ବଲାଙ୍ଗିର, 14 ଜୁଲାଇ (ହି.ସ.)ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ଉନ୍ନତି ସାଙ୍ଗକୁ ଆଜିକାଲି ଚାରିଆଡ଼େ ସାଇବର କ୍ରାଇମ ବଢିବାରେ ଲାଗିଛି l ଅଜଣା ଫୋନ କଲ ଦ୍ଵାରା ନିଜକୁ ଉଚ୍ଚ ଅଧିକାରୀ ବୋଲି କହି ବେଳେ ବେଳେ ଠକ ମାନେ ଅନେକ ନିରୀହ ଲୋକଙ୍କ କଷ୍ଟ ଉପାର୍ଜିତ ଲକ୍ଷାଧିକ ଟଙ୍କା ଲୁଟି ନେଉଛନ୍ତି l ଟ୍ରେଜେରୀ ଅଫିସରର ପରିଚୟ ଦେଇ ଏପରି ଏକ ଅଭିନବ ଉପାୟରେ ଜଣେ ଶିକ୍ଷକଙ୍କ ଠାରୁ ୧ଲକ୍ଷ ୯୮ ହଜାର ୯୬୮ ଟଙ୍କା ଠକି ନେଇଥିଲା ଜଣେ ଠକ। ଏହି ଠକର ନାମ ରାଜେନ୍ଦ୍ର ବିନ୍ଧାଣି (୩ଠ) ଓ ତାର ଘର ମୟୁରଭଂଜ ଜିଲ୍ଲା ବଡସାହି ଥାନା ଅନ୍ତର୍ଗତ ଭଣ୍ଡାରିକୂଳ ବୋଲି ଜଣାପଡିଛି।
ସୂଚନାରୁ ପ୍ରକାଶ ଯେ, ଟିଟିଲାଗଡ଼ ଉପଖଣ୍ଡ ପଥର୍ଲାର ଏହି ଅବସରପ୍ରାପ୍ତ ଶିକ୍ଷକଙ୍କ ବକେୟା ପେନସନ୍ ରାଶି କରାଇ ଦେବାକୁ କହି ଏହି ବାବଦକୁ ସରକାରୀ ଟିଡିଏସ୍ ଟଙ୍କା ନ ଦେଲେ ପେନ୍ସନ ବନ୍ଦ ହୋଇଯିବ ବୋଲି କହି ଠକ ଜଣକ ଶିକ୍ଷକଙ୍କ ଠାରୁ ବିଭିନ୍ନ ସମୟରେ ଫୋନ୍ ପେ ରେ ୧ଲକ୍ଷ ୯୮ ହଜାର ୯୬୮ ଟଙ୍କା ଠକି ନେଇଥିଲା । ଜାଲ ସିମ୍ କାର୍ଡ ବ୍ୟବହାର କରି ଠକ ଜଣକ ଶିକ୍ଷକଙ୍କ ସରଳତାର ସୁଯୋଗ ନେଇ ତାଙ୍କ ଠାରୁ ଟଙ୍କା ଲୁଟ୍ କରିଚାଲିଥିଲା । ପରେ ଫୋନ୍ ରେ ଯୋଗାଯୋଗ କରିବା ପରେ କୌଣସି ଉତ୍ତର ନ ମିଳିବାରୁ ଶିକ୍ଷକ ଜଣକ ଠକାମୀର ଶିକାର ହୋଇଥିବା ଜାଣିବବାକୁ ପାଇଥିଲେ । ସଇବର ପିଏସ୍ କେଶ ନମ୍ବର ୬, ଦଫା ୩୧୮(୪), ୩୧୯(୨)ବିଏନ୍ଏସ, ଦଫା ୬୬-ଡିଆଇଟି ଆକ୍ଟ ୨ଠଠଠରେ ଆଜି ଅଭିଯୁକ୍ତ ରାଜେନ୍ଦ୍ର ବିନ୍ଧାଣି(୩୦)କୁ ବଲାଙ୍ଗୀର ସାଇବର ପୋଲିସ ଗିରଫ କରିଛି । ତା ଠାରୁ ୨ଟି ସ୍ମାର୍ଟ ଫୋନ୍ , ଗୋଟିଏ କିପେଡ୍ ଫୋନ୍, ୨ଟି ଚେକ୍ ବୁକ୍, ୩ଟି ପାସବୁକ୍ ଓ ୨ଟି ଡେବିଟ୍ କାର୍ଡ ଜବତ କରାଯାଇଛି । ଏହାପୂର୍ବରୁ ଅଭିଯୁକ୍ତଙ୍କ ନାମରେ କେନ୍ଦୁଝର ଓ ବଲାଙ୍ଗୀର ଥାନାରେ ୪ଟି ଅପରାଧିକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ସଇବର ପୋଲିସ ଷ୍ଟେସନର ଇନିସପେକ୍ଟର ଭାରତୀ ନାଏକ, ଏସ୍ଆଇ ଅବିନାସ ନାଏକଙ୍କ ସମେତ ଧନୀରାମ ବାଗ, ରିପନ ମିଶ୍ର ଓ ସୁଶାନ୍ତ ବାରିକ ଏହି ମାମଲାର ଅନୁସନ୍ଧାନ କରୁଥିବା ବେଳେ ପୋଲିସ ଜନସାଧାରଣଙ୍କୁ ନିଜର ବେଙ୍କ ଏକାଉଣ୍ଟ, ଆଧାର ନମ୍ବର କିମ୍ବା ଏଟିଏମ୍ ପାସୱାର୍ଡ କୌଣସି ଅଜଣା ବ୍ୟକ୍ତି ଙ୍କ ସହ ସେୟାର ନ କରିବା ପାଇଁ ନିବେଦନ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ