ଜୟପୁର, ୭ ଜୁନ୍ (ହି.ସ.)- କଥାରେ ଅଛି, ଚାଷ କାମ ଯାହାର, କି ଆନନ୍ଦ ତାହାର, ସିଏ ପରା ଯୋଗାଉଛି ଦୁନିଆକୁ ଆହର । ଏହି କାର୍ଯ୍ୟ ପାଇଁ ଚାଷୀ ସଭିଙ୍କ ପାଖରେ ଆଦର ପାଉଥିଲା । ଦିନ ଥିଲା ଗ୍ରାମାଞ୍ଚଳ ଲୋକେ ଅନ୍ୟ କାର୍ଯ୍ୟ ଅପେକ୍ଷା ଚାଷ କାର୍ଯ୍ୟ କରିବା ପାଇଁ ଆଗଭର ହେଉଥିଲେ । ବିଭିନ୍ନ କାରଣରୁ ଧିରେ ଧିରେ ଏବେ ଚାଷ କାମ ବନ୍ଦ ହେବାକୁ ବସିଛି । ପୂର୍ବରୁ ଚାଷ କରୁଥିବା ପ୍ରଣାଳୀ ବଦଳାଇ ନୂତନ ପଦ୍ଧତିରେ ଚାଷ କରି ଅଧିକ ଉପାର୍ଜନ ପାଇଁ ଉଦ୍ୟମ ଆରମ୍ଭ ହେଉଥିବା ବେଳେ ଏହା ଏବେ ପୋଥି ବାଇଗଣ ପାଲଟିଯିବ ଏହି ଆଶଙ୍କା ପ୍ରକାଶ ପାଉଛି ।
କୋରାପୁଟ ଜିଲା ଚାଷୀ ମୁଖ୍ୟତଃ ଖରିଫ ଓ ରବି ଋତୁରେ ଧାନ ଚାଷ କରିଥାନ୍ତି । ଏବେ ଚାଷ କାମ ବାଟବଣା ହେଉଥିବା ବେଳେ ଚାଷର ଉପାୟ ବଦଳିବାରେ ଲାଗିଛି । ହଳରେ ଏବେ ଆଉ ପ୍ରାୟ କେହି ଚାଷ କରୁନଥିବା ବେଳେ ଚାଷୀ ହୁଳହୁଳି, ହଳିଆ ଗୀତ ପୂର୍ବଭଳି ଆଉ ରୁଆ, ବୁଣା ବେଳେ ଶୁଣିବାକୁ ମିଳୁନାହିଁ । ପୂର୍ବରୁ ଚାଷୀ ଜମିରେ ଚାଷ ପାଇଁ ହଳ, ଲଙ୍ଗଳ ବ୍ୟବହାର କରୁଥିଲେ । ଏବେ ଚାଷ ପାଇଁ ଟ୍ରାକ୍ଟର, ପାୱର ଟିଲର୍ ସହ ଆଧୁନିକ ଯନ୍ତ୍ରପାତି ବ୍ୟବହାର ହେଉଛି । ମାସ ମାସ ଧରି ଚାଲୁଥିବା ଚାଷ କାମ ଏବେ କମ୍ ଦିନରେ ଶେଷ ହେଉଛି । ପ୍ରତି ଗାଁରେ ପୂର୍ବେ ଘରେ ଘରେ ଜମି ଚାଷ ପାଇଁ ବଳଦ, ପୋଢ ପାଳନ କରାଯାଉଥିଲା । ଏପରିକି କିଛି ଧନୀ ଚାଷୀ ଗାଈ ବଳଦଙ୍କ ପାଇଁ ହଳିଆ ମଧ୍ୟ ରଖୁଥିଲେ । ଘର ଆଗରେ ଗୁହାଳ ଦେଖିବାକୁ ମିଳୁଥିଲା । ହଳପାଇଁ ଚାଷୀ କୁସୁମ, ଫାଶୀ, ବାବୁଲ, ଗୁହାରିଆ ପ୍ରଭୃତି, କାଠର ଲଙ୍ଗଲ, ଢାମଣ, ଇଷ ତଥା ଅନ୍ୟାନ୍ୟ ଉପକରଣ ରଖାଯାଉଥିଲା । କିଛି ଚାଷୀ ମାମୁଁ ଭଣଜା ବଳଦକୁ ଏକାଠି କରି ହଳ କାର୍ଯ୍ୟରେ ଲଗାଉଥିଲେ । ପ୍ରତିବର୍ଷ ପ୍ରଥମ ବର୍ଷା ପରେ ଚାଷୀମାନେ ବଳଦ ବିକାକିଣା କରିବା ସହିତ ଅନ୍ୟଗ୍ରାମରୁ ବଳଦ କିଣି ଆଣୁଥିଲେ । ମହାଲକ୍ଷ୍ମୀ ସ୍ନାନ ଦିନ ଭୋର ସମୟରେ ତଳିଘଣା ପରେ ପୂଜାର୍ଚ୍ଚନା କରି ରୁଆ କାର୍ଯ୍ୟ ଆରମ୍ଭ କରୁଥିଲା । ହଳ ଧରି ବିଭିନ୍ନ ଢଙ୍ଗରେ ମଧୁର କଣ୍ଠରେ ଗୀତ ଗାଇ ହଳ କରୁଥିବା ଦେଖାଯାଉଥିଲା । ମହିଳାମାନେ ହୁଳହୁଳି ସହ ମିଳିତ ଭାବେ ଗୀତ ଗାଉଥିଲେ । ଦୂରରୁ ଗୀତ ଶୁଭିଲେ ଚାଷ କାମ ଚାଲିଥିବା ସଂକେତ ମିଳୁଥିଲା । ଗୋଟିଏ ଜମିରେ ମହିଳା ଗୀତ ଗାଇବା ଆରମ୍ଭ କଲେ ଅନ୍ୟ ଜମିର ମହିଳା ତାହା ଅନୁସରଣ କରୁଥିଲେ । ରାମ ଯେ ଲଇଖଣ ଗଲେ ମୃଗମାରି ଓ ଅନ୍ୟ ଗୀତ ଆଉ ଶୁଣାଯାଉନାହିଁ । ବିଭିନ୍ନ କାରଣରୁ ଏବେ ହଳ ରଖିବା ବନ୍ଦ ହୋଇଯାଉଥିବା ବେଳେ ଗ୍ରାମାଞ୍ଚଳରେ ପଶୁସମ୍ପଦ ବିଶେଷ ଭାବେ ହ୍ରାସ ପାଇଛି । ଚାଷ ଜମିରେ ଘର ନିର୍ମାଣ ସହ ବର୍ଷ ବର୍ଷ ଧରି ଜମି ପଡିଆ ରଖାଯାଉଛି । ଉର୍ବର ଜମି ମଧ୍ୟ ଏଥିରୁ ବାଦ ପଡ଼ୁନି । ପୂର୍ବରୁ ଶ୍ରମିକଙ୍କୁ ବର୍ଷିକିଆ ଚୁକ୍ତି ଭିତ୍ତିରେ ନିଯୁକ୍ତି ଦିଆଯାଇ ଧାନ, ମାଣ୍ଡିଆ, ସୁଆଁ ପ୍ରଭୃତି ଦିଆଯାଉଥିଲା । ଶସ୍ୟ ମାପିବା ପାଇଁ ନଉତି, ଅଡା ଆଦି ବ୍ୟବହାର କରାଯାଉଥିବା ବେଳେ ଏବେ ସବୁ ଟଙ୍କାରେ ହେଉଛି । ଟ୍ରାକ୍ଟରରେ ଜମି ଚାଷ ହେଉଛି । ସମୟ କ୍ରମେ ଅନେକ ପରିବର୍ତ୍ତନ ଘଟିଛି । ଚାଷ କାମର ଶୈଳୀ ପରିବର୍ତ୍ତନ ଯୋଗୁଁ ହଳ, ହୁଳହୁଳି, ହଳିଆ ଗୀତ ଏବେ ହଜିଯିବାକୁ ବସିଲାଣି ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଜଣାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି