ପ୍ୟାରିସ, 25 ଜୁଲାଇ (ହି.ସ.)- ଫ୍ରାନ୍ସର
ରାଷ୍ଟ୍ରପତି ଇମ୍ୟାନୁଏଲ୍ ମ୍ୟାକ୍ରୋ ବଡ଼ ଘୋଷଣା କରି ସୂଚନା ଦେଇଛନ୍ତି ଯେ, ତାଙ୍କର ଦେଶ ଏହି
ବର୍ଷ ସେପ୍ଟେମ୍ବର ମାସରେ ପାଲେଷ୍ଟାଇନକୁ ଔପଚାରିକ ଭାବେ ମାନ୍ୟତା ଦେବ। ସେ କହିଛନ୍ତି ଯେ,
ସେପ୍ଟେମ୍ବରରେ ଜାତିସଂଘ ମହାସଭାରେ ସେ ଏହାର ଔପଚାରିକ ଘୋଷଣା କରିବେ। ପାଲେଷ୍ଟାଇନକୁ ମିଳିତ
ଜାତିସଂଘର 193 ଟି ସଦସ୍ୟ ଦେଶମାନଙ୍କ ମଧ୍ୟରୁ 140 ଠାରୁ ଅଧିକ ଦେଶ ଦ୍ୱାରା ସ୍ୱୀକୃତି
ମିଳିଛି।
ଗାଜାରେ ଇସ୍ରାଏଲର ସେନା
ଅଭିଯାନ ଚାଲିଥିବା ସମୟରେ ଫ୍ରାନ୍ସର ରାଷ୍ଟ୍ରପତି କହିଛନ୍ତି ଯେ, ଏହି ସମୟରେ ସବୁଠାରୁ ଜରୁରୀ ହେଉଛି ଯେ ଗାଜାରେ ଚାଲୁଥିବା ଯୁଦ୍ଧ ତୁରନ୍ତ ବନ୍ଦ ହେଉ ଏବଂ
ସାଧାରଣ ଲୋକଙ୍କ ଜୀବନ ବଞ୍ଚାଯାଉ। ଫ୍ରାନ୍ସର ରାଷ୍ଟ୍ରପତି ମ୍ୟାକ୍ରୋ ଗୁରୁବାର ଦିନ ସୋସିଆଲ୍
ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି ଯେ, ମଧ୍ୟ ପୂର୍ବରେ
ନ୍ୟାୟସଙ୍ଗତ ଏବଂ ସ୍ଥାୟୀ ଶାନ୍ତି ପ୍ରତି ଏକ ଐତିହାସିକ ପ୍ରତିବଦ୍ଧତା ଅନୁଯାୟୀ ମୁଁ ଏହି ନିଷ୍ପତି
ନେଇଛି ଯେ ଫ୍ରାନ୍ସ,
ପାଲେଷ୍ଟାଇନକୁ ଏକ ଦେଶ ଭାବେ ସ୍ୱୀକୃତି ଦେବ। ସେ ଏହା
ମଧ୍ୟ ଲେଖିଛନ୍ତି ଯେ, ଆମକୁ ହମାସକୁ ଅସ୍ତ୍ରହୀନ କରି ଗାଜାକୁ ସୁରକ୍ଷିତ
କରିବା ସହିତ ଏହାର ପୁନଃନିର୍ମାଣ କରିବାକୁ ହେବ। ସେ କହିଛନ୍ତି ଯେ ତୁରନ୍ତ ଯୁଦ୍ଧବିରାମ, ସମସ୍ତ ବନ୍ଧକଙ୍କ ମୁକ୍ତି ଓ ଗାଜାରେ ବ୍ୟାପକ ମାନବିକ ସହଯୋଗ ଅତ୍ୟନ୍ତ ଆବଶ୍ୟକ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା