ପୁରୀ, 29 ଜୁନ୍ (ହି.ସ.)
ରବିବାର ଭୋରୁ ଭୋରୁ ତିନିରଥ ସମ୍ମୁଖରେ ଦଳାଚକଟା ଓ ଠେଲାପେଲାରେ ୩ ମୃତ ୮୦ ଆହତ ହୋଇଛନ୍ତି । ଏହି ଅଘଟଣ ଭୋର ୪ଟା ୨୦ ମିନିଟରେ ହୋଇଥିଲା । ଗତକାଲି ରାତି ୧୨ ଟା ୧୫ରେ ତିନିରଥରେ ଶ୍ରୀଜୀଉଙ୍କ ପହୁଡ ନୀତି ଅନୁଷ୍ଠିତ ହୋଇଥିଲା । ଶନିବାର ଓ ରବିବାର ଛୁଟି ଥିବାରୁ ଅଧିକ ଭକ୍ତ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିଥିଲେ । ରାତି ୧୨ଟା ପରେ ଭକ୍ତ ମାନେ ଆଉ ଦର୍ଶନ କରିନପାରି ଅପେକ୍ଷାରତ ଥିଲେ । ପହୁଡ ଖୋଲିବା ପରେ ହଠାତ ଭକ୍ତ ମାନେ ଦର୍ଶନ ପାଇଁ ମାଡି ଆସିଥିଲେ । ଏହି ସମୟରେ ରଥ ପାଖରେ ଚାରମାଳ ଟ୍ରକ ପହଞ୍ଚି ଅନଲୋଡ କରିବା ଫଳରେ ସେଠାରେ ଶୋଇଥିବା ଭକ୍ତ ମାନେ ଏଣେତେଣେ ଦଉଡି ଥିଲେ । ଏହି ସମୟରେ ଦଳାଚକଟା ଫ୍ଲୋ ଆରମ୍ଭ ହେବାରୁ ଶହ ଶହ ଭକ୍ତ ତଳେ ପଡି ଚିତ୍କାର କରିଥିଲେ । ପ୍ରତେକ୍ଷଦର୍ଶୀ କହିବା ଅନୁଯାଇ ଡ୍ୟୁଟିରେ ଥିବା ହାତଗଣତି ପୋଲିସ ଜୀବନ ରକ୍ଷା ପାଇଁ ଦଉଡିଥିଲେ । ଦଳାଚକଟାରେ ଆହତଙ୍କ ମଧ୍ଯରୁ ଖୋର୍ଦ୍ଧା ଜିଲ୍ଲା ଗୋବର୍ଦ୍ଧନପୁରର ବାସନ୍ତି ସାହୁ (୩୬), ଭୁବନେଶ୍ବର ନୂଆପଲ୍ଲୀର ପ୍ରେମଚାନ୍ଦ ମହାନ୍ତି ( ୭୮) ,ବାଲିପାଟଣା ଅଠାନ୍ତର ପ୍ରଭାତୀ ଦାସ ଗୁରୁତର ହୋଇ ଜିଲ୍ଲାମୁଖ୍ଯ ଚିକିତ୍ସାଳୟକୁ ସମ୍ପର୍କୀୟ ମାନେ ଆଣିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦଳାଚକଟା ଓ ଠେଲାପେଲାରେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଭକ୍ତ ଆହତ ହୋଇଥିବା କୁହାଯାଉଛି । ରଥ ପାଖରେ ଭକ୍ତ ଶୋଇଥିବା ବେଳେ ଚାର ମାଳ ଟ୍ରକ ପ୍ରବେଶ ପାଇଁ କିଏ ଅନୁମତି ଦେଇଥିଲା ସେ ସମ୍ପର୍କରେ ଯାଞ୍ଚ ଚାଲିଛି । ଏ ସମ୍ପର୍କରେ ଆଇନମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ କହିଛନ୍ତି ଘଟଣା ସମ୍ପର୍କରେ ଅବଗତ ଅଛି ଓ ମୁଖ୍ଯମନ୍ତ୍ରୀଙ୍କୁ ଜଣାଇଛି । ଘଟଣା ସ୍ଥଳରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପହଞ୍ଚି ପ୍ରଶାସନିକ ଅନୁଧ୍ୟାନ କରୁଛନ୍ତି । ଘଟଣ ସମ୍ପର୍କରେ ତଦନ୍ତ କରାଯିବ । ମୃତକ ମାନେ ପୁରୀ ମେଡିକାଲରେ ଅଛନ୍ତି ଓ ସେମାନଙ୍କ ଶବ ବ୍ୟବଚ୍ଛେଦ କରାଯିବ । ୯ ଜଣ ଅଣନିଶ୍ବାସୀ ହୋଇ ମେଡିକାଲରେ ଚିକିତ୍ସାଧିନ ରହିଛନ୍ତି । ଘଟଣା ସ୍ଥଳରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଓ ପୁରୀ ଏସପି ବିନୀତ ଅଗ୍ରୱାଲ ପହଞ୍ଚି ପୋଲିସ ଡ୍ଯୁଟିରେ ଥିଲେ ବୋଲି ଗଣମାଧ୍ୟମକୁ କହିଛନ୍ତି । ପ୍ରଶାସନିକ ଅବହେଳା ଯୋଗୁ ଏଭଳି ଅଘଟଣ ଘଟିଲା ବୋଲି ଭକ୍ତ ମାନେ କହିଛନ୍ତି । ଏହା ସତ୍ତ୍ବେ ଦର୍ଶନ ବ୍ଯବସ୍ଥା ଚାଲୁ ରହିଛି । ୧୦ଟା ୩୦ରେ ସକାଳଧୂପ ପୂଜା ଶେଷ ହୋଇଛି । ଘଟଣା ସ୍ଥଳରେ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବିଜୟ