ବିଜାପୁର/ରାୟପୁର, ୭ ଜୁନ୍ (ହି.ସ.)- ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାର ଘଂଚ ଜଙ୍ଗଲ ବିଶିଷ୍ଟ ଇନ୍ଦ୍ରାବତୀ ନେଶନାଲ ପାର୍କ ଅଂଚଳରେ ଚାଲିଥିବା ଅଭିଯାନର ତୃତୀୟ ଦିନରେ ଶନିବାର ସୁରକ୍ଷାବଳର ଗୁଳିରେ ଆଉ ୨ ଜଣ ନକ୍ସଲ ନିହତ ହୋଇଛନ୍ତି । ଏମାନଙ୍କ ନିକଟରୁ ଅଟୋମେଟିକ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବିଜାପୁର ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ ଏନେଇ ସୂଚନା ଦେଇଛନ୍ତି । ନେଶନାଲ ପାର୍କ ଅଂଚଳରେ ଚାଲିଥିବା ଏହି ଅଭିଯାନ ଜାରି ରହିଛି ।
ବିଜାପୁରର ନେଶନାଲ ପାର୍କ ଅଂଚଳରେ ନକ୍ସଲ ବିରୋଧୀ ଅଭିଯାନ କ୍ରମେ ସୁରକ୍ଷା ବଳକୁ ମିଳିଛି ବଡ ସଫଳତା । ସମ୍ପୃକ୍ତ ଅଂଚଳରେ ଗୁରୁବାର ଫୋର୍ସ ଦ୍ୱାରା ସେଂଟ୍ରାଲ କମିଟି ମେମ୍ବର ତଥା ଜଣେ କୋଟିଏ ଟଙ୍କାର ପୁରସ୍କାର ଘୋଷିତ ନକ୍ସଲ ସୁଧାକର ନିହତ ହୋଇଥିବା ବେଳେ ଶୁକ୍ରବାର ଅପରାହ୍ନରେ ତେଲେଙ୍ଗାନା ଷ୍ଟେଟ କମିଟିର ସଦସ୍ୟ ତଥା ୨୫ ଲକ୍ଷ ପୁରସ୍କାର ଘୋଷିତ ଭାସ୍କର ନିହତ ହୋଇଥିଲା । ଏହି ଅଭିଯାନରେ ଟପ୍ କମାଣ୍ଡର ମାନଙ୍କ ସମେତ ମୋଟ୍ ୪ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି ।
ଏହି ଅପରେସନରେ ଡିଆରଜି, ଏସଟିଏଫ ଏବଂ କୋବ୍ରା ବାଟାଲିୟନ ସାମିଲ୍ ରହିଛି । ଏହା ହେଉଛି ସେହି ଅଂଚଳ ଯାହାକି ଦିନେ ନକ୍ସଲଙ୍କ ଅଭେଦ୍ୟ ଦୁର୍ଗ ଭାବେ ପରିଗଣିତ ଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ