ଭୁବନେଶ୍ୱର, ୦୨ ଜୁଲାଇ (ହି.ସ.) - ବିଏମ୍ସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇ ଥିବା ଓଏଏସ୍ ସଂଘ ଆନ୍ଦୋଳନକୁ ଜାରି ରଖିଛି। ଅନ୍ୟପକ୍ଷରେ ଓଆରଏସ୍ ସଂଘ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅନୁରୋଧ ରକ୍ଷାକରି ଜରୁରୀକାମରେ ଯୋଗଦେବେ ବୋଲି ନିଷ୍ପତି ନେଇଛି। ରାଜସ୍ୱ ମନ୍ତ୍ରୀଙ୍କ ଅନୁରୋଧ ଅନୁସାରେ ରଥଯାତ୍ରା ଓ ବନ୍ୟା ଡ୍ୟୁଟି କରିବାକୁ ଓଆରଏସ୍ କର୍ମଚାରୀ ରାଜି ହୋଇଛନ୍ତି। କିନ୍ତୁ ଅନ୍ୟାନ୍ୟ କ୍ଷେତ୍ରରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି ରଖିବେ।
ଓଆରଏସ୍ ସଂଘ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ଏକ ବୈଠକରେ ଆଲୋଚନା କରିଥିଲେ। ଲୋକସେବା ଭବନରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ୱ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ମଧ୍ୟ ଉପସ୍ଥିତ ଥିଲେ। ସମୂହ ଛୁଟିରେ ଥିବା ଓଆରଏସ କର୍ମଚାରୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ବୁଝାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା