ଭୁବନେଶ୍ୱର,୧୧ ଜୁଲାଇ (ହି.ସ.) - ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଶନିବାର) ଦିନ ୧୧ଟାରେ ଭିଡ଼ିଓ କନଫରେନ୍ସିଙ୍ଗ ମାଧ୍ୟମରେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି ପାଇଥିବା ନବନିଯୁକ୍ତ ଯୁବପିଢ଼ିଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ। ଏହି ଅବସରରେ ସେ ନବନିଯୁକ୍ତମାନଙ୍କୁ ସମ୍ବୋଧନ ମଧ୍ୟ କରିବେ।
ରୋଜଗାର ମେଳା , ନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ ଅଗ୍ରାଧୀକାର ପ୍ରଦାନକରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଶୃତିକୁ ପୂରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ। ଯୁବପିଢ଼ିଙ୍କୁ ଏକ ସାର୍ଥକ ଅବସର ପ୍ରଦାନ କରି ସେମାନଙ୍କ ସଶକ୍ତିକରଣ ଓ ରାଷ୍ଟ୍ର ନିର୍ମାଣରେ ଅଂଶଗ୍ରହଣ ପାଇଁ ଅର୍ଥପୂର୍ଣ୍ଣ ସୁଯୋଗ ପ୍ରଦାନ କରିବାରେ ରୋଜଗାର ମେଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସମଗ୍ର ଦେଶରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଠାରୁ ଅଧିକ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି।
୧୬ତମ ରୋଜଗାର ମେଳା ଦେଶର ୪୭ଟି ସ୍ଥାନରେ ଆୟୋଜିତ ହେବ। କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ଗୁଡିକରେ ଏହି ନିଯୁକ୍ତି କରାଯାଉଛି। ଦେଶର ବିଭିନ୍ନ ସ୍ଥାନରୁ ମନୋନୀତ ନବନିଯୁକ୍ତମାନେ ରେଳ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ, ଡାକ ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ôଥକ ସେବା ବିଭାଗ, ଶ୍ରମ ଓ କର୍ମନିଯୁକ୍ତି ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବିଭାଗ ଓ ମନ୍ତ୍ରଣାଳୟରେ ଯୋଗ ଦେବେ।
ପୂର୍ବତଟ ରେଳବାଇ ଦ୍ୱାରା ଆୟୋଜିତ ଭୁବନେଶ୍ୱରର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମରେ ୧୬ତମ ରୋଜଗାର ମେଳାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ। ପୂର୍ବତଟ ରେଳବାଇର ବିଶାଖାପାଟଣା ଏବଂ ସମ୍ବଲପୁର ଡିଭିଜନରେ ମଧ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା