ଚମ୍ପୁଆ, ୭ ଜୁନ (ହିସ) - ଚମ୍ପୁଆ ବ୍ଲକର ବିଭିନ୍ନ ପଂଚାୟତରେ ହେଉଥିବା ମନରେଗା ଯୋଜନା ମୂଳ ଉଦେଶ୍ୟ ଠାରୁ ବିଚ୍ୟୁତ ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଚେକଡ୍ୟାମ ନିର୍ମାଣ, ରାସ୍ତା ଉନ୍ନୟନ, ପୋଖରୀ ଖନନ, ପୋଖରୀ ପୁନଃଉଦ୍ଧାର, ଚାଷ ଉପଯୋଗୀ ଜମିର ଉର୍ନ୍ନତି କରଣ ପରି ବିଭିନ୍ନ କାମ ପାଇଁ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଉଥିବା ବେଳେ ବିଭିନ୍ନ ପଂଚାୟତରେ ହେଉଥିବା ମନରେଗା କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ଦେଖିବାକୁ ମିଳୁଛି। ପଂଚାୟତ ନିର୍ବାହୀ ଅଧିକାରୀ ଓ ସ୍ଥାନୀୟ ଜନ ପ୍ରତିନିଧିଙ୍କ ମଧୁଚନ୍ଦ୍ରିକାରେ ଯୋଜନାର ନିର୍ଦେଶାବଳିକୁ ଫୁ କରି ଅଧିକ ମୁନାଫା କମାଇବା ଆଶାରେ ଅଧାରାତିରେ ମେସିନ ସାହାଯ୍ୟରେ କାମ କରା ଯାଉଛି। ଯାହା ଦ୍ୱାରା ସ୍ଥାନୀୟ ଲୋକେ କାମ ନ ପାଇ ହାତ ବାନ୍ଧି ବସିଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଚମ୍ପୁଆ ବ୍ଲକ୍ ଜଜପଶି ପଂଚାୟତ ଅନ୍ତର୍ଗତ ବାଉଟିଆପଦା ଗ୍ରାମରେ । ଗତ ୨୦୨୩- ୨୪ ଆର୍ôଥକ ବର୍ଷରେ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଜଜପଶି ଗ୍ରାମପଂଚାୟତ କାର୍ଯ୍ୟାଦେଶରେ ବାଉଟିଆପଦା ପୋଖରୀ ଓ ଗାଡ଼ୱାଲର ପୁନଃଉଦ୍ଧାର ପାଇଁ ଛଅ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆ ଯାଇଥିଲା । ତେବେ ଗତ ୨୦୨୪ ମସିହା ନଭେମ୍ବର ୨୫ ତାରିଖରେ ଏହି କାର୍ଯ୍ୟକୁ ଆରମ୍ଭ କରା ଯାଇଥିବା ନେଇ ସୂଚନା ଫଳକରେ ଦର୍ଶା ଯାଇଥିବା ବେଳେ ଏହା ଭିତରେ ଦୀର୍ଘ ଛଅ ମାସ ବିତି ଯାଇଥିଲେ ମଧ୍ୟ ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ ହୋଇ ପାରି ନ ଥିଲା। ଆଗକୁ ବର୍ଷା ଦିନ ଆସୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ ପରେ ପଂଚାୟତ କର୍ତୃପକ୍ଷ ଓ ଠିକାଦାର ମିଳିତ ଭାବେ ଦୀର୍ଘ ଦିନରୁ ଅଧପନ୍ତରିଆ ଭାବେ ପକାଇ ରଖିଥିବା ଏହି ପୋଖରୀ ପୁନଃ ଉଦ୍ଧାର କାର୍ଯ୍ୟକୁ ଜେନତେନ ପ୍ରକାରେ ସମ୍ପୂର୍ଣ୍ଣ କରି ଅନୁଦାନ ଅର୍ଥକୁ ହଡପ କରିବାକୁ ବିଧିବଦ୍ଧ ଯୋଜନା କରି ଅଧା ରାତିରେ ମେସିନ ସାହାଯ୍ୟରେ କାମ କରୁଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ମନରେଗା କାର୍ଯ୍ୟ ଗୁଡିକରେ ବ୍ୟାପକ ଅନିୟମିତତା ହେଉଥିଲେ ମଧ୍ୟ ବ୍ଲକ ପ୍ରଶାସନ ଆଖି ଦୃଶିଆ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିଭିନ୍ନ ପଂଚାୟତରେ ଦୁର୍ନୀତି ଚରମ ସୀମାରେ ପହଂଚିଥିବା ନେଇ ଅଭିଯୋଗ ହେଉଛି। ତେଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।
----------------
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta