Bhubaneswar, 7 ଜୁନ୍ (ହି.ସ.)
-ଡିଣ୍ଡିମ୍ ପିଟୁଥିବା ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଯୋଗାଣ ବ୍ୟବସ୍ଥାର ଆଉ ଏକ ନମୁନା
-ଅପରାଧୀକ ଅବହେଳା କରିଥିବା ଅଧିକାରୀଙ୍କୁ ଦଣ୍ଡିତ କରାଯାଉ
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକର ୩୪୪ ଚାଷୀଙ୍କ ଧାନ ବିକି୍ର ବକେୟା ପ୍ରାୟ ସାଢେ ୪ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ପ୍ରଦାନ କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି । ଭୁବନେଶ୍ୱରଠାରେ ରାଇଘର ଚାଷୀଙ୍କ ଅହୋରାତ୍ର ଧାରଣାସ୍ଥଳକୁ ଯାଇ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ଉପସଭାପତି ଶ୍ରୀ ସଂଜୟ ଦାସ ବର୍ମା, ଚାଷୀଙ୍କ ନ୍ୟାର୍ଯ୍ୟ ଦାବିକୁ ସମର୍ଥନ ଜଣାଇବା ସହ ରାଜ୍ୟ ସରକାର ଏ ବାବଦରେ ଅତିଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଥିଲେ ।
ଗତ ତିନି ଦିନ ଧରି ରାଇଘର ବ୍ଲକର ଚାଷୀମାନେ ଆସି ରାଜଧାନୀରେ ଅହୋରାତ୍ର ଧାରଣା ଦେଇଛନ୍ତି । ସେମାନେ ସରକାରୀ ନିୟମ ମୁତାବକ ଟୋକେନ ଜରିଆରେ ୧୮,୦୦୦ କୁଣ୍ଟାଇ ଧାନ ବିକ୍ରୟ କରିବାର ଚାରି ମାସ ବିତିଯାଇଥିଲେ ମଧ୍ୟ ସେମାନଙ୍କର ପ୍ରାପ୍ୟ ସରକାର ପ୍ରଦାନ କରିନାହାନ୍ତି । ଗତକାଲି ଧାରଣା ସ୍ଥଳକୁ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ରମେଶ ମାଝୀ ଓ ଶ୍ରୀ ପ୍ରଦୀପ ମାଝୀ ଯାଇ ଚାଷୀଙ୍କୁ ସମର୍ଥନ ଜଣାଇଥିଲେ । ଆଜି ବିଜେଡିର ଦୁଇ ବରିଷ୍ଠ ନେତା ଶ୍ରୀ ମିଶ୍ର ଓ ଶ୍ରୀ ଦାସବର୍ମା ଧାରଣାରେ ସାମିଲ ହେବା ସହ ସରକାରଙ୍କ ଚାଷୀଙ୍କ ପ୍ରତି ହେୟ ମନୋଭାବକୁ କଡା ଭାଷାରେ ନିନ୍ଦା କରିଥିଲେ । ଚାଷୀଙ୍କ ଜୀବନଜୀବିକା ସହ ଖେଳି, ଏହିଭଳି ଅପରାଧୀକ ଅବହେଳା କରିଥିବା ଅଧିକାରୀମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଧାନ ସଂଗ୍ରହକୁ ନେଇ ରାଜ୍ୟ ସରକାର ଯେଉଁଭଳି ନିଜ ପିଠି ନିଜେ ଥାପୁଡଉଛନ୍ତି, ଏହା ତାହାର ଏକ ଜ୍ୱଳନ୍ତ ନମୁନା । ଚାଷୀଙ୍କଠାରୁ ଧାନ ସଂଗ୍ରହ କରି ସାରିବା ପରେ ଚାରି ମାସ ଧରି ବକେୟା ପ୍ରଦାନ ନକରି ନିରବ ରହିବା ରାଜ୍ୟ ସରକାରଙ୍କ ଚାଷୀକୂଳ ପ୍ରତି ସମ୍ବେଦନହୀନତାର ପରିଚୟ ବୋଲି ଉଭୟ ଶ୍ରୀ ମିଶ୍ର ଓ ଦାସବର୍ମା ଅଭିଯୋଗ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା