ସମ୍ବଲପୁର, ୦୨ ଜୁଲାଇ(ହି.ସ.) – ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ କମେଂଟମରାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ୨୭୧/୨୫ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି। ଏହି ମାମଲାରେ ବୁର୍ଲା ଥାନା ପଠାନବନ୍ଧର ଅଭିଯୁକ୍ତ ବିନୋଦ ରାୟ(୨୧)ଙ୍କୁ ଗିରଫ କରାଯାଇଛି। ଏଥିସହ ହତ୍ୟାକାଣ୍ଡରେ ବ୍ୟବହୃତ ଠେଙ୍ଗାକୁ ମଧ୍ୟ ପୋଲିସ ଜବତ କରିଛି। ସୂଚନାଯୋଗ୍ୟ, ଦିନେଶ ରାୟଙ୍କ ଝିଅ ବୁର୍ଲା କେନ୍ଦ୍ରୀୟ ବିଦ୍ୟାଳୟ ଆଡ଼େ ସାନ୍ଧ୍ୟ ଭ୍ରମଣ ଗତ ୨୯ତାରିଖ ଆସିଥିଲେ। ଏହି ସମୟରେ ବଳରାମ ବାଗ ତାଙ୍କୁ କମେଂଟ କରିଥିବାବେଳେ ସେ ଏନେଇ ପରିବାର ଲୋକଙ୍କୁ ଜଣାଇଥିଲେ। ଏହାକୁ ନେଇ ଉଭୟ ପରିବାର ମଧ୍ୟରେ କଜିଆ ଉପୁଜିଥିଲା। ସେହି ରାତିରେ ବିନୋଦ ରାୟ ଏବଂ ପରିବାରର ଅନ୍ୟମାନେ ବଳରାମ ବାଗଙ୍କ ଘରେ ପହଂଚି ପାଟିତୁଣ୍ଡ କରିଥିଲେ। ବଳରାମ ଏହାର ପ୍ରତିବାଦ କରିଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ଉତେଜନା ଦେଖାଯାଇଥିଲା। ବଳରାମଙ୍କୁ ଦିନେଶ କାବୁ କରିବାବେଳେ ବିନୋଦ ଏକ ଠେଙ୍ଗାରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଫଳରେ ବଳରାମ ଗୁରୁତର ଭାବେ ଆହତ ହୋଇଥିଲେ। ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାରରେ ଭର୍ତି କରାଯାଇଥିଲା। ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତକ ବଳରାମ ବାଗଙ୍କ ପତ୍ନୀ ଉଲ୍ଲାସ ବାଗ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ପୋଲିସ ବିନୋଦଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଶୈଳେଶ