ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲ୍ଳାର ଛାତ୍ରଛାତ୍ରୀଙ୍କ ପାଇଁ ମେଧାବୃତ୍ତି ଆରମ୍ଭ
ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲ୍ଳାର ଛାତ୍ରଛାତ୍ରୀଙ୍କ ପାଇଁ ମେଧାବୃତ୍ତି ଆରମ୍ଭ
ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଜିଲ୍ଳାର ଛାତ୍ରଛାତ୍ରୀଙ୍କ ପାଇଁ ମେଧାବୃତ୍ତି ଆରମ୍ଭ


ସମ୍ବଲପୁର, ୧୪ ଜୁଲାଇ (ହି.ସ.)

ସମ୍ବଲପୁର ସହରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ଉତ୍ସର୍ଗ’ ପକ୍ଷରୁ ଚଳିତ ଶିକ୍ଷା ବର୍ଷରୁ ମେଧାବୀ ତଥା ଅସହାୟ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏଥିରେ ସରକାରୀ କଲେଜରେ ଅଧ୍ୟୟନରତ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ଏବଂ ଉଚ୍ଚଶିକ୍ଷା ପାଇଁ ଅସ୍ୱଚ୍ଛଳ ବର୍ଗର ବିଦ୍ୟାର୍ଥୀମାନଙ୍କୁ ଆର୍ଥିକ ସହଯୋଗ କରାଯିବ । ଆଜି ଉତ୍ସର୍ଗ କାର୍ଯ୍ୟାଳୟ ଠାରେ ଏ ସଂପର୍କରେ ସୂଚନା ଦିଆଯାଇଛି । ପ୍ରକଳ୍ପ ଅଧ୍ୟକ୍ଷ ପ୍ରିୟରଞ୍ଜନ ସାହୁ ସୂଚନା ଦେଇ କହିଛନ୍ତି ଯେ, ସମ୍ବଲପୁର ସରକାରୀ ମହିଳା କଲେଜରେ ଯୁକ୍ତ ତିନିରେ ପଢ଼ୁଥିବା ବରଗଡ଼ର ଏବଂ ପିଜି ଅଧ୍ୟୟନ କରୁଥିବା ଦୁଇ ଜଣ ଛାତ୍ରୀ ଉଚ୍ଚଶିକ୍ଷା ପାଇଁ ଅସମର୍ଥତା ପ୍ରକାଶ କରିଥିବା ଜଣାପଡ଼ିଥିଲା । ତନ୍ମଧ୍ୟରୁ ଜଣେ ଛାତ୍ରୀ ଟି.ସି. ନେବା ପାଇଁ ଆବେଦନ କରୁଥିବା ବେଳେ କଲେଜ କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ପାଇ ଉତ୍ସର୍ଗର କର୍ମକର୍ତ୍ତାମାନେ ବୃତ୍ତିର ସୁବିଧା କରିଥିଲେ । ଏଥିପାଇଁ ଏମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ସେମାନଙ୍କ ହଷ୍ଟେଲ ବା ମେସ୍‌, ୟୁନିଫର୍ମ ପ୍ରଭୃତି ପାଇଁ ୨୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ସେହିଭଳି ଜିଲ୍ଲାର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୩୧ଟି ସରକାରୀ ହାଇସ୍କୁଲର ମେଧାବୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବୃତ୍ତିର ବ୍ୟବସ୍ଥା କରାଯାଇଛି । ଏ-୧ ଗ୍ରେଡ଼୍ ପାଇଥିବା ୫ଜଣଙ୍କୁ ୩ ହଜାର ଟଙ୍କା ଏବଂ ଏ-୨ ଗ୍ରେଡ଼୍ ପାଇଥିବା ୬୩ ଜଣ ବିଦ୍ୟାର୍ଥୀଙ୍କୁ ମେଧା ବୃତ୍ତି ସ୍ୱରୂପ ପ୍ରୋତ୍ସାହନ ରାଶି ଅନ୍‌ଲାଇନ୍‌ରେ ପ୍ରଦାନ କରାଯାଉଛି ।

ସ୍ମାଇଲ ଫାଉଣ୍ଡେସନ୍ ଏଥିପାଇଁ ସହାୟତାର ହାତ ବଢ଼ାଇଛି । ପୂର୍ବରୁ ମଧ୍ୟ ଜିଲ୍ଲାର ଅନାଥାଶ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ଟ୍ୟୁସନ୍ ଓ ଅନ୍ୟାନ୍ୟ ବିଷୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

ଚଳିତ ବର୍ଷ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ପ୍ରଥମେ ଦୁଇ ବର୍ଷ ପାଇଁ ବଳବତ୍ତର ରହିବ । ୧୯୮୪ରେ ସ୍ଥାପିତ ‘ଉତ୍ସର୍ଗ’ ରକ୍ତଦାନ ଏବଂ ଚିକିତ୍ସା ସେବା କ୍ଷେତ୍ରକୁ ସଂଗଠିତ ଏବଂ ବୈପ୍ଳବିକ ରୂପ ପ୍ରଦାନ କରିଥିଲା ।

ଏ ବର୍ଷ ଗତ ସେପ୍ଟେମ୍ବର ମାସରୁ ଉତ୍ସର୍ଗ ପକ୍ଷରୁ ୩୫୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ରୋଗୀମାନଙ୍କ ପାଇଁ ରକ୍ତ ଅଭାବ ଦୂର କରିବା ପାଇଁ ସହାୟକ ହୋଇଛି । ୪୮ଟି ଚକ୍ଷୁ ସଂଗ୍ରହ କରାଯାଇ ପ୍ରତ୍ୟାରୋପଣ କରାଯାଇଛି । ଏହା ବ୍ୟତୀତ ୩ଟି ଆମ୍ବୁଲାନ୍ସ ସହିତ ଅକ୍ସିଜନ୍‌, ବାଇଟେକ୍ ମେସିନ୍‌, ରୋଗୀ ସେବାରେ ଉପଯୋଗ କରାଯାଉଛି ବୋଲି ବରିଷ୍ଠ ସଦସ୍ୟ ସୁଧୀର ପୂଜାରୀ ସୂଚନା ଦେଇଥିଲେ । ସେହିଭଳି ୩୨ଟି ସମ୍ପୂର୍ଣ୍ଣ ଶରୀର ଭୀମସାରର ଆନାଟୋମୀ ବିଭାଗକୁ ହସ୍ତାନ୍ତର କରାଯାଇଛି । ଏତଦ୍ ଭିନ୍ନ କର୍କଟ ଏବଂ ଅନ୍ୟାନ୍ୟ ଜଟିଳ ରୋଗର ନିଦାନ ପାଇଁ ଅସାୟ ରୋଗୀମାନଙ୍କୁ ଔଷଧ ମଧ୍ୟ ଦିଆଯାଉଥିବା ସେ ସୂଚନା ଦେଇଥିଲେ । ସେହିଭଳି ବିଭିନ୍ନ ସମୟରେ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ ଶିବିର ଆୟୋଜନ କରାଯାଉଛି ବୋଲି ସେ କହିଥିଲେ । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଯୋଜକ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande