ବଲାଙ୍ଗିର, ୨୭ ଜୁଲାଇ (ହି.ସ.)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଲିଟିଲ ଫ୍ଲାୱାର ସ୍କୁଲ, ବଲାଙ୍ଗିର ଠାରେ ଆଇନ ଏବଂ କର୍ତ୍ତବ୍ୟ, ପୋକ୍ସୋ ଏବଂ ପୋସ ଆଇନର ବିଶେଷ ଉଲ୍ଲେଖ ଉପରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାଧିକରଣର ଅଧ୍ୟକ୍ଷ ଡାଃ. ପବିତ୍ର ମୋହନ ସାମଲ ଯୋଗଦେଇ ଆଇନ ଓ କର୍ତ୍ତବ୍ୟ ସହିତ ଶିଶୁ ମାନଙ୍କ ଉପରେ ହେଉଥିବା ଯୌନ ଅତ୍ୟାଚାର ଏବଂ କର୍ମ କ୍ଷେତ୍ରରେ ମହିଳା ମାନଙ୍କ ଉପରେ ହେଉଥିବା ଯୌନ ଅତ୍ୟାଚାର ଓ ତାର ପ୍ରତିକାର ଉପରେ ଆଲୋକପାତ କରିଥିଲେ । ପରିବାର ଅଦାଲତର ଜଜ ବିକ୍ରମ କେଶରୀ ପଟ୍ଟନାୟକ “ପୋକ୍ସୋ ଓ ପୋସ” ଆଇନର ବିଭିନ୍ନ ପ୍ରକାରର ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ ଜଜ ପୋକ୍ସୋ କୋର୍ଟ ସୁନନ୍ଦା ପାଢୀ “ପୋକ୍ସୋ” ଆଇନର ବିଭିନ୍ନ ଦିଗ ଉପରେ ସଚେତନତା କରାଇଥିଲେ ଓ ଜଜ ଜେଏମଏଫସି ଅର୍ଘ୍ୟରୂପା ମିଶ୍ର ପୋସ ଆଇନ ଉପରେ ଆଲୋକପାତ କରିବା ସହିତ ପୋସ ଆଇନରେ ଥିବା ବିଭିନ୍ନ କମିଟିର କାର୍ଯ୍ୟକାରୀତା ଉପରେ ଅବଗତ କରାଇଥିଲେ ।
ପ୍ରାଧିକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକ୍ରମ ଓ ମହିଳା ଏବଂ ଶିଶୁ ମାନଙ୍କ ଉଦ୍ଦେଶ୍ୟରେ ଜାତୀୟ ଆଇନ ସେବା ପ୍ରାଧିକରଣ (ନାଲସା)ର ବିଭିନ୍ନ ଯୋଜନା ଉପରେ ଅବଗତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ସ୍ୱାଗତ ଭାଷଣ ଦେବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ତମ ମଣିଷ ହେବା ସହ ସମାଜ ସେବା କରିବା ପାଇଁ ଉପଦେଶ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ