ଜୟପୁର 8 ଜୁନ୍ (ହି.ସ.)ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଅଧିନସ୍ଥ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଠାରେ ପରିଚାଳିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ପ୍ରକଳ୍ପ ଓଡିଶାର ଢିପ ଜମିରେ ପୁଷ୍ଟି ଶଷ୍ୟ ଚାଷର ବିକାଶ ଅଧିନରେ ଥିବା ରାଜ୍ୟର ପାଞ୍ଚଟି ଜିଲ୍ଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ନବରଙ୍ଗପୁର ଓ କୋରାପୁଟ ମଧ୍ୟରୁ କୋରାପୁଟ ଜିଲ୍ଲାର ବଇପାରିଗୁଡା ବ୍ଲକ୍ ସ୍ଥିତ ଦଶମନ୍ତପୁର ଗ୍ରାମର ଅଗ୍ରଣୀ ଚାଷୀ ନେତ୍ରାନନ୍ଦ ଲେଙ୍କାଙ୍କ ଜମିରେ ରେ ଟ୍ରାକ୍ଟର ଚାଳିତ ନଅ ଧାଡ଼ିଆ ପୁଷ୍ଟିଶସ୍ୟ ମଞ୍ଜି ଓ ସାର ବୁଣା ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକୁ ପାରମ୍ପରିକ ପଦ୍ଧତିରେ ବଳଦ ଟଣା ଲଙ୍ଗଳ ସାହାଯ୍ୟରେ ଧାଡ଼ି ବୁଣା କରିବା ପାଇଁ ଏକର କୁ ୪ ହଳ ବଳଦ ଓ ହାରାହାରି ୧୦ ଜଣ ଲୋକ ଲାଗିବା ସହିତ ମଞ୍ଜି ସଠିକ ବ୍ୟବଧାନ ଓ ସଠିକ ପରିମାଣରେ ପଡି ନଥାଏ କିନ୍ତୁ ଏହି ଟ୍ରାକ୍ଟର ଚାଳିତ ମଞ୍ଜି ଓ ସାର ବୁଣା ଯନ୍ତ୍ର ସାହାଯ୍ୟରେ ଧାଡ଼ି କୁ ଧାଡ଼ି ୨୦-୨୨ ସେମି ଏବଂ ମଞ୍ଜି କୁ ମଞ୍ଜି ୧-୨ ସେମି ବ୍ୟବଧାନରେ ୧ ଘଣ୍ଟାରେ ୧ ଏକର ଜମିରେ ଏକର ପିଛା ୪ କେଳି ମଞ୍ଜି ହିସାବରେ ସଠିକ ଭାବରେ ବୁଣା ଜାଇ ପାରିବ। ଏଠାରେ ଉଲ୍ଲେଖ ଯେ ରାଜ୍ୟ ସରକାରଙ୍କ ଦ୍ବାରା ସାରା ରାଜ୍ୟରେ ଚାଷୀଙ୍କୁ ୩୦୦ ଗୋଟି ଯନ୍ତ୍ର ଶୁଖୁଲା ଜମିରେ ଧାଡ଼ି ରେ ଧାନ ମଞ୍ଜି ବୁଣିବା ନିମନ୍ତେ ଉପଲବ୍ଧ କରାଯାଇଛି ଯେଉଁଥିରେ କେବଳ ମଞ୍ଜି ବୁଣା ପ୍ଲେଟ୍ କୁ ବଦଳାଇ ବହୁ ପୁଷ୍ଟିଶଷ୍ୟ ମଞ୍ଜି ଯେପରି ସୁଆଁ, କାଙ୍ଗୁ, ମାଣ୍ଡିଆ, ବିଲ ସୁଆଁ ଇତ୍ୟାଦି ମଧ୍ୟ ବୁଣା ଜାଇ ପାରିବ ଏହି ପଦ୍ଧତି ଦ୍ଵାରା ଫସଲର ଅମଳ ବୃଦ୍ଧି ହେବା ସହିତ ଚାଷ କାର୍ଯ୍ୟ ମଧ୍ଯ ଅଳ୍ପ ସମୟରେ, ଅଳ୍ପ ଖର୍ଚ୍ଚରେ, କମ ପରିଶ୍ରମରେ ହୋଇ ପାରିବ। ଏହି କାର୍ଯ୍ୟକ୍ରମରେ ଇକ୍ରିସାଟ୍ କୃଷି ଯାନ୍ତ୍ରୀକରଣ ପରାମର୍ଶଦାତା ଡଃ ସଂଗ୍ରାମ କେଶରୀ ସ୍ବାଇଁ ଯୋଗଦେଇ ଚାଷୀଙ୍କୁ ଏହି ଯନ୍ତ୍ରର ବିବରଣୀ ବେଳା ସଙ୍ଗେ ସଙ୍ଗେ ପୃଷ୍ଟିଶଷ୍ୟ ମଞ୍ଜି ଯେପରି ମୁଆଁ ଓ କାଙ୍ଗୁ ବୁଣା ର ତଦାରଖ ମଧ୍ୟ କରିଥିଲେ। କାର୍ଯ୍ୟକ୍ରମରେ ସ୍ଥାନୀୟ ଅଗ୍ରଣୀ ଚାଷୀ ନେତ୍ରାନନ୍ଦ ଲେଙ୍କା, ଐତିହ୍ୟ ଧାନ ଗବେଷଣା କେନ୍ଦ୍ର ର ବୈଗ୍ୟାନିକ ମିହିର ରଞ୍ଜନ ମୋହାନ୍ତି, ସହକାରୀ କୃଷି ଯନ୍ତ୍ରୀ ଇଂ ମାନସ ରଞ୍ଜନ ପାଣ୍ଡି, ସହକାରୀ କୃଷି ଅଧିକାରୀ ନନ୍ଦୁ ଜାନି, ଇକ୍ରିସାଟ୍ ର କ୍ଷେତ୍ର ଅଧିକାରୀ ଉଦିତ ଶଂକର ପାଣିଗ୍ରାହୀ, ବିଶ୍ୱ ବିଦ୍ୟାଳୟର ଗବେଷଣା ସହାୟକ ଇଂ ଋଷିକେଶ ସାହୁ ଓ ସ୍ଥାନୀୟ ଚାଷୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି