କର୍ତବ୍ୟ ପ୍ରତି ସଚେତନ ହେବା ଏବଂ ସମାଜର ଯତ୍ନ ନେବା - ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର,୧୪ ଜୁଲାଇ (ହି.ସ) - ଡାକ୍ତରମାନେ କର୍ତବ୍ୟ ପ୍ରତି ଅଧିକ ସଚେତନ ହେବା ଦରକାର । ଆକାଂକ୍ଷୀ ସମାଜର ଯତ୍ନ ନେବା ସହ ଓଡ଼ିଶାରେ ସେବା କରିବା ଦରକାର । ସୋମବାର ଏମ୍ସ, ଭୁବନେଶ୍ୱରର ପଞ୍ଚମ ସମାବର୍ତନ ସମାରୋହ ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଗରିମାମୟ ଉପସ୍ଥିତିରେ ସ୍ନାତକୋତ୍ତର ଡାକ୍ତର ଏବଂ ଶିକ୍ଷା ସମୁଦାୟଙ୍କୁ ସମ୍ବୋଧିତ କରି ଏହି ପରାମର୍ଶ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏମ୍ସ ଭୁବନେଶ୍ୱରରେ ଡାକ୍ତରମାନଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଦୁଇ ଦଶନ୍ଧି ପୂର୍ବରୁ ଭାରତରତ୍ନ ସ୍ୱର୍ଗତ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏମ୍ସ ଭୁବନେଶ୍ୱର ମେଡିକାଲ୍ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଉତ୍କର୍ଷତାର ଏକ 'ବଟ୍ଟବୃକ୍ଷ'ରେ ପରିଣତ ହୋଇଛି । ଏହା ଅନେକଙ୍କ ସ୍ୱପ୍ନକୁ ପୂରଣ କରିବା ସହ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରୁଛି । ପ୍ରଧାନମନ୍ତ୍ରୀ ସର୍ବଦା ଗୁରୁତ୍ୱାରୋପ କରିଆସିଛନ୍ତି ଯେ ଉତମ ସ୍ୱାସ୍ଥ୍ୟ ; ପ୍ରଗତି ଏବଂ ସମୃଦ୍ଧିର ମୂଳଦୁଆ । ଜାତୀୟ ବିକାଶରେ ଆମର ସ୍ୱାସ୍ଥ୍ୟସେବା ବୃତିଗତଧାରୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ବିଶେଷକରି ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହି ବର୍ଗର ବୃତିଧାରୀଙ୍କ ବଡ ଅବଦାନ ରହିବ। ଶିକ୍ଷା ପ୍ରତିଷ୍ଠାନର ଗୁଣବତା ଏବଂ ବିବିଧତା ସହିତ ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ମେଡି-ଟେକ୍ ହବ୍ ଭାବରେ ଉଭା ହେବାର ସମ୍ଭାବନା ରଖିଛି। ସ୍ଥାନୀୟ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନୂତନ ଚିକିତ୍ସା ପ୍ରଯୁକ୍ତିବିଦ୍ୟା ନିର୍ମାଣ କରିବା ଦିଗରେ ସହଯୋଗୀର ଦାୟିତ୍ୱ ନେବାକୁ ସେ ଆଶାବ୍ୟକ୍ତ କରିଛନ୍ତି ।
ଏହି ସମ୍ମାନଜନକ କାର୍ଯ୍ୟକ୍ରମରେ ମାନ୍ୟବର ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ଯୋଗଦେଇଥିଲେ । ଚଳିତ ବର୍ଷ ଡିଗ୍ରୀ ଓ ପଦକ ହାସଲ କରିଥିବା ସ୍ୱାସ୍ଥ୍ୟସେବା ବୃତିଗତଧାରୀଙ୍କୁ ଶ୍ରୀ ପ୍ରଧାନ ଅଭିନନ୍ଦନ ଜଣାଇଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା