ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ମହିଳା ସୁରକ୍ଷା ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ଚିତ୍କାର କରୁଥିବା ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ଦଳ ଭିତରେ ମହିଳା ଦୁଷ୍କର୍ମକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ମହିଳା ଦୁଷ୍କର୍ମ ଘଟଣାରେ ଜେଲରେ ଥିବାବେଳେ ଆଜି ବିଜେଡିର ବିଏମସି କର୍ପୋରେଟର ଅମରେଶ ଜେନା ମଧ୍ୟ ମହିଳା ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛନ୍ତି । ଉଭୟ କଂଗ୍ରେସ ଓ ବିଜେଡି ସରକାର ଅମଳରେ ଘଟିଯାଇଥିବା ମହିଳା ହିଂସା, ବ୍ୟଭୀଚାର, ନିର୍ଯ୍ୟାତନାକୁ ଆଜି ପର୍ଯ୍ୟନ୍ତ ଓଡିଶାବାସୀ ଭୁଲିନାହାନ୍ତି। ଉଭୟ ଦଳର ଅପକର୍ମ କାରଣରୁ ଓଡିଶା ଏବଂ ଓଡିଶାବାସୀ ବହୁ ଥର ଦେଶ ତଥା ବିଦେଶରେ ଲଜ୍ଜିତ ଓ ନିନ୍ଦିତ ହୋଇଛନ୍ତି। ଓଡିଶାର ସାଧାରଣ ଜନତା ଗୋଟିଏ ମୁଦ୍ରାର ପାଶ୍ୱର୍ ଉଭୟ ବିଜେଡି ଓ କଂଗ୍ରେସ ଦଳର ମହିଳା ବିରୋଧୀ ଆଭିମୁଖ୍ୟକୁ ଭଲ ଭାବେ ଅତୀତରେ ଦେଖିଛନ୍ତି ଏବଂ ଆଜି ବି ଦେଖୁଛନ୍ତି । ଓଡିଶାବାସୀ ଉଭୟ ଦଳକୁ କେବେହେଲେ କ୍ଷମା କରିବେ ନାହିଁ ବୋଲି ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀ କହିଛନ୍ତି ।
ମହିଳା ସୁରକ୍ଷା ପ୍ରସଙ୍ଗରେ ସମ୍ବେଦନଶୀଳ ବିଜେପି। ବିଜେପି ସରକାର ମହିଳାମାନଙ୍କ ପାଇଁ ସମର୍ପିତ ସରକାର । ମହିଳା ସଶକ୍ତିକରଣ ପାଇଁ ବିଜେପି ସରକାର ବଦ୍ଧପରିକର । ମହିଳା ହିଂସା କିମ୍ବା ଦୁଷ୍କର୍ମରେ ସଂପୃକ୍ତ କୈାଣସି ଅଭିଯୁକ୍ତଙ୍କୁ ବିଜେପି ସରକାରରେ ଛଡାଯିବ ନାହିଁ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା