ବୌଦ୍ଧ, 26 ଜୁଲାଇ (ହି.ସ.) ବଢୁଛି ମହାନଦୀ ଜଳସ୍ତର l ବନ୍ୟା ନେଇ ଚିନ୍ତାରେ ତଳିଆ ଅଂଚଳର ଲୋକେ l ଜିଲାର ବିଭିନ୍ନ ରାସ୍ତା ଉପରେ ଲହଡି ମାରୁଛି ବନ୍ୟା ଜଳ l ଲଘୁଚାପ ଜନିତ ବର୍ଷାରେ ବେହାଲ ହୋଇପଡିଛି ବୌଦ୍ଧ ସହର । ବୌଦ୍ଧ ସହର ଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l ଅନ୍ୟପକ୍ଷରେ କଣ୍ଟାମାଲ ବ୍ଲକରେ ୬୮ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି l କାଲି ଠାରୁ ତୁହାକୁ ତୁହା ପ୍ରବଳ ବର୍ଷା ଲାଗି ରହିଛି । ଫଳରେ ଲୋକେ ନାନା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବଢୁଛି ବନ୍ୟା ଆଶଙ୍କା । ଆଜି ସଂନ୍ଧ୍ୟା ୫ ଘଂଟା ସମୟରେ ମହାନଦୀର ବନ୍ୟାଜଳ ସ୍ତର ୮୫.୬୫ ମିଟର ରହିଥିବା ବେଳେ ଏଠାରେ ବିପଦ ସଂକେତ ୮୭.୭୦ ମିଟର ରହିଅଛି । ବୌଦ୍ଧଜିଲ୍ଲାରେ ଗତ କିଛି ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବା ବେଳେ ହୀରାକୁଦରୁ ବନ୍ୟାଜଳ ନିଷ୍କାସନ ହେଉଥିବାରୁ ଜିଲ୍ଲାଦେଇ ଯାଇଥିବା ମହାନଦୀ, ତେଲନଦୀ, ସାଲୁଙ୍କି, ବାଘନଦୀର ଜଳସ୍ତର ବୃଦ୍ଧି ପାଉଛି । ମହାନଦୀର ଜଳସ୍ତର ଧିରେ ଧିରେ ବୃଦ୍ଧି ପାଉଛି । ମହାନଦୀରେ ଜଳସ୍ତର ଧିରେଧିରେ ବୃଦ୍ଧି ପାଉଥିବା ବେଳେ ନଦୀକୂଳରେ ଥିବା ଗ୍ରାମ ଗୁଡିକ ଚିନ୍ତାରେ ରହିଛନ୍ତି । ମହାନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ସମ୍ଭାବନା ଦେଖାଦେଲେ ହରଭଙ୍ଗା ବ୍ଲକର ନଦୀକୂଳରେ ଥିବା ଗ୍ରାମ ଗୁଡିକୁ ବନ୍ୟାଜଳ ପ୍ରଥମେ ପ୍ରବେଶ କରିଥାଏ । ସେହିପରି ବୌଦ୍ଧ ସହରର ଗାଈଗୋଠ ଅଂଚଳରେ ଥିବା ବସ୍ତିକୁ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଓ ନିକଟରେ ଥିବା ସରକାରୀ କାର୍ଯ୍ୟାଳୟ ଗୁଡିକୁ ବନ୍ୟାପାଣି ପ୍ରବେଶ କରିଥାଏ । ବନ୍ୟାପାଣି ଯୋଗୁଁ ସାତକୋଶିଆ ଟିକରପଡା ଠାରେ ଥିବା କୁମ୍ଭୀର ପ୍ରଜ୍ଜନନ କେନ୍ଦ୍ରରୁ କୁମ୍ଭୀର ଉପରକୁ ଚାଲି ଆସିବାର ଅଧିକ ସମ୍ଭାବନା ରହିଛି । ଯାହାଫଳରେ ନଦୀକୂଳିଆ ଲୋକଙ୍କ ପାଇଁ ଚିନ୍ତା ବଢାଇ ଥାଏ ।
---------------
ହିନ୍ଦୁସ୍ଥାନ ସମାଚାର / ସମ୍ପତ କୁମାର ଅଗ୍ରୱାଲା