କୋରେଇ, ୧୦ ଜୁଲାଇ(ହି.ସ.) - ବିଭିନ୍ନ ଦାବି ନେଇ ଓଡ଼ିଶା ଚାଳକ ମହାସଂଘର ନିଷ୍ପତି କ୍ରମେ ଯାଜପୁର ଜିଲ୍ଲାରେ କୋରାଇ ବ୍ଲକର ଚାଳକ ଗାଡ଼ି ଚାଳକ ସଂଘର ଆନ୍ଦୋଳନ ତୃତୀୟ ଦିବସରେ ପହଂଚିଛି। କିନ୍ତୁ ଧର୍ମଘଟର ଦୁଇ ଦିନ ପରେ ଆଜି ଅପରାହ୍ନ ପରଠାରୁ ଉଭୟ ରାଜପଥ ଉପରେ ଗାଡ଼ି ମଟର ସ୍ୱାଭାବିକ ଭାବେ ଚଳପ୍ରଚଳ କରୁଛି। ଏପରିକି ଧର୍ମଘଟକାରୀ ମାନେ ପାଣିକୋଇଲି ଥାନା ଅନ୍ତର୍ଗତ ପୁରୁଣା ଟୋଲ ଗେଟ ଠାରେ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନରେ ବସିଛନ୍ତି। ତେବେ ପାଣିକୋଇଲି ଉଭୟ ଜାତୀୟ ରାଜପଥ (୧୬ ଓ ୨୦)ର ମିଶ୍ରଣସ୍ଥଳୀ ହୋଇଥିବାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରକୁ ବସ ସହିତ ଛେ।।ଟ ଯାତ୍ରିବାହୀ ଯାନ ଯୋଗେ ଯିବା ଆସିବା କରିଥାନ୍ତି। କିନ୍ତୁ ଚାଳକ ମହାସଂଘର ଆନ୍ଦୋଳନ ଯୋଗୁଁ ି ଯାତ୍ରୀ ଓ ଖାଉଟି ନାହିଁ ନଥିବା ହନ୍ତସନ୍ତ ହେଉଛନ୍ତି। ଉକ୍ତ ଧର୍ମଘଟର ଦ୍ୱାହି ଦେଇ କିଛି ଅସାଧୁ ବେପାରୀ ମାନେ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି କରୁଛନ୍ତି। ଚାଳକ ସଂଘର ଯାଜପୁର ଜିଲ୍ଲା ସଭାପତି ମାନସ ଦେବତା ଓ କୋରାଇ ବ୍ଲକ ସଭାପତି ଖଗେଶ୍ୱର ମୁଦୁଲିଙ୍କ ନେତୃତ୍ୱରେ ୨୦୦ରୁ ଉର୍ଦ୍ଧ୍ୱ ଗାଡ଼ି ଚାଳକ ମାନେ ଆନ୍ଦୋଳନରେ ବସିଥିବା ବେଳେ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତିଙ୍କ ନେତୃତ୍ୱରେ ଆଇନ ଶୃଙ୍ଖଳା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଅପରପକ୍ଷେ ଚାଳକ ମହାସଂଘର ଧର୍ମଘଟରେ ପ୍ରଭାବିତ ହେଉଛନ୍ତି ଜନସାଧାରଣ ଓ ଖାଉଟୀ। ପାଣିକୋଇଲି ବଜାରରେ ଆଜି ରନ୍ଧନ ଗ୍ୟାସ ମିଳୁନଥିବା ବେଳେ ଆଳୁ ଓ ପିଆଜର ଦରବୃଦ୍ଧି ପାଇଛି। ଯାହାର ପ୍ରଭାବ ଖାଉଟୀଙ୍କ ହାଣ୍ଡିଶାଳ ଉପରେ ସିଧାସଳଖ ଭାବେ ପଡ଼ିଛି। ଧର୍ମଘଟର ସୁଯୋଗ ନେଇ କିଛି ଅସାଧୁ ତଥା ମୁନାଫା ଖୋର ବ୍ୟବସାୟୀ ମାନେ ଖାଦ୍ୟ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି କରିଛନ୍ତି। ଧର୍ମଘଟର ପ୍ରଭାବରୁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ଖାଦ୍ୟ ସାମଗୀର ମୁଲ୍ୟ ବୃଦ୍ଧି ପାଇବା କଟା ଘାରେ ଚୁନ ଦେବା ଭଳି ହେଉଛି। ଗୋଟିଏ ପଟେ ରାଜ୍ୟ ସରକାର ଆନ୍ଦୋନ କାରୀଙ୍କ ସହିତ ବିଚାର ବିମର୍ଷ କରି କୈାଣସି ସମାଧାନର ବାଟ ବାହାର କରୁନଥିବା ବେଳେ ଚାଳକ ସଂଘ କିନ୍ତୁ ନିଜ ଜିଦରେ ଅଟଳ ରହିଛି। ଏପରିସ୍ଥଳେ ସାଧାରଣ ଜନତା କିନ୍ତୁ ହନ୍ତସନ୍ତ ହେଉଛନ୍ତି।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ