କେରଳା ଇଂରାଜୀ ମିଡ଼ିଅମ୍ ସ୍କୁଲରେ ଛାତ୍ର ଆତ୍ମହତ୍ୟା ଘଟଣା : ହତ୍ୟା ମାମଲା ରୁଜୁ : ନିୟମିତ ନିର୍ଯ୍ୟାତନା ଅଭିଯୋଗ : ପୋଲିସର ତଦନ୍ତ ଜାରି
ଚମ୍ପୁଆ, ୧୪ ଜୁଲାଇ (ହି.ସ.)- କେରଳା ଇଂରାଜୀ ମିଡ଼ିଅମ୍ ସ୍କୁଲ ର ଛାତ୍ର ମୃତ୍ୟୁ ଘଟଣାରେ ଚମ୍ପୁଆ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଥାନା କେସ ନଂ ୧୮୭/୨୫ ରେ ମାମଲା ରୁଜୁ କରି ଭିଏନଏସ ଦଫା ୧୦୩(୧) ଓ ୩(୫) ଅନୁସାରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟ
କେରଳା ଇଂରାଜୀ ମିଡ଼ିଅମ୍ ସ୍କୁଲରେ ଛାତ୍ର ଆତ୍ମହତ୍ୟା ଘଟଣା : ହତ୍ୟା ମାମଲା ରୁଜୁ : ନିୟମିତ ନିର୍ଯ୍ୟାତନା ଅଭିଯୋଗ : ପୋଲିସର ତଦନ୍ତ ଜାରି


ଚମ୍ପୁଆ, ୧୪ ଜୁଲାଇ (ହି.ସ.)- କେରଳା ଇଂରାଜୀ ମିଡ଼ିଅମ୍ ସ୍କୁଲ ର ଛାତ୍ର ମୃତ୍ୟୁ ଘଟଣାରେ ଚମ୍ପୁଆ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଥାନା କେସ ନଂ ୧୮୭/୨୫ ରେ ମାମଲା ରୁଜୁ କରି ଭିଏନଏସ ଦଫା ୧୦୩(୧) ଓ ୩(୫) ଅନୁସାରେ ହତ୍ୟା ମାମଲା ରୁଜୁ କରିଛି। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ପୋଲିସ ଘଟଣାର ବିଭିନ୍ନ ଦିଗକୁ ତନ୍ନତନ୍ନ କରି ଯାଞ୍ଚ କରୁଛି । ସ୍କୁଲକୁ ଯାଇ ସମ୍ବନ୍ଧିତ ବ୍ୟକ୍ତି ବିଶେଷଙ୍କୁ ପଚରା ଉଚରା କରିବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତକୁ ବ୍ୟାପକ କରିଛି । ଗତକାଲି ଘଟିଥିବା ଛାତ୍ର ମୃତ୍ୟୁ ମାମଲାକୁ ନେଇ ସାଧାରଣରେ ବିଭିନ୍ନ ଆଲୋଚନା ଜୋର୍ ଧରିଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିରବତା ଅନେକ ପ୍ରଶ୍ନବାଚି ସୃଷ୍ଟି କରିଛି । ବିଦ୍ୟାଳୟର ହଷ୍ଟେଲରେ ରହୁଥିବା ଅନ୍ତେବାସୀ ବିଶେଷ କରି ଛାତ୍ର ମାନଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଶୃଙ୍ଖଳା ନାମରେ ସାମାନ୍ୟ କଥାରେ ନିର୍ମମ ଭାବେ ମାରପିଟ୍ କରାଯାଉଛି । ଯାହାକୁ ସହ୍ୟ କରି ନପାରି କ୍ରିଷ୍ଣା ହଷ୍ଟେଲ ଛାତରୁ ଡେଇଁ ପଡ଼ିଥିବା ନେଇ କ୍ରିଷ୍ଣାଙ୍କ ପିତା ସୁଧାଂଶୁ ପ୍ରଧାନ ଚମ୍ପୁଆ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ, ହଷ୍ଟେଲ ୱାଡେନ୍ ନିୟମିତ ଭାବେ ତାଙ୍କ ପୁଅକୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବାରୁ ତାଙ୍କ ପୁଅର ମୃତ୍ୟୁ ଘଟିଲା ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ପରିବାର ଲୋକେ ଡାକ୍ତରଖାନlରେ ପହଞ୍ଚିବା ସମୟରେ କ୍ରିଷ୍ଣାଙ୍କ ମୃତଦେହ ଷ୍ଟ୍ରେଚର ଉପରେ ପଡ଼ିଥିବା ଦେଖିଥିଲେ । କ୍ରିଷ୍ଣାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ସହ ମାଡର ଦାଗ ଥିବା ନେଇ ଅଭିଯୋଗରେ ଦର୍ଶାଇ ଛନ୍ତି । ଅନ୍ୟପଟେ ଗତକାଲି କିଛି ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ କୁ ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ବାଳକ ଛାତ୍ରାବାସରୁ ଅନ୍ତେବାସୀ ମାନେ ଏକ କାଗଜରେ ନିର୍ଯାତନା ବିଷୟରେ ଉଲ୍ଲେଖ କରି ତଳକୁ ଫୋପାଡି ଥିଲେ । ସେଥିରେ ଶୁକ୍ରବାର ଦିନ ରାତିରେ କିଛି ଛାତ୍ରଙ୍କୁ ନିର୍ମମ ଭାବେ ମାଡ଼ ମରାଯାଇଥିବା ନେଇ ଉଲ୍ଲେଖ କରାଯାଇଥିଲା । ଏ ବିଷୟରେ କିଛି ଛାତ୍ର ନିଜ ଅଭିଭାବକ ମାନଙ୍କୁ ଅବଗତ ମଧ୍ୟ କରିଛନ୍ତି । ଘଟଣା ପ୍ରଘଟ ଭୟରେ ଓ ତଦନ୍ତକୁ ବାଟବଣା କରିବା ପାଇଁ ମୃତ ଛାତ୍ରଙ୍କ ସହପାଠୀ ମାନଙ୍କୁ ଚୁପ୍ ରହିବାକୁ ଚାପ ପ୍ରୟୋଗ ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଗତକାଲି ସକାଳ ସାଢେ଼ ପାଞ୍ଚଟାରେ ଘଟଣା ଘଟିଥିବା ବେଳେ ପରିବାର ଲୋକଙ୍କୁ ଦୀର୍ଘ ଦେଢ଼ ଘଣ୍ଟା ପରେ ଖବର ଦିଆଯିବା ନେଇ ସନ୍ଦେହ ସୃଷ୍ଟି ହୋଇଛି । ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରକୃତ ଘଟଣାକୁ ଲୁଚାଇଥିବା ନେଇ ଘର ଲୋକେ କହିଛନ୍ତି । ଗତକାଲି ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା ପାଇଁ ଘର ଲୋକେ ପ୍ରଶାସନ ନିକଟରେ ଦାବି କରିଥିଲେ ମଧ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଧରା ଛୁଆଁ ଦେଇନଥିଲେ । ଯେଉଁଥି ପାଇଁ ଦୀର୍ଘ ୧୧ ଘଣ୍ଟା ଧରି ଡାକ୍ତରଖାନା ପରିସରରେ ମୃତଦେହ ପଡ଼ି ରହିଥିଲା । ଶେଷରେ ଜିଲ୍ଲା ଓ ଚମ୍ପୁଆ ପ୍ରଶାସନର ଉଚ୍ଚ ଅଧିକାରୀ ମାନେ ହସ୍ତକ୍ଷେପ କରିଥିଲେ। ନିରପେକ୍ଷ ତଦନ୍ତ ସହ କଡ଼ା କାର୍ଯ୍ୟାନୁଷ୍ଠାନର ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେବା ପରେ ଲାଗି ରହିଥିବା ଅଚଳାବସ୍ଥା ହଟିଥିଲା । ଏହି ଘଟଣାରେ ଜନ ଭାବନାକୁ ଦୃଷ୍ଟି ରେ ରଖି ସଠିକ୍ ତଦନ୍ତ ସହ ପୀଡ଼ିତ ପରିବାରକୁ ନ୍ୟାୟ ଦେବାକୁ ସାଧାରଣରେ ଦାବୀ ହେଉଛି।

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande