ସମ୍ବଲପୁର, ୦୨ ଜୁଲାଇ (ହି.ସ.) ସମ୍ବଲପୁର ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ମାନେ ମଙ୍ଗଳବାର ଅପରାହ୍ନରୁ ସମୁହ ଛୁଟିରେ ଯାଇଛନ୍ତି । ରାଜ୍ୟ ଓଏଏସ୍ ସଂଘର ନିଷ୍ପତି କ୍ରମେ ଜିଲ୍ଲାର ସମସ୍ତ ଅଧିକାରୀ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ଘଟିଥିବା ଘଟଣାର ମୁଖ୍ୟ ଅଭିଯୁକ୍ତକୁ ତୁରନ୍ତ ଗିରଫ ସହ ଏଭଳି ଘଟଣାର ପୁନରାବୃତି ଯେଭଳି ନଘଟେ ସେନେଇ ସରକାର ଦୃଢ ପଦକ୍ଷେପ ନେବାକୁ ଦାବି କରାଯାଇଛି । ସୂଚନାଯୋଗ୍ୟ, ଭୁବନେଶ୍ୱର ମହାନଗର ନିଗମ ଅଫିସରେ କିଛି ଅସାମାଜିକ ଯୁବକ ପଶି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ନଙ୍ଘା ମାଡ ମାରିଥିଲେ । ଏହାର ପ୍ରତିବାଦରେ ବିଏମ୍?ସି କର୍ମଚାରୀ ମାନେ ଧାରଣାରେ ବସିଥିଲେ। ମାଡ ମାରିବା ବେଳର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ପୋଲିସ ଏହି ମାମଲାରେ କିଛି ଯୁବକଙ୍କୁ ଗିରଫ କରିଛି । ଏହି ଘଟଣାକୁ ଓଏଏସ୍ ସଂଘ ତୀବ୍ର ନିନ୍ଦା କରିଛି । ଏଭଳିସ୍ଥଳେ ସମ୍ବଲପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ବୈଠକ ହୋଇଥିଲା । ବୈଠକର ନିଷ୍ପତି ଅନୁଯାୟୀ ଜିଲ୍ଲାର ସମସ୍ତ ଓଏଏସ୍ ଅଧିକାରୀ ସାମୁହିକ ଛୁଟିରେ ଯାଇଛନ୍ତି । ଜିଲ୍ଲାପାଳଙ୍କୁ ଦିଆଯାଇଥିବା ସ୍ମାରକପତ୍ରରେ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ ଶେଖର ଭୋଇ ଓ ଅଶୋକ କୁମାର ଭୋଇ, ସୁଦର୍ଶନ ସାଏ , ପ୍ରଦୀପ ଡାଙ୍ଗ, ସୁନୀଲ କୁମାର ର୍କେକେଟା, ପ୍ରସନ୍ନ କୁମାର ପାତ୍ର, ସୀମା କୁଲ୍ଲୁ, ସରୋଜିନୀର ପ୍ରସନ୍ନ କୁଲ୍ଲୁ, ସଦର ଉପଜିଲ୍ଲାପାଳ ପୁଷ୍ପାଞ୍ଜଳୀ ପଣ୍ଡା, ଚିତରଞ୍ଜନ ମଲ୍ଲିକ ପ୍ରମୁଖଙ୍କ ସ୍ୱାକ୍ଷର ରହିଥିବା ଦେଖାଯାଇଛି ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ