ଅହମ୍ମଦାବାଦ, ୨୬ ଜୁଲାଇ (ହି.ସ.)- ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଗୁଜରାଟର ଆଣନ୍ଦରେ ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିଙ୍କ ତାଲିମ୍ ଶିବିରର ଉଦଘାଟନ କରିଛନ୍ତି । ସେ ଗୁଜୁରାଟରେ ଗୋଟିଏ ଦିନ ରହିବେ । ଭିଜନ ୨୦୨୭ର ରୋଡମ୍ୟାପ୍ ସ୍ଥିର କରିବା ପାଇଁ କଂଗ୍ରେସ କମିଟି ରାଜ୍ୟର ନବନିଯୁକ୍ତ ଜିଲ୍ଲା କଂଗ୍ରେସ ସଭାପତିମାନଙ୍କ ପାଇଁ ଜୁଲାଇ ୨୬ ରୁ ୨୮ ତାରିଖ ପର୍ଯ୍ୟନ୍ତ ଏକ ତିନି ଦିନିଆ ତାଲିମ୍ ଶିବିରର ଆୟୋଜନ କରିଛି ।
ବିରୋଧୀ ଦଳ ନେତା ରାହୁଲ ଆଜି ସକାଳେ ଭଡୋଦରା ବିମାନବନ୍ଦରରେ ପହଂଚିଥିଲେ । ସେଠାରେ ତାଙ୍କୁ ବରିଷ୍ଠ କଂଗ୍ରେସ ନେତା ଏବଂ କର୍ମୀମାନେ ସ୍ୱାଗତ କରିଥିଲେ । ସେଠାରୁ ସେ ସଡ଼କ ପଥରେ ଆଣନ୍ଦରେ ପହଂଚିଥିଲେ । କଂଗ୍ରେସ ସଂଗଠନ ସୃଜନ ଅଭିଯାନ ଅଧୀନରେ ଗୁଜରାଟର ସମସ୍ତ ଜିଲ୍ଲା ସଭାପତିଙ୍କୁ ନିଯୁକ୍ତ କରିଛି । ଏହି ଅନ୍ତର୍ଗତ, ସେ ଆଣନ୍ଦର ଅନ୍ଧାରିୟା ଚକଲା ନିକଟସ୍ଥ ନିଜାନନ୍ଦ ରିସର୍ଟରେ ଏକ ତାଲିମ୍ ଶିବିରର ଆୟୋଜନ କରିଛନ୍ତି । ସେ ନବନିଯୁକ୍ତ ଜିଲ୍ଲା ସଭାପତିମାନଙ୍କ ସହିତ ପ୍ରାୟ ଚାରି ଘଂଟା ବିତାଇବେ ଏବଂ ସେମାନଙ୍କୁ ମାର୍ଗଦର୍ଶନ କରିବେ ।
ଏହି ତାଲିମ୍ ଶିବିରରେ ସଂଗଠନ ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ, ସାଧାରଣ ସମ୍ପାଦକ ତଥା ଗୁଜରାଟ ସଂଗଠନ ପ୍ରଭାରୀ ମୁକୁଲ ୱାସନିକ୍, ଗୁଜରାଟ କଂଗ୍ରେସ ସଭାପତି ଅମିତ ଚାଭଡା ଏବଂ ରାଜ୍ୟ କଂଗ୍ରେସ ଓ ଆଣନ୍ଦ କଂଗ୍ରେସର ଅଧିକାରୀମାନେ ଯୋଗ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ