଦିଆଯାଉଥିଲା । ଜାତୀୟ ରାଜପଥ କଡରେ ରହିଥିବାରୁ ପ୍ରତିଦିନ ଶହଶହ ଗାଡି ମଟର ଏହି ରାସ୍ତାଦେଇ ଯାଉଥିବା ସମୟରେ ଯାତ୍ରୀମାନେ ଏଠାରେ ଆସି କିଛି ସମୟ ବିଶ୍ରାମ ନେଉଥିଲେ । ବୌଦ୍ଧ- କିଆକଟା ସେତୁ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାର ସମ୍ବଲପୁର, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ,ରାଉଲକେଲା, ବରଗଡକୁ ସଂଯୋଗ କରୁଥିବା ବେଳେ ଓ ଦକ୍ଷିଣ ଓଡିଶା ସହିତ ଉତ୍ତର ଓଡିଶାର କେନ୍ଦୁଝରକୁ ସଂଯୋଗ କରୁଛି । ସେହିପରି ଢେଙ୍କାନାଳ, ଅନୁଗୁଳ ଆଦି ଜିଲ୍ଲାକୁ ଦୂରତ୍ୱ ଦୃଷ୍ଟିରୁ କମ ହୋଇଥାଏ । ଯାହାଫଳରେ ଲୋକମାନେ ବୌଦ୍ଧଜିଲ୍ଲା ଦେଇ ଯିବା ଆସିବା କରିଥାନ୍ତି ଏବଂ ଏଠାରେ ଅନେକ ଯାତ୍ରୀ ବିଶ୍ରାମ କରିଥାନ୍ତି । ବର୍ତମାନ ଏହା ବନ୍ଦ ରହିଥିବାରୁ ଯାତ୍ରୀମାନେ ଏହାର ସୁବିଧା ପାଇବାରୁ ବଂଚିତ ହେଉଛନ୍ତି । ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ସେଠାରେ ଏକ ମିନି ପାର୍କ ମଧ୍ୟ ଥିଲା । ହେଲେ ଏବେ ରକ୍ଷଣାବେକ୍ଷଣ ଅଭାବରୁ ଉଭୟ ପଥପ୍ରାନ୍ତ ସୁବିଧା କେନ୍ଦ୍ର ଓ ମିନି ପାର୍କଟି ନଷ୍ଟ ହେବାକୁବସିଲାଣି । ଏନେଇ ପୂର୍ତ ବିଭାଗ ଅଧିକ୍ଷଣଯନ୍ତ୍ରୀ ଙ୍କୁ ପଚାରିବାରୁ ସରକାରଙ୍କ ନିର୍ଦ୍ଦେଶ ମୁତାବକ ମିଶନଶକ୍ତି ବିଭାଗକୁ ହସ୍ତାନ୍ତର କରାଯାଇଛି । ମିଶନ ଶକ୍ତି ଡିପିସି ଙ୍କୁ ପଚାରିବାରୁ ଏହାର ପରିଚାଳନା କିପରି କରାଯିବ ସେଥିପାଇଁ ଅନୁସାଙ୍ଗିକ ବ୍ୟବସ୍ଥା ଓ ଗାଇଡ ଲାଇନ ସ୍ପଷ୍ଟ ହୋଇ ନ ଥିବା ପ୍ରକାଶ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସମ୍ପତ / ଭାନୁ
ହିନ୍ଦୁସ୍ଥାନ ସମାଚାର / ସମ୍ମତ କୁମାର ଅଗ୍ରୱାଲା