ଧର୍ମଶାଳା, ୨୯ ଜୁନ୍(ହି.ସ.) - ବୁଧବାର ବିଳମ୍ବିତ ରାତିରେ ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅନ୍ତର୍ଗତ ବ୍ରାହ୍ମଣ ସାହି ନିକଟରେ ଥିବା ରାଜା ମେଡିସିନ ଦେକାନରେ ଔଷଧ କିଣାକୁ ନେଇ ମାଲିକ ଓ କର୍ମଚାରୀ ଦୁହେଁ ମିଶି ଗ୍ରାହକଙ୍କୁ ଆକ୍ରମଣ କରିଥିଲେ । ଏନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ପରେ ଘଟଣା ପର ଦିନ ଦୋକାନର ମାଲିକ ବ୍ରହ୍ମବରଦା ଅଂଚଳର ସୟଦ ଫଇନ ରାଜାଙ୍କ ପୁଅ ସୟଦ ଅର୍ସଦ ରାଜା(୧୯) ଓ କର୍ମଚାରୀ ବଡଚଣା ଥାନା ଅନ୍ତର୍ଗତ ତେଲିଗଡ ଗ୍ରାମର ମହମ୍ମଦ ହାପିଜ୍ଙ୍କ ପୁଅ ସରତାଜ ଅଜିଜ୍(୨୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ଏହି ଘଟଣାରେ ପୋଲିସ ଔଷଧ ଦୋକାନରେ ଲାଗି ଥିବା ସିସି କ୍ୟାମେରାକୁ ଜବତ କରିଥିଲା । ପୋଲିସ ଜବତ କରିଥିବା ସିସି କ୍ୟାମେରାରେ ରେକର୍ଡ ହୋଇଥିବା ତଥ୍ୟ ସଂଗ୍ରହ କରିବା ସହିତ ଉକ୍ତ ଦୋକାନକୁ ଯାଇ ତଦନ୍ତ କରି ଫେରିଥିବା ଜଣାପଡିଛି । କେଉଁ ପରସ୍ଥିତିରେ ଏଭଳି ଘଟଣା ଘଟିଲା, ତାହା ତଦନ୍ତ ଚାଲିଛି ଏବଂ ଏହି ଘଟଣାରେ ମାଲିକ ସମେତ ଦୋକନ କର୍ମଚାରୀ ଗିରଫ ହୋଇଛନ୍ତି ବୋଲି ପୋଲିସ କହିଛି ।
ସୂଚନା ଥାଉକି, ବ୍ରହ୍ମବରଦା ଗ୍ରାମର ଅନନ୍ତ ବେହେରାଙ୍କ ପୁଅ ଅକ୍ଷୟ ଔଷଦ କିଣିବାକୁ ଗାଁ ନିକଟସ୍ଥ ରାଜା ମେଡିସିନ ଦୋକାନକୁ ଯାଇଥିଲେ । ସେଠାରେ ଗାଡି ରଖିବା ଓ ଔଷଧ କିଣିବାକୁ ନେଇ ଦୋକାନର ମାଲିକ ଓ କର୍ମଚାରୀ ତାଙ୍କୁ କଇଁଚିରେ ଆକ୍ରମଣ କରିଥିଲେ । ଫଳରେ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତେଜନା ଲାଗି ରହିଥିଲା । ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏହି ଘଟଣାରେ ୨ଜଣଙ୍କୁ ଗିରଫ କରିଥିଲା ।
ହିନ୍ଦୁସ୍ଥାନ ସମାଚାର/ଚିନ୍ମୟ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ