ନୂଆଦିଲ୍ଲୀ, ୨୪ ଜୁଲାଇ (ହି.ସ.)- ସଂସଦର ମୌସୁମୀ ଅଧିବେଶନର ଚତୁର୍ଥ ଦିନରେ, ବିହାରରେ ପ୍ରକାଶିତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ବିରୋଧରେ ବିରୋଧୀ ଦଳଗୁଡ଼ିକ ସଂସଦ ଭବନ ପରିସରରେ ପ୍ରତିବାଦ କରିଛନ୍ତି । କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଏବଂ ବିରୋଧୀ ଇଣ୍ଡି ମେଣ୍ଟର ସାଂସଦମାନେ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରିଥିଲେ। ବିରୋଧୀ ସାଂସଦମାନେ ସ୍ଲୋଗାନ ଦେଇଥିଲେ ଏବଂ ଏସଆଇଆର ପ୍ରକ୍ରିୟାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ ।
ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ବିରୋଧୀ ନେତାମାନଙ୍କୁ ସଂସଦରେ କହିବାକୁ ଅନୁମତି ନାହିଁ । ଆମେ ଆଲୋଚନା ଦାବି କରୁଛୁ, ସରକାର ଆଲୋଚନା କରିବାକୁ ରାଜି ହେବା ଉଚିତ ।
ବିରୋଧ ପ୍ରଦର୍ଶନ ସମୟରେ କଂଗ୍ରେସ ମହାସଚିବ କେ.ସି. ଭେଣୁଗୋପାଳ ଶାସକ ଦଳ ଉପରେ ଗଣତନ୍ତ୍ରକୁ ନଷ୍ଟ କରିବାର ଅଭିଯୋଗ ଆଣିଥିଲେ । କଂଗ୍ରେସ ରାଜ୍ୟସଭା ସାଂସଦ ରଞ୍ଜିତ ରଞ୍ଜନ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ, କମିଶନ ଦାବି କରୁଛନ୍ତି ଯେ ୯୫ ପ୍ରତିଶତ ଭୋଟର ଯାଞ୍ଚ କରାଯାଇଛି, ଯେତେବେଳେକି ତୃଣମୂଳ ସ୍ତରରେ ବିଏଲଓ
କହୁଛନ୍ତି ଯେ, ଏହି ପ୍ରକ୍ରିୟା ଜୁଲାଇ ୨୬ ତାରିଖରୁ ଆରମ୍ଭ ହେବ। ଯାହାକୁ ନେଇ କମିଶନଙ୍କ ଉଦ୍ଦେଶ୍ୟ ସନ୍ଦେହଘେରରେ ରହିଛି l
---------------
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ