ନୂଆଦିଲ୍ଲୀ, ଜୁଲାଇ ୨୫ (ହିସ)- ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ଦିନ ଭାରତୀୟ ସେନା ପାଇଁ ବାୟୁ ପ୍ରତିରକ୍ଷା ଅଗ୍ନି ନିୟନ୍ତ୍ରଣ ରାଡାର କ୍ରୟ ପାଇଁ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ) ସହିତ ପ୍ରାୟ ୨,୦୦୦ କୋଟି ଟଙ୍କାର ଏକ ଚୁକ୍ତି ସ୍ୱାକ୍ଷର କରିଛି। ଏହି ରାଡାରଗୁଡ଼ିକ ସ୍ୱଦେଶୀ ଭାବରେ ଡିଜାଇନ୍, ବିକଶିତ ଏବଂ ନିର୍ମିତ ହେବ। ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହଙ୍କ ଉପସ୍ଥିତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ବିଇଏଲ୍ର ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁଯାୟୀ, ୭୦ ପ୍ରତିଶତରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବିଶିଷ୍ଟ ଏହି ରାଡାରଗୁଡ଼ିକ ବିମାନ, ହେଲିକପ୍ଟର ଏବଂ ଡ୍ରୋନ ସମେତ ବାୟୁ ବିପଦକୁ ଚିହ୍ନଟ କରିପାରିବ, ବାୟୁ ପ୍ରତିରକ୍ଷା ରେଜିମେଂଟ ଗୁଡ଼ିକର କାର୍ଯ୍ୟକ୍ଷମ ପ୍ରସ୍ତୁତି ବୃଦ୍ଧି କରିବ ଏବଂ ଆତ୍ମନିର୍ଭରଶୀଳ ଭାରତର ଦୃଷ୍ଟିକୋଣକୁ ମଜବୁତ କରିବ। ଏହା ବାୟୁ ପ୍ରତିରକ୍ଷା ରେଜିମେଂଟ ଗୁଡ଼ିକର ଆଧୁନିକୀକରଣରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ପ୍ରମାଣିତ ହେବ ଏବଂ ଭାରତୀୟ ସେନାର କାର୍ଯ୍ୟକ୍ଷମ ପ୍ରସ୍ତୁତି ବୃଦ୍ଧି କରିବ, ସହିତ ଦେଶର ଆର୍ôଥକ ବିକାଶରେ ମଧ୍ୟ ଯୋଗଦାନ ଦେବ। କ୍ରୟ, ଉପାଦାନ ନିର୍ମାଣ ଏବଂ କଂଚାମାଲ ଯୋଗାଣ ମାଧ୍ୟମରେ ଭାରତୀୟ ଏମଏସଏମଇ ଗୁଡ଼ିକୁ ପ୍ରୋତ୍ସାହିତ କରି ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପଗୁଡ଼ିକୁ ସଶକ୍ତ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
--------------------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ