ଭୁବନେଶ୍ୱର, ୧୪ ଜୁଲାଇ (ହି.ସ.)- ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଅଧିନ ବେସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ପାଇଥିବା ସ୍ନାତକୋତର ବା ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ପାଇଁ ୫ ଦିନିଆ ପ୍ରଶିକ୍ଷଣ ଶିରିପୁରସ୍ଥିତ ଇମେଜ୍ ଠାରେ ଆୟୋଜିତ କରାଯାଇଛି । ଏହି ପ୍ରଶିକ୍ଷଣରେ ୧୨୫ ଜଣ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି । ଉଦଘାଟନୀ ଅଧିବେଶନରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ଶୁଭଶ୍ରୀ ନନ୍ଦ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀ ରଘୁରାମ୍ ଆର୍ ଆୟ,ର୍ ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ସସ୍ମିତା ମାଳି, ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ଉପ-ନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ ଉପସ୍ଥିତ ଥିଲେ ।
ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ନନ୍ଦ କହିଛନ୍ତି, ସ୍ୱର୍ଣ୍ଣାଭ ଭବିଷ୍ୟତ ଗଠନ ନିମନ୍ତେ ଶିକ୍ଷକମାନଙ୍କ ଦକ୍ଷତା ବିକାଶର ଆବଶ୍ୟକତା ରହିଛି। ଏହି ତାଲିମ୍ କାର୍ଯ୍ୟକ୍ରମ ସେହି ସୁଯୋଗ ଆଣିଦେଇଛି। ଏହି ତାଲିମ୍ କାର୍ଯ୍ୟକ୍ରମ ଜ୍ଞାନର ପରିସୀମାକୁ ପରିବ୍ୟାପ୍ତ କରିବ। ଏଥିସହ ସ୍ୱ-ଅଧ୍ୟୟନକୁ ଗୁରୁତ୍ୱ ଦେବା ଫଳରେ ପୂର୍ଣ୍ଣାଙ୍ଗ ବ୍ୟକ୍ତିତ୍ୱ ଗଠନ ସମ୍ଭବ ହୋଇପାରିବ ବୋଲି ସେ କହିଛନ୍ତି । ସେହିପରି ନିର୍ଦ୍ଦେଶକ ଶ୍ରୀ ଆୟର୍ ପିଜିଟି ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ତାଲିମ୍ କାର୍ଯ୍ୟକ୍ରମରେ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଏହି ତାଲିମ୍ କାର୍ଯ୍ୟକ୍ରମ ପିଜିଟି ଶିକ୍ଷକମାନଙ୍କ ବ୍ୟକ୍ତିଗତ ବିକାଶକୁ ଅଧିକ ଗୁରୁତ୍ୱ ଦେବ । ଏଥିସହ ଚାରୋଟି ପର୍ଯ୍ୟାୟରେ ପିଜିଟି ଶିକ୍ଷକମାନଙ୍କୁ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଥିବା ବେଳେ ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ତାଲିମ୍ ଦିଆଯାଇଥିବା ସେ କହିଛନ୍ତି ।
ଏହି ପାଞ୍ଚ ଦିନିଆ ତାଲିମ୍ କାର୍ଯ୍ୟକ୍ରମରେ ପିଜିଟିମାନଙ୍କ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦିଆଯିବ । ଓଡ଼ିଶା କ୍ୟାରିୟର ପୋର୍ଟାଲ୍ ପରିଚାଳନା, ଶିକ୍ଷକମାନଙ୍କ ବୃତିଗତ ବିକାଶ, ଶ୍ରେଣୀଗୃହ ପରିଚାଳନା ଓ ଶିକ୍ଷଣ ଦକ୍ଷତା ବିକାଶ, ଗ୍ରୁପ୍ ଆକ୍ଟିଭିଟି, ଆକାଂକ୍ଷା ବିଦ୍ୟାଳୟର ଗଠନ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ । ଏଥିସହ ପୂର୍ବରୁ କରାଯାଇଥିବା ତାଲିମ୍ କାର୍ଯ୍ୟକ୍ରମରୁ ମତାମତ ଗ୍ରହଣ କରିବା ପରେ ଚଳିତ ତାଲିମ୍ କାର୍ଯ୍ୟକ୍ରମରେ ଆଇ-ଜିଓଟି କର୍ମଯୋଗୀ ଆପ୍ ର ବ୍ୟବହାର, ଧନ୍ଦାମୂଳକ ଶିକ୍ଷା, ଛାତ୍ରବୃତି, ସୁସ୍ଥ ଶ୍ରେଣୀଗୃହ ପାଇଁ ବ୍ୟକ୍ତିଗତ ପୁଷ୍ଟିସାରସ୍ତର ବୃଦ୍ଧି ଓ ସ୍ୱାସ୍ଥ୍ୟର ଉନ୍ନତି, କ୍ଲାଇମେଟ୍ ରେଜିଲିଏଂଟ ବିଦ୍ୟାଳୟ ଆଦି ସମ୍ପର୍କରେ ତାଲିମ୍ ଦିଆଯିବ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା